ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନଦୀ ଖାଉଛି ଅତଡା । ନଦୀ କୂଳିଆ ଲୋକଙ୍କୁ ସୁରକ୍ଷା ଦେବା ସହ ନଦୀର ଲୁଣାପାଣି ସହ ଜୁଆର ପାଣି ଚାଷ ଜମି ଓ ଜନବସତି ମଧ୍ୟକୁ ନଆସିବା ପାଇଁ ନଦୀ କୂଳେ କୂଳେ ଲୁଣା ମାଟି ବନ୍ଧ କାର୍ଯ୍ୟ କରୁଛି । ଏହି ମାଟିବନ୍ଧ ସହ ନଦୀକୂଳକୁ ନଧସିବା ପାଇଁ ବ୍ୟାପକ ପଥର ପ୍ୟାକିଂ କରାଯିବାର ବ୍ୟବସ୍ଥା ହୋଇଛି । ଗତ ୧୧ ବର୍ଷ ମଧ୍ୟରେ ମନ୍ତେଇ ଓ ବୈତରଣୀ ନଦୀ କୂଳରେ ୧୧ କୋଟି ଟଙ୍କାର ପଥର ପ୍ୟାକିଂ ଅର୍ଥ ବରାଦ ହୋଇଥିଲା । ଏହି ଅର୍ଥ ଖର୍ଚ୍ଚ ହେଲା ଯେ ତାହା ତଦନ୍ତ କଲେ କେମିତି ଉପକାରରେ ଆସୁଛି, ତାହା ଜଣାପଡନ୍ତା । ମନ୍ତେଇ ଓ ବୈତରଣୀ ନଦୀରେ ନିମ୍ନମାନର ପଥର ପ୍ୟାକିଂ କରି ଠିକାଦାର ମାଲେ ମାଲେ ହେଉଥିବାବେଳେ ଲୋକେ କିନ୍ତୁ ଉପକାର ପାଉନାହାଁନ୍ତି । ବର୍ଷକୁ ବର୍ଷ ବନ୍ୟା ଆସୁଛି ପଥର ପ୍ୟାକିଂ ଧୋଇଯାଉଛି । ଆଉ କେତେବେଳେ ପଥର ପ୍ୟାକିଂ ହେଉ ହେଉ ଧସିଯାଉଛି । ସେଥିପାଇଁ ପଥର ପ୍ୟାକିଂ ନାଁରେ ୧୧ ବର୍ଷରେ ୧୧ କୋଟିରୁ ଉତ୍କଟ ଟଙ୍କା ଖର୍ଚ୍ଚ ହେଲାଣି । ୨୦୦୯ ମସିହା ଠାରୁ ଆଜିପର୍ଯ୍ୟନ୍ତ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ଚଡଦିଆ ପଂଚାୟତ କନକପଲ୍ଲୀ ଗ୍ରାମ ଦେଇଯାଇଥିବା ମନ୍ତେଇ ନଦୀର ପଶ୍ଚିମ ଭାଗ ଓ ବୈତରଣୀ ନଦୀର ପୂର୍ବ ଭାଗରେ ଦୁର୍ବଳ ଲୁଣାବନ୍ଧର ମରାମତି, ବାଲିବସ୍ତା ଓ ବାଉଁଶ ବହ୍ଲା, ଶାଳବହ୍ଲା, ପଥର ପ୍ୟାକିଂ, ପଥର ପିଚିଂ, ସ୍ଲୁଇସ୍ଗେଟ୍ ଓ ମାଟି କାମ ପାଇଁ ବିଭିନ୍ନ ସମୟରେ ସାଳନ୍ଦୀ ଜଳସେଚନ ବିଭାଗ ଭଦ୍ରକ ପକ୍ଷରୁ ଟେଣ୍ଡର କରାଯାଇ ୧୦ କୋଟି ୬ ଲକ୍ଷ ଟଙ୍କାର କାମ ହୋଇଛି । ମାତ୍ର ୮ ଶହ ମିଟର ରାସ୍ତା ହବାଳି ଘାଟରୁ ବୈତରଣୀ ଜିରୋ ପଏଣ୍ଟ ପର୍ଯ୍ୟନ୍ତ ଦୁର୍ବଳ ଲୁଣାବନ୍ଧର ପଥର ପ୍ୟାକିଂ ଓ ପିଚିଂ ପାଇଁ ଅଂଚଳବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି କାମ ସରୁନି । ୨୦୧୦ ମସିହାରେ ବାଉଁଶ ବହ୍ଲା ଓ ବାଲିବସ୍ତା ପାଇଁ ପ୍ରଥମେ ଯୁଦ୍ଧକାଳୀନ ଭିତ୍ତିରେ ୧ ଲକ୍ଷ ଟଙ୍କା ବିଭାଗ ପକ୍ଷରୁ ଖର୍ଚ୍ଚ କରାଯାଇଥିଲା ।
ମାତ୍ର ଗୋଟିଏ ମାସରେ ଏହା ଭୁଶୁଡି ପଡିବା ପରେ ୨୦୧୨ ମସିହାରେ ଗ୍ରାମର ଦକ୍ଷିଣ ଦିଗରେ ନଦୀବନ୍ଧ ଠାରୁ ବନିଗଣ୍ଡ ପର୍ଯ୍ୟନ୍ତ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ରାସ୍ତାର ମରାମତି, ୨ଟି ସ୍ଲୁଇସ୍ଗେଟ୍ ସ ବନ୍ଧ କଡେ କଡେ ପଥର ପ୍ୟାକିଂ ପାଇଁ ମନ୍ତେରୀ ରାଇଟ୍ ନାମରେ ବୈତରଣୀ ନଦୀ କୂଳେ କୂଳେ ୩ କିମି ରାସ୍ତାରେ ଶାଳବହ୍ଲା ଓ ବାଲିବସ୍ତା ପ୍ୟାକିଂ ପାଇଁ ୧ କୋଟି ଟଙ୍କାର ଟେଣ୍ଡର ହୋଇଥିଲା । ଏହି କାମ ୨ ବର୍ଷ ଧରି ଚାଲିଥିବାବେଳେ ମାତ୍ର ମନ୍ତେଇ ନଦୀର ପଶ୍ଚିମ ଭାଗରେ ୨୦୦ ମିଟର ନଦୀବନ୍ଧରେ ୭୦/୮୦ ଖଣ୍ଡ ଶାଳବହ୍ଲା ପୋତି ଠିକାଦାର ରାତାରାତି ଉଭାନ ହୋଇଯାଇଥିଲେ । ଶେଷରେ ୨୦୧୪ ମସିହା ଶେଷ ଭାଗରେ ଜଳସେଚନ ବିଭାଗ ସାଳନ୍ଦୀ ଡିଭିଜନ ଭଦ୍ରକ ପକ୍ଷରୁ ମନ୍ତେଇ ନଦୀ କଡେ କଡେ କ୍ଷୟ ହେଉଥିବା ଲୁଣାବନ୍ଧର ମରାମତି, ପଥର ପିଚିଂ ଓ ପଥର ପ୍ୟାକିଂ ପାଇଁ ୪ କୋଟି ୮୨ ଲକ୍ଷ ଟଙ୍କାର ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଧିକ ଦୁର୍ବଳ ଲୁଣାବନ୍ଧ ଓ ନଦୀ ଗଭୀର ଥିବାରୁ ଏହି କମ୍ ବଜେଟରେ କାମ ହୋଇନପାରିବାରୁ ୨୦୧୭ ମସିହାରେ ପୁଣି ୩ କୋଟି ଟଙ୍କାର ନୂଆ ଏକ ଟେଣ୍ଡର କରାଯାଇ କାମ ଆରମ୍ଭ ହୋଇଥିଲା । ୮୦୦ ମିଟର ରାସ୍ତାରୁ ମାତ୍ର ୫୦୦ ମିଟର ରାସ୍ତାରେ ପଥର ପ୍ୟାକିଂ କରିବାକୁ ଥିବାବେଳେ ଅନ୍ୟ ସ୍ଥାନର ପଥର ପ୍ୟାକିଂ ଆବଶ୍ୟକ ପଡୁଥିଲା । ଏହି କାର୍ଯ୍ୟରେ ନିଯୁକ୍ତି ପାଇଥିବା ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପଥର ପ୍ୟାକିଂ ବଦଳରେ କିଛି ଶ୍ରମିକଙ୍କୁ କାମରେ ଲଗାଇ ବଡ ବଡ ପଥରକୁ ଭାଙ୍ଗି ପ୍ୟାକିଂ କରିବା, ନଦୀଗର୍ଭକୁ ପଥର ନଢାଳି ନଦୀ କଡ ରାସ୍ତାରେ ପଥର ପ୍ୟାକିଂ କରିବା ଦ୍ୱାରା ରାସ୍ତା ପୁଣି ଧସି ନେବ ବୋଲି ଗ୍ରାମବାସୀ ଅଭିଯୋଗ କଲେ ବି ଠିକାଦାର କୌଣସି କଥା ଶୁଣିଲାନି । ତାଙ୍କୁ ଏପରି କରିବାକୁ ନିର୍ଦ୍ଦେଶ ଅଛି ବୋଲି ଠିକାଦାର କହୁଥିବାବେଳେ ବିଭାଗୀୟ ଜେଇ ଏହି କଥାକୁ ସଂପୂର୍ଣର୍ ଏଡାଇ ଦେଇଥିଲେ । ନଦୀକଡରୁ ଜେସିବି ଦ୍ୱାରା ପଥର ନଦୀକୁ ଠେଲିଲେ ନଦୀବନ୍ଧ କରାପ ହୋଇଯିବ ବୋଲି ଲୋକ ଲଗାଇ ପଥର ନଦୀ ଗର୍ଭକୁ ଠେଲାଉଛି ବୋଲି ଜେଇ ମତ ରଖିଥିଲେ । ଏହି ପଥର ପ୍ୟାକିଂ ଓ ପିଚିଂ କାମ ଅତି ନିମ୍ନମାନର ହେଉଛି । ଏହି ପଥର ପ୍ୟାକିଂ ନାଟକ ଯଦି ତଦନ୍ତ ହୁଅନ୍ତା, ତେବେ ବହୁ ଘୋଟାଲା ପଦାକୁ ବାହାରି ପାରିବ ବୋଲି ଦାବି ହୋଇଛି । ଖାଲି ସେତିକି ନୁହେଁ, ୨୦୧୯ ରେ କରାଯାଇଥିବା ପଥର ପ୍ୟାକିଂ ମଧ୍ୟ ଏକ ଅବସ୍ଥା । ଜୁଆର ମାଡରେ ତାହା ବି ଧୋଇଗଲା ବୋଲି ବିଭାଗ କହୁଛି ।