ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧୀନ ବିଦ୍ୟାଧରପୁର ଉଚ୍ଚ ପ୍ରାଥମିକ ସ୍କୁଲରୁ ମଧ୍ୟାହ୍ନଭୋଜନ ଚାଉଳ ପ୍ରଧାନଶିକ୍ଷକ ଅଟୋରେ ନେଉଥିବା ଘଟଣାରେ ବ୍ଲକ ଶିକ୍ଷାଧିକାରିଣୀ (ବିଇଓ) ସୁଶ୍ରୀ ସୂର୍ଯ୍ୟଶିଖା ମହାନ୍ତି ଦୃଢ ପଦକ୍ଷେପ ନେଇଛନ୍ତି ।ସ୍କୁଲର ପ୍ରଧାନ ଶିକ୍ଷକ ଆଲୋକ ପାଢ଼ୀଙ୍କୁ ବିଇଓ ସୁଶ୍ରୀ ମହାନ୍ତି ନିଲମ୍ବିତ କରିଥିବା ଜଣାପଡିଛି।ନିଲମ୍ବନ ସମୟରେ ପ୍ରଧାନ ଶିକ୍ଷକ ଶ୍ରୀ ପାଢ଼ୀ ଗାଜିପୁର ପାଟଣା ସ୍କୁଲରେ ରହିବେ । ତାଙ୍କୁ ବେତନ ଓ ଡ଼ି ଏ ପଚାଶ ପ୍ରତିଶତ ଦିଆଯିବାବୋଲି ମଧ୍ୟ ନିର୍ଦେଶରେ ଉଲ୍ଲେଖ କରାଯାଇଛି। ଏହି ନିର୍ଦ୍ଦେଶକୁ ପ୍ରଧାନ ଶିକ୍ଷକ ସମେତ ଉଚ୍ଚ କତୃପକ୍ଷଙ୍କ ନିକଟକୁ ପଠାଇ ଦିଆଯାଇଛି।ପ୍ରକାଶ ଯେ , ଗତ ମାସ ୨୨ତାରିଖ ଅପରାହ୍ନରେ ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ପାଢ଼ୀ ୪ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ସ୍କୁଲରୁ ଏକ ଅଟୋରେ ନେଇ ଯାଉଥିଲେ । କେତେକ ଗ୍ରାମବାସୀ ଏହା ଜାଣିବା ପରେ ରାସ୍ତାରେ ଅଟୋକୁ ଅଟକାଇ ସ୍କୁଲକୁ ଚାଉଳ ଫେରାଇ ଆଣିଥିଲେ । ଏହି ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ପରେ ସେମାନେ ଏ ସମ୍ପର୍କରେ ଗ୍ରାମବାସୀ ବିଇଓ ସୁଶ୍ରୀ ମହାନ୍ତି ଏବଂ ସିଆରସିସିଙ୍କୁ ଜଣାଇଥିଲେ । ପୁଣି ଗତ ମାସ ୨୪ତାରିଖରେ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ସବ୍ୟସାଚୀ ପଣ୍ଡା, କରୁଣାକର ନାୟକ, କନକ ଲତା ପଣ୍ଡା, ରତ୍ନାକର ପଣ୍ଡା, କବିତା ସାହୁ, ବିଶ୍ୱଜିତ ସାହୁ, ମିନତୀ ଜେନା ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଜିଲାପାଳ ଦିଲୀପ ରାଉତରାଏ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଇଓ ସୁଶ୍ରୀ ମହାନ୍ତି ଏବିଓ ଲଷ୍ମୀପ୍ରିୟା ମାଝୀ ଓ ଏମଡ଼ିଏମ ନୋଡାଲ ଅଧିକାରୀ କରୁଣାକର ଓଝାଙ୍କୁ ତଦନ୍ତକରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।ସେମାନେ ସ୍କୁଲକୁ ଯାଇ ଆବଶ୍ୟକୀୟ କାଗଜପତ୍ର ତନଖିକରିବା ସହିତ ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ ଦେବାପରେ ବିଇଓ ସୁଶ୍ରୀ ମହାନ୍ତି ପ୍ରଧାନଶିକ୍ଷକ ଶ୍ରୀ ପାଢ଼ୀଙ୍କୁ ନିଲମ୍ବନ କରିଥିବା ଜଣାଯାଇଛି।
Home ଜିଲ୍ଲା ପରିକ୍ରମା ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣାରେ ବିଇଓ ନେଲେ ଦୃଢ଼ ପଦକ୍ଷେପ, ବିଦ୍ୟାଧରପୁର ସ୍କୁଲର ପ୍ରଧାନଶିକ୍ଷକଙ୍କୁ...








