Home ଜିଲ୍ଲା ପରିକ୍ରମା ମଦ ଲଟେରି ; ୩୫ କାଉଣ୍ଟର ପାଇଁ ଖେଳିବେ ୪୯୦

ମଦ ଲଟେରି ; ୩୫ କାଉଣ୍ଟର ପାଇଁ ଖେଳିବେ ୪୯୦

173

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଦ ବେପାର ପାଇଁ ଆଗ୍ରହ କାହିଁରେ କଣ! ଭଦ୍ରକ ଜିଲାରେ ୩୫ଟି ବିଦେଶୀ ମଦ କାଉଂଟର ଲାଇସେନସ୍ ପାଇଁ ଆବେଦନ କରିଛନ୍ତି ୪୯୦ । ଭଦ୍ରକ ଜିଲାରୁ ସରକାରଙ୍କୁ ତତକ୍ଷଣାତ ୪କୋଟି ୯୦ଲକ୍ଷ ଟଙ୍କାର ଫାଇଦା ମିଳିଛି । ପ୍ରକାଶଥାଉକି; ସରକାର ଏଥରକ ମଦ ଲାଇସେନସ୍ ପ୍ରଦାନର ନୀତି ବଦଳାଇଛନ୍ତି । ଏକ ସମୟରେ ଅଧିକ ରାଜସ୍ୱ ଆଦାୟ ଓ ଲାଇସେନସ୍ ପ୍ରଦାନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଲାଗି ଲଟେରି ବ୍ୟବସ୍ଥା କରିଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଏଥିପାଇଁ ମାର୍ଚ୍ଚ ୧୬ ତାରିଖରେ ବିଜ୍ଞପ୍ତି (ନଂ ୫୦୭) ପ୍ରକାଶ ପାଇଥିଲା । ତଦନୁଯାୟୀ; ପ୍ରତ୍ୟେକ କାଉଂଟର ପାଇଁ ଲଟେରିରେ ଭାଗ ନେବାକୁ ୧ଲକ୍ଷ ଟଙ୍କା ଦେୟ ଧାର୍ଯ୍ୟ ହୋଇଥିଲା ଏହାବାଦ କାଉଂଟର ୱାରି ସ୍ଥିରୀକୃତ ରାଶି ଅନଲାଇନରେ ଜମା କରିବାକୁ କୁହାଯାଇଥିଲା । ଯଦି ଲଟେରି ଖେଳରେ ଆବେଦନକାରୀ ଭାଗ୍ୟବାନ ବିଜେତା ହେଲେ ତେବେ ବିଦେଶୀ ମଦ ଦୋକାନ ଲାଗି ଲାଇସେନସ ପାଇବେ । ନହେଲେ କେବଳ ଅମାନତ ରାଶି ଫେରସ୍ତ କରାଯିବ । ଆବେଦନ ଦେୟ ବାବଦ ୧ଲକ୍ଷ ଟଙ୍କା ଆଉ ଆଶାୟୀଙ୍କୁ ମିଳିବାର ବ୍ୟବସ୍ଥା ନାହିଁ । ତେବେ ଆବେଦନ ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଛି ।

ଜିଲାର ବିଭିନ୍ନ ସ୍ଥାନରେ ଥିବା ବିଦେଶୀ ମଦଦୋକାନ ପାଇଁ କେତେଜଣ ଲେଖାଏଁ ଆଦେନ କରିଛନ୍ତି ସେଥିନେଇ ବିଭାଗର ସୂଚନା ମିଳିଛି । ଆଗରପଡା ପାଇଁ ୧୩, ଅସୁରାଳି ପାଇଁ ୧୧, ବାରିକପୁର ପାଇଁ ୧୧, ବାସୁଦେବପୁର ପାଇଁ ୮, ବେତଡା ପାଇଁ ୯, ଭଦ୍ରକ (୧ନଂ) ପାଇଁ ୧୬, ଭଦ୍ରକ (୨ନଂ) ପାଇଁ ୧୨, ଭଣ୍ଡାରିପୋଖରୀ ପାଇଁ ୧୭, ବିଦେଇପୁର ଛକ ପାଇଁ ୨୪, ବନ୍ତ ପାଇଁ ୧୬, ବ୍ରାହ୍ମଣୀ ଗାଁ ପାଇଁ ୧୦, ବର୍ମା ବାଇପାସ ପାଇଁ ୧୧, ଚାନ୍ଦବାଲି ପାଇଁ ସର୍ବାଧିକ ୩୬, ଚରମ୍ପା (୨ନଂ) ପାଇଁ ୬, ଚରମ୍ପା (ନଂ୧) ପାଇଁ ୭, ଚୂଡାମଣି ପାଇଁ ୧୦, ଧାମରା ପାଇଁ ୧୦, ଧାମନଗର ପାଇଁ ୮, ଧୁଷୁରୀ ପାଇଁ ୧୬, ଦୋବଲ ପାଇଁ ୧୧, ଦୋଳସାହି ପାଇଁ ୨୩, ଦୋସିଙ୍ଗା ପାଇଁ ୧୬, ଏରତାଳ ପାଇଁ ୧୫, ଗଣିଜାଙ୍ଗ ବଜାର ପାଇଁ ୯, ଘଂଟେଶ୍ୱର ପାଇଁ ୧୫, ଗୁଣ୍ଠୁଣିଆ ବଜାର ପାଇଁ ୭, କଦମବେଡା ପାଇଁ ୮, କଇଥକୋଲା ବଜାର ପାଇଁ ୯, କେନ୍ଦୁଆପଦା ପାଇଁ ୧୨, ମଂଜୁରିରୋଡ ପାଇଁ ୧୩, ମତୋ ବଜାର ପାଇଁ ୩୨, ରାନ୍ଦିଆ ବଜାର ପାଇଁ ୧୨, ରାଣୀତାଲ ବଜାର ପାଇଁ ୧୦, ସାବରଙ୍ଗ ପାଇଁ ୧୫, ତିହିଡି ପାଇଁ ୩୨ ଜଣ ଆବେଦନ କରିଛନ୍ତି । ତେବେ ମଦ ବିକ୍ରିରୁ ସରକାର ଯାହା ରାଜସ୍ୱ ପାଇବେ ଅଲଗା କଥା ମାତ୍ର ଜିଲା ତମାମ ମୋଟ ୪୯୦ଜଣ ଆବେଦନକାରୀ ୧ଲକ୍ଷ ଟଙ୍କା ଲେଖାଏଁ (ଯାହା ଫେରସ୍ତ ହେବ ନାହିଁ) ଦେୟ ଅନଲାଇନ ଯୋଗେ ପଇଠ କରି ସାରିଥିବାରୁ ସରକାରଙ୍କୁ ୪କୋଯଇ ୯୦ ଲକ୍ଷ ଟଙ୍କା ମିଳିସାରିଛି । ତେବେ ଜିଲାର ଚାନ୍ଦବାଲି, ତିହିଡି, ମତୋରେ ମଦ ଦୋକାନ ଖୋଲିବା ପାଇଁ ଯଥାକ୍ରମେ ୩୬, ୩୫ ଓ ୩୨ ଜଣ ଆବେଦନ କରିବା ମଧ୍ୟ ଉଲ୍ଲେଖନୀୟ ହୋଇଛି । ତେବେ ଆସନ୍ତା ୮ ତାରିଖରେ ଲଟେରି ମାଧ୍ୟମରେ ଆବେଦନକାରୀଙ୍କ ଭାଗ୍ୟ ପରୀକ୍ଷା ହେବ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.