ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ତଳଗୋପବିନ୍ଧା ଗ୍ରାମର ମଦ ବେପାରୀ ବାପ-ପୁଅ ଗଣ୍ଡଗୋଳ ଲାଗିଥିବା ବେଳେ ଜଣେ ପଡ଼ୋଶୀ ଗଣ୍ଡଗୋଳର ଶିକାର ହୋଇ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୁଲିସ କେଶ ନଂ ୪୮୯/୨୪ରେ ଏକ ମକଦ୍ଦମା ରୁଜୁ କରି ମଦବେପାରୀ ପୁଅ ଜହର ପଣ୍ଡା ଓରଫ ମୃତ୍ୟୁଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଅଭିଯୋଗରୁ ପ୍ରକାଶ ଯେ, ଗ୍ରାମର ଶ୍ୟାମସୁନ୍ଦର ପଣ୍ଡା ଓ ତାଙ୍କ ପୁଅ ଜହର ପଣ୍ଡା ଚୋରା ମଦ ବେପାର କରି ଆସୁଛନ୍ତି। ଏହି ମଦ ବେପାରକୁ ନେଇ ମଙ୍ଗଳବାର ରାତିରେ ବାପ-ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ପୁଅର ଆକ୍ରମଣ ଭୟରେ ପଡ଼ୋଶୀ ବସନ୍ତ ମହାଳିକଙ୍କ ଘରେ ବାପ ଶ୍ୟାମସୁନ୍ଦର ଯାଇ ଲୁଚି ଯାଇଥିଲେ। ପୁଅ ଜହର ସେଠାରେ ପହଂଚି ବାପକୁ ପୁଣି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ପଡ଼ୋଶୀ ବସନ୍ତ ଏଥିରେ ହସ୍ତକ୍ଷେପ କରି ବାପ-ପୁଅଙ୍କୁ ଏଥିରେ ନିବୃତ ରହିବାକୁ ବୁଝାସୁଝା କରିଥିଲେ। ମାତ୍ର ଏଥିରେ ଜହର ଉତ୍ୟକ୍ତ ହୋଇ ବସନ୍ତକୁ ଏକ ମଦ ବୋତଲ ଭାଙ୍ଗି ଆକ୍ରମଣ କରିଥିଲେ। ଫଳରେ ବସନ୍ତର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇ ଗୁରୁତର ଆହତ ହୋଇଥିଲେ। ପରେ ବସନ୍ତ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ।