ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ସ୍ଥିତ ପୀରବାବା ହଜରତ ମୁଜାହିଦ-ଏ-ମିଲ୍ଲତ ମୌଲାନା ସାହା ମହମ୍ମଦ ହବିବୁର ରହେମାନଙ୍କ ନାତି ଧାମନଗର ଖାନକା ଉର୍ସ କମିଟି ପୂର୍ବତନ ସଭାପତି ମତ୍ୱଲ୍ଲୀ ବାବା ଆଲହାଜ ସୟଦ ଗୋଲାମ ମହମ୍ମଦ ହବିବିଙ୍କ ଦୁଇ ଦିନ ଧରି ଚେହେଲୁମ ଫାତେହା ଓ ଜଲସା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ ଫେବୃୟାରୀ ୪ତାରିଖ ବୁଧବାର ୧୨ଟାରୁ ମିଲାଦ ସରିଫ୍ ରାତି ପ୍ରାୟ ୮ଟାରୁ ମିଲାଦ ଓ ଜଲସା କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଅନୁଷ୍ଠାନ ତରଫରୁ ଭୋଗ (ଲଙ୍ଗର) ବଂଟନ କରାଯାଇଥିଲା। ଦ୍ୱିତୀୟ ଦିନ ଗୁରୁବାର ସକାଳ ୫ଟା ସମୟରେ ତାଙ୍କର ସୁପୁତ୍ର ନୂତନ ମତ୍ୱଲ୍ଲୀ ବାବା ଆଲହାଜ ସୟଦ ହବିବ ରଜା ହବିବି ଗୋଲାପଜଳ ଓ ଚନ୍ଦନରେ ସ୍ନାନ (ଗୋସଲ) କରାଇଥିଲେ। ଏହି ଉପଲକ୍ଷେ କୋରାନ ଖାନି ଓ ଫାତେହା ପରେ ବାବାଙ୍କୁ ଦର୍ଶନ ସହିତ ଚାଦର ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହି ଅବସରରେ ବିଭିନ୍ନ ରାଜ୍ୟରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିବା ବେଳେ ରାତି ୮ଟାରୁ ଜଲସା କାର୍ଯ୍ୟକ୍ରମରେ ନାମିଦାମୀ ମୌଲାନା,କବି,ସାଏର ପ୍ରମୁଖ ଯୋଗ ଦେଇ ଧାର୍ମିକ ଭାଷଣ ଓ ତକ୍ରିର ସହିତ ମତ୍ୱଲ୍ଲୀ ବାବାଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ରାତି ୧୦ ଟା ୨୫ମିନିଟ ସମୟରେ କୁଲସରିଫ୍ ନମାଜ ପାଠ (ସମୂହ ପ୍ରାର୍ଥନା) କରାଯାଇଥିଲା। ଧାମନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଭିନ୍ନ ରାଜନୈତିକ ଦଳର ନେତା ଖାନକା ସରିଫ୍ ରେ ପହଞ୍ଚି ବାବାଙ୍କୁ ପୁଷ୍ପମାଲ୍ୟ ଅର୍ପଣ ସହ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିବା ଜଣାପଡ଼ିଛି।ଏହି ଦୁଇ ଦିନ କାର୍ଯ୍ୟକ୍ରମରେ ପ୍ରଶାସନ ପକ୍ଷରୁ ପରିମଳ,ପାନୀୟ ଜଳଯୋଗାଣ,ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା,ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଥିଲା। ଯାନବାହନ ଚଳାଚଳ,ଲୋକଙ୍କ ଗହଳି,ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ଏସପି ମନୋଜ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅତିରିକ୍ତ ଏସପି ବିଶ୍ୱାପତି ପଣ୍ଡା,ସମ୍ବିତ କୁମାର ମାଝି,ଅଂଶୁମାନ ଦ୍ୱିବେଦୀ,ଅରୁପ୍ ଅଭିଷେକ ବେହେରା ପ୍ରମୁଖ ଧାମନଗର ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ଏସଡିପିଓ ଅନିରୁଦ୍ଧ ମୁଦୁଲି,ଆଇଆଇସି ରଞ୍ଜନ କୁମାର ସେଠୀ ସଦଳବଳେ ପେଟ୍ରୋଲିଙ୍ଗକୁ କଡାକଡି କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଏହି କ୍ରମରେ ୨ଜଣ ଡିଏସପି,୧୨ଜଣ ଇନ୍ସପେକ୍ଟର,୬୦ଜଣ ସବଇନ୍ସପେକ୍ଟର,୧୩ପ୍ଲାଟୁନ ଫୋର୍ସ,ହାବିଲଦାର ଓ ହୋମଗାଡ ଟ୍ରାଫିକ ପୋଲିସ ବିଭିନ୍ନ ଛକ ବଜାରରେ ନିୟୋଜିତ କରାଯାଇଥିଲା। ଧାମନଗର ତହସିଲଦାର ମାଜିଷ୍ଟ୍ରେଟ ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ,ବିଡ଼ିଓ ବନବିହାରି ଦିନ୍ଦା,ଏନ ଏ ସି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ,ବିଦ୍ୟୁତ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଦାୟିତ୍ୱ ନିର୍ବାହ କରିଛନ୍ତି। ଖାନକା ଉର୍ସ କମିଟିର ଉପସଭାପତି ସୟଦ ମୁସ୍ତଫା ରଜା ହବିବି,ସାଧାରଣ ସମ୍ପାଦକ ଆଲହାଜ ଏମଡି ଇସ୍ରାଇଲ ହବିବି, ଦାରୁଲୁମ ସେକ୍ରେଟାରୀ ସୟଦ ହସନେନ ରାଜା ହବିବି,ସହସମ୍ପାଦକ ଅବଦୂର ରହେମାନ,ବରିଷ୍ଠ ସଭ୍ୟ ଏମଡି ଫଜଲେ ବାରି,ସେକ ମନାଓର ଅହେମ୍ମଦ,ସେକ ତାହେର ମହମ୍ମଦ,ଗୋଲାମ ଅଲ୍ଲୀ,ସେକ ମୋହିଉଦ୍ଦିନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।







