ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ବୈତରଣୀ କୂଳ ଥିବା ଗ୍ରାମ ଶ୍ମଶାନରୁ ଗତ ଗୁରୁବାର ରାତ୍ରରେ ଏକକାଳୀନ ୫ଟି ଶବ ଚୋରି ହୋଇଥିବା ଜଣାଯାଇଛି । ଗତ ୨ ମାସ ମଧ୍ୟରେ ମୃତ୍ୟୁବରଣ କରିଥିବା ଗ୍ରାମର ଖଗେଶ୍ୱର ସାମଲ, ହାତବନ୍ଧୁ ବେଉରିଆ, କାର୍ତିନ ନାୟକ, ସରସ୍ୱତୀ ବେହେରା ଓ କାଳନ୍ଦୀ ବେହେରାଙ୍କ ଶବ ଚୋରି ହୋଇଥିବା ଜଣାଯାଇଛି । ଗ୍ରାମ ଶ୍ମଶାନରୁ ଶବ ଚୋରି ହେବା ନୂଆ ନୁହେଁ । ୨୦୧୬ ମସିହାରେ ଶବ ଚୋରି ହୋଇଥିବା ସମ୍ପର୍କରେ ଗ୍ରାମବାସୀମାନେ ପ୍ରଥମେ ଅବଗତ ହୋଇଥିଲେ । ନଦୀର ବାଲି ଖାଲରେ ବୁଢ଼ିଯାଇ ପ୍ରାଣ ହରାଇଥିବା ଶିଶୁର ଶବ ପୋତା ଯିବାର ଦୁଇମାସ ପରେ ଖୋଲି ନିଆଯାଇଥିଲା। ସେହିବର୍ଷ ଗ୍ରାମବାସୀ ଅନାମ ବେହେରାଙ୍କ ଶବ ପୋତା ଗାତରୁ ଖୋଳି ନିଆଯାଇଥିଲା । ୨୦୧୭ ମସିହାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବସନ୍ତ ଦାସ ଓ ରାଜ୍ୟପାଳ ପୁରଷ୍କୃତ ପ୍ରଧାନଶିକ୍ଷକ ବାସୁଦେବ ଦାସଙ୍କ ଶବକୁ ମଧ୍ୟ ଖୋଳି ନିଆଯାଇଥିବା ଜଣାପଡ଼ିଥିଲା। ୨୦୧୬ ଓ ୨୦୧୭ ବର୍ଷରେ ସଂସ୍କାର ପରେ ପୋତାଯାଇଥିବା ପ୍ରାୟ ଚାରିଟି ଶବ ଖୋଳି ନିଆଯାଇଥିବା ଗ୍ରାମବାସୀମାନେ ଚିହ୍ନଟ କରିଥିଲେ । ଗତ ୨୦୨୩ ମସିହା ଜୁନ ୨୩ ତାରିଖ ରାତ୍ରରେ ଏକକାଳୀନ ୩ଟି ଶବ ଗାଏବ ହୋଇଯାଇଥିବା ନେଇ ଗ୍ରାମବାସୀମାନେ ଥାନାରେ ଅଭିଯୋଗ କରିଥିଲେ । ସଦ୍ୟ ସଂସ୍କାର ହୋଇଥିବା ୩ ଟି ଗାତରୁ ପୋତାଯାଇଥିବା ଶବ ନଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ତତ୍କାଳୀନ ଜିଲ୍ଲା ପୁଲିସ ଅଧିକ୍ଷକ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ପରେ ପୁଲିସ ଉପଖଣ୍ଡ ଅଧିକାରୀ ଘଟଣାସୁଳକୁ ଯାଇ ତଦନ୍ତ କରିଥିଲେ । ଗତ ୨୦୨୩ ମସିହା ଅପ୍ରେଲ ୨୪ ତାରିଖରେ ମୃତ୍ୟୁବରଣ କରିଥିବା ଗ୍ରାମର ଶ୍ରୀକାନ୍ତ ବେହେରା, ୩ ତାରିଖରେ ମୃତ୍ୟୁବରଣ କରିଥିବା ଅକ୍ଷୟ ବେହେରା ଓ ଅନନ୍ତ ନାଥଙ୍କ ଶବ ନଥିବା ଚିହ୍ନଟ ହୋଇଥିଲା । ଖୋଳା ଯାଇଥିବା ୩ଟି ଗାତ ନିକଟରୁ ସଂସ୍କାର ସମୟରେ ଶବର ପିନ୍ଧାବସ୍ତ୍ର ପଢିଥିଲା । ଏହାର୨୨ ଦିନ ପୂର୍ବେ ମୃତ୍ୟୁବରଣ କରିଥିବା ଗ୍ରାମର ଅକ୍ଷୟ ଓ ଅନନ୍ତଙ୍କ ସଡାମାଂସ କଢାଯାଇଥିବାର ଦେଖାଯାଇଥିଲା। ୨୦୨୫ ଅପ୍ରେଲ ୧ ତାରିଖରେ ହୃଦଘାତରେ ମୃତ୍ୟୁବରଣ କରିଥିବା ଗ୍ରାମର ରୁକ୍ମଣୀ ସାମଲଙ୍କ ଦଶାହ ପାଳନ ପାଇଁ ମୁଖାଗ୍ନି ଦେଇଥିବା ପୂତ୍ର ଶବପୋତା ସ୍ଥାନକୁ ଆସି ଗାତ ଖୋଳାଯାଇ ଓ ଶବ ଚୋରି ହୋଇଥିବା ଦେଖିଥିଲେ । ସେଠାରେ ପାଣି ଓ ମଦ ବୋତଲ ପଢିଥିବା ପ୍ରାୟ ୨ ଶହ ମିଟର ଘୋଷରା ଯାଇଥିବା ସ୍ଥାନରେ ପଚାମାଂସ ଓ ଅନ୍ତଃବସ୍ତ ପଢିଥିବା ଦେଖିଥିଲେ । ମୃତକଙ୍କ ସ୍ୱାମୀ ଶ୍ରୀମନ୍ତ ଥାନାରେ ଏଥିନେଇ ଅଭିଯୋଗ କରିଥିଲେ । ଏଥିନେଇ ଗ୍ରାମରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗ୍ରାମର ବୈତରଣୀ ନଦୀ ପଠାରେ ଥିବା ସ୍ୱର୍ଗଦ୍ୱାର ଶ୍ମଶାନରେ ମୃତ୍ୟୁ ପରେ ସଂସ୍କାର କରାଯାଇ ଶବକୁ ପୋତି ଦିଆଯାଇଥାଏ । ଏହା ଗୁଣିଗାରେଡି ଅଥବା ବିଜ୍ଞାନ ପରୀକ୍ଷାଗାର କିମ୍ବା ଡାକ୍ତରୀ ଶିକ୍ଷା ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ଚୋରି କରାଯାଇ ଥାଇପାରେ ବୋଲି ଗ୍ରାମବାସୀମାନେ ମତ ପ୍ରକାଶ କରିଛନ୍ତି । ସ୍ଥାନୀୟ ବ୍ୟକ୍ତିବିଶେଷ ଏହି ଘଟଣାରେ ସଂପୃକ୍ତ ଥିବା ଓ ନିର୍ଦ୍ଦିଷ୍ଟ ସୂଚନା ଦେଇ ଶବ ଚୋରିରେ ସାମିଲ ଅଛନ୍ତି ବୋଲି ସନ୍ଦେହ କରାଯାଉଛି । ଏଭଳି କୁତ୍ସିତ ଚୋରିକୁ ରୋକାଯିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏଥିନେଇ ଥାନାରେ ହେଉଥିବା ଅଭିଯୋଗ ପ୍ରତି ପୁଲିସ ଗୁରୁତ୍ୱ ଦେଇନାହିଁ।








