
ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅଂଚଳରେ ମଠ ମନ୍ଦିରରୁ ଚୋରି ଘଟଣାରେ ୨ ଜଣଙ୍କୁ ଧାମନଗର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଦୁହେଁ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ର ଯଈପୁର ଗ୍ରାମର ୩୩ ବର୍ଷୀୟ ଯୁବକ ସେକ୍ ମୁସ୍ତାକ ,ପିତା ସେକ ମୁଶାରଫ ଓ ଧାମନଗର ଏନ୍ଏସି ଅଧିନ ହବିବନଗର ର ୪୦ ବର୍ଷୀୟ ମିର ଅରଫାନ , ପିତା ମିର ୟୁନସ । ମୁସ୍ତାକ ବିଭିନ୍ନ ମନ୍ଦିରରୁ ଚୋରି କରିଥିବାବେଳେ ଅରଫାନ ତା ପାଖରୁ ଚୋରି ସାମଗ୍ରୀ ନେଇ ବିକ୍ରି କରିଥାଏ। ତେବେ ୧୬ ତାରିଖ ବିଳମ୍ୱିତ ରାତିରେ ଧାମନଗର ଥାନା ର ଏସ ଆଇ ପ୍ରଦୀପ ନାୟକ ଓ ଏ ଏସ ଆଇ ନରେନ୍ଦ୍ର ରାଉତ ରାତ୍ରି କାଳୀନ ପାଟ୍ରୋଲିଂ କରୁଥିବା ବେଳେ ଗୁହାଳିଆ ଛକ ପାଖ ନାୟାରା ପେଟ୍ରୋଲ ଟାଙ୍କୀ ପାଖ ରେ ଏକ ବାଇକି ରେ ଦୁଇ ଜଣ ଆସୁଥିବା ବେଳେ ପୋଲିସ ର ସନ୍ଦେହ ହେବାରୁ ତାକୁ କାବୁ କରିବାକୁ ଯିବା ବେଳେ ଜଣେ ଚୋର ଦୌଡ଼ି ପଳେଇ ଥିଲା। ଅନ୍ୟ ଜଣକୁ ପୋଲିସ ଟିମ ତାକୁ ପିଛା କରି କାବୁ କରି ଥାନାକୁ ଆଣିଥିଲା। ପଚରାଉଚରା ବେଳେ ତା ନାଁ ସେକ ମୁସ୍ତାକ ବୋଲି କହିଥିଲା। ସେକ ମୁସ୍ତାକ କୁ ଜେରା କରିବାରୁ ସେ ଅନେକଗୁଡ଼ିଏ ମଠ ମନ୍ଦିର ଚୋରି ଘଟଣାରେ ସାମିଲ ଥିବା ମାନିଥିଲା। ଏହାସହ ସେ ଗତ କିଛି ମାସ ହେବ ଧାମନଗର ହବିବନଗର ରେ ଜଣକ ଘରେ ରହୁଥିଲା। ଏ ଅଂଚଳରେ ବିଭିନ୍ନ ମଠ ମନ୍ଦିରରୁ ଚୋରି କରି ହବିବନଗରର ମିର ଅରଫାନ ନାମକ ବ୍ୟକ୍ତିଙ୍କୁ ବିକ୍ରି କରୁଥିଲା। ଏହାପରେ ପୋଲିସ ମିର ଅରଫାନକୁ ଉଠାଇ ଆଣିଥିଲା। ତାଙ୍କ ପାଖରୁ ବହୁ ପରିମାଣର ପୂଜା ଉପକରଣ, କଂସା ବାସନ ଆଦି ଜବତ ହୋଇଛି। ଦୁହିଁଙ୍କୁ ଜେରା କରିବାରୁ ଧାମନଗର, ଭଣ୍ଡାରିପୋଖରୀ, ଯାଜପୁର ଟାଉନ, ବିଞ୍ଝାରପୁର ଓ ଅଳକୁଣ୍ଡ ଥାନା ଅଂଚଳର ମଠ ମନ୍ଦିରରୁ ଚୋରି କରିଥିବା ସୂଚନା ଦେଇଥିଲେ। ତଦନ୍ତ ପ୍ରକ୍ରିୟାରେ ଧାମନଗର ପୋଲିସ ଏହି ସବୁ ଥାନାକୁ ସୂଚନା ଦେଇଥିଲା। ତା ସହ କେନ୍ଦ୍ରାପଡ଼ା ଥାନାକୁ ମଧ୍ୟ ଜଣାଇଥିଲା। କେନ୍ଦ୍ରାପଡ଼ା ଥାନା ପୋଲିସର ସୂଚନାକୁ ଆଧାର କରି ଧାମନଗର ଥାନା ଆଇଆଇସି କହିଛନ୍ତି ଯେ, ମୁସ୍ତାକ ବିରୋଧରେ କେନ୍ଦ୍ରାପଡ଼ା ଥାନାରେ ଲୁଟ୍, ଡକାୟତି ଓ ହତ୍ୟା ଭଳି ସଂଗୀନ ଅପରାଧ ଥିବା ୨୦ ଟି ମାମଲା ରହିଛି। ଏହାପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ସେପଟେ ତାକୁ ରିମାଣ୍ଡରେ ନେବାକୁ ଯାଜପୁର ଟାଉନ, ବିଞ୍ଝାରପୁର ଓ ଅଳକୁଣ୍ଡ ଥାନା ପୋଲିସ କୋର୍ଟରେ ଆବେଦନ କରିଛନ୍ତି। ଏଇ ମାସେ ହେଲା ଧାମନଗର ଓ ଭଣ୍ଡାରିପୋଖରୀ ଥାନା ଅଂଚଳରେ ପ୍ରବଳ ଚୋରି ହେଉଥିଲା। ଚୋରମାନେ ମଠ, ମନ୍ଦିରକୁ ଟାର୍ଗେଟ କରୁଥିଲେ। ତେବେ ଏହି ଚୋରୀ ସମ୍ପର୍କ ରେ ଧାମନଗର ଥାନା ଅଧିକାରୀ ସାମ୍ବାଦିକ ସମ୍ମିଳନୀ ରେ ସୁଚନା ଦେଇ କହିଛନ୍ତି ଯେ ଆହୁରି ଅନେକ ଏଥିରେ ସାମିଲ ଅଛନ୍ତି ଖୁବ ଶିଘ୍ର ସେମାନଙ୍କୁ ଗିରଫ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ଅଳକୁଣ୍ଡ ଥାନା ଅଧିକାରୀ ଦେବାଶିଷ ଶତପଥୀ , ଏ ଏସ ଆଇ ବିଜୟ ମଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହୀ ଘଟଣା ରେ ଗୋଟିଏ ବାଇକି ଜବତ କରାଯାଇଛି।ସୂଚନା ଥାଉକି ଏହି ଘଟଣାରେ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ୫ ଜଣଙ୍କୁ ଗିରଫ କରାଯାଇଥିଲା।






