Home ଜିଲ୍ଲା ପରିକ୍ରମା ମଝି ରାସ୍ତାରୁ ଚଉଁରା ଉଠାଇବାକୁ ଦାବି ପ୍ରସଂଗ, ପ୍ରଶାସନର ଅବହେଳା ପାଇଁ ହୋଇପାରୁନି ଉଚ୍ଛେଦ

ମଝି ରାସ୍ତାରୁ ଚଉଁରା ଉଠାଇବାକୁ ଦାବି ପ୍ରସଂଗ, ପ୍ରଶାସନର ଅବହେଳା ପାଇଁ ହୋଇପାରୁନି ଉଚ୍ଛେଦ

35

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଚାନ୍ଦବାଲି ରାସ୍ତାରୁ ସାନ୍ତରାପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ମଝି ରାସ୍ତାରେ ଥିବା ପୁରୁଣା ଚଉଁରା ପ୍ରଶାସନ ଅବହେଳାରୁ ଉଚ୍ଛେଦ ହୋଇପାରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଚଉଁରାକୁ ଉଚ୍ଛେଦ କରିବାକୁ ଅଚକ ପଞ୍ଚାୟତ ସରପଞ୍ଚ ପ୍ରେମଲତା ବିଶ୍ୱାଳଙ୍କ ସମେତ ଗଣେଶ ପ୍ରସାଦ ବିଶ୍ୱାଳ, ଅକ୍ଷୟ କୁମାର ମଲିକ, ପ୍ରଶାନ୍ତ ସାହାଣୀ, ବୀରେନ୍ଦ୍ର ମଲିକ, ସୁରେଶ ମଳିକ, ଚିନ୍ତାମଣି ମଳିକ, ରବିନ୍ଦ୍ର ଦଳେଇ, ଗୌରାଙ୍ଗ ସାହାଣୀ, ଅମର ସାହାଣୀ, ଭଗବାନ ସେଠୀ, ରବିନ୍ଦ୍ର ସାମଲ, ସୁଶାନ୍ତ ସାମଲ ପ୍ରମୁଖ ଗ୍ରାମବାସୀ ଉପଜିଲାପାଳଙ୍କ ନିକଟରେ ଦାବି କରିଥିଲେ । ଏହି ଦାବିପତ୍ର ପାଇବା ପରେ ଉପଜିଲାପାଳ ମନୋଜ କୁମାର ପାତ୍ର ଯଥା ସମ୍ଭବ ତୁରନ୍ତ ଚଉଁରାକୁ ଉଚ୍ଛେଦ କରିବାକୁ ତିହିଡ଼ି ତହସିଲଦାର ପ୍ରତୀକ ସାହୁଙ୍କୁ ଗତ ଜୁଲାଇ ୧୪ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ବଜାର ଠାରୁ ସାନ୍ତରାପୁର ପର୍ଯ୍ୟନ୍ତ ଦୀର୍ଘ ୭କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଛି । ଫଳରେ ଏହି ରାସ୍ତାରେ ଅଚକ, ମହରମପୁର, ପାଳିଆବିନ୍ଧା, ସୟା ଆଦି ୪ଟି ପଞ୍ଚାୟତର ହଜାର ହଜାର ଜନସାଧାରଣ ଓ ଯାନବାହାନ ଚଳାଚଳ କରିଆସୁଛି । ମାତ୍ର ରାସ୍ତାର ୨କି.ମି. ପରେ ମହରମପୁର ଗ୍ରାମପଞ୍ଚାୟତର ତରାଶୁଣି ପଡ଼ାଗ୍ରାମ ଶେଷରେ ଏକ ୯୦ଡିଗ୍ରୀ ବାଙ୍କ ସ୍ଥାନରେ ଡାହାଣପଟ ରାସ୍ତା ଉପରେ ଏକ ପୁରୁଣା ତୁଳସୀ ଚଉଁରା ରହି ଯାତାୟତରେ ବାଧା ସୃଷ୍ଟି କରୁଛି । ଯାହାଫଳରେ ଜନସାଧାରଣ ଯାନବାହାନ ନେଇ ଯିବା ଆସିବା କରିପାରୁ ନାହାନ୍ତି । ଏଥି ସହିତ ଜରୁରୀକାଳୀନ ଗାଡ଼ି ମଧ୍ୟ ଯିବାରେ ବାଧା ସୃଷ୍ଟି ହେଉଛି । ଏ ସମ୍ପର୍କରେ ତହସିଲଦାର ପ୍ରତୀକ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏପ୍ରିଲ ୫ତାରିଖରେ ଚଉଁରା ଉଚ୍ଛେଦ ପାଇଁ ପୁଲିସ ସହାୟତା ପାଇଁ ଏସପିଙ୍କୁ ଜଣାଇଥିଲେ । ମାତ୍ର ନିର୍ଦ୍ଦିଷ୍ଟ ଦିନରେ ପୁଲିସ ସହାୟତା ନମିଳିବାରୁ ଉଚ୍ଛେଦ ହୋଇପାରିଲା ନାହିଁ । ପୁଲିସ ସହାୟତା ମିଳିଲେ ଉଚ୍ଛେଦ ତାରିଖ ଧାର୍ଯ୍ୟ କରାଯାଇ ଚଉଁରା ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.