Home ଜିଲ୍ଲା ପରିକ୍ରମା ମଙ୍ଗଳପୁର ସର୍ବପୁରାତନ ହରିନାମ ଯଜ୍ଞ କୀର୍ତନ ମଣ୍ଡପର ଉନ୍ନତିକରଣ ଦାବି, ଜିଲାପାଳଙ୍କ ଜରିଆରେ ଉଚ୍ଚଶିକ୍ଷା ଓ...

ମଙ୍ଗଳପୁର ସର୍ବପୁରାତନ ହରିନାମ ଯଜ୍ଞ କୀର୍ତନ ମଣ୍ଡପର ଉନ୍ନତିକରଣ ଦାବି, ଜିଲାପାଳଙ୍କ ଜରିଆରେ ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ସ୍ମାରକପତ୍ର

38

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନତାର ପୂର୍ବବର୍ତୀ ୧୯୩୫ ମସିହାରେ ସ୍ଥାପିତ ଏହି ଜିଲାର ଧାମନଗର ବ୍ଲକ୍ ଖପରପଦା ଗ୍ରାମପଂଚାୟତର ଲୁଣିଆ ରାଜସ୍ୱ ଗ୍ରାମ ସାମିଲ ମଙ୍ଗଳପୁରରେ ଥିବା ସର୍ବ ପୁରାତନ ହରିନାମ ଯଜ୍ଞ କୀର୍ତନ ମଣ୍ଡପ ର ଉନ୍ନତିକରଣ ନିମନ୍ତେ ଓଡ଼ିଶା ସରକାର ସଂସ୍କୃତି ବିଭାଗରୁ ଅନୁଦାନ ଅର୍ଥର ସହାୟତା ନିମନ୍ତେ ଆଜି ସ୍ଥାନୀୟ ଗ୍ରାମବାସୀମାନେ ଜିଲାପାଳଙ୍କ ଜରିଆରେ ଉଚ୍ଚଶିକ୍ଷା, କ୍ରୀଡା, ଯୁବ ବ୍ୟାପାର ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ନିତାଇ ଗୌର କୀର୍ତନ କମିଟିର ସଦସ୍ୟଙ୍କ ମଧ୍ୟରେ ସଭାପତି ନିରଞ୍ଜନ ମଳିକ, ସଂପାଦକ ଲକ୍ଷ୍ମୀଧର ପଣ୍ଡାଙ୍କ ନେତୃତ୍ୱରେ ବହୁ ଗ୍ରାମବାସୀ ଜିଲାପାଳ ଦିଲ୍ଲୀପ ରାଉତରାୟଙ୍କୁ ଭେଟି ଦେଇଥିବା ପତ୍ର ମୂଳେ ଉପରୋକ୍ତ କୀର୍ତନ ମଣ୍ଡପଟି ସ୍ୱାଧୀନତାର ବହୁ ପୂର୍ବରୁ ଲୁଣିଆ ଗୁଳିକାଣ୍ଡର ସହୀଦ ସ୍ମୃତିସ୍ତମ୍ଭ ରାସ୍ତାପାଶ୍ୱର୍ କପାଳୀ ନଦୀକୂଳରେ ୧୯୩୫ ମସିହାରୁ ସ୍ଥାପିତ ହୋଇଛି। ପ୍ରତିବର୍ଷ ନାବପୂଜା, ଚୈତ୍ର ପୂର୍ଣ୍ଣିମା ତିଥିରେ ଏଠାରେ ଅହୋରାତ୍ର ଅଖଣ୍ଡ ନାମଯଜ୍ଞ ଯଥା ରୀତିନୀତି ଅନୁସାରେ ପାଳିତ ହୋଇଥାଏ। ସେତେବେଳେ ଏହି ମଣ୍ଡପଟିକୁ ପୂର୍ବ ପୁରୁଷମାନେ ସୁନ୍ଦର କାରୁକାର୍ଯ୍ୟ କାଠ ନିର୍ମିତ ଚାଳଛପର ଘରେ ନିର୍ମାଣ କରାଇଥିଲେ। କିନ୍ତୁ ଗତ ୧୯୯୯ ମହାବାତ୍ୟାରେ ଏହି ମଣ୍ଡପଟି ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା। ଫଳରେ ଦୀର୍ଘ କିଛିବର୍ଷ ଧରି ଗ୍ରାମବାସୀମାନେ ମୁକ୍ତାକାଶ ତଳେ ଅସ୍ଥାୟୀ ତମ୍ବୁ ପକାଇ ଏହା ପାଳନ କରିଆସୁଥିଲେ। ପରବର୍ତୀ ସମୟରେ ଗ୍ରାମବାସୀଙ୍କ ସର୍ବସମ୍ମତି କ୍ରମେ ପୂର୍ବତନ ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ନିକଟରୁ ତାଙ୍କ ସାଂସଦ ପାଣ୍ଠି ଅନୁଦାନ ଅର୍ଥରେ କୀର୍ତନ ମଣ୍ଡପଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଅର୍ଥାଭାବରୁ ଭିତର ପାଶ୍ୱର୍ ଅଧୁରା ରହିଗଲା। ଏବଂ କାଠ ନିର୍ମିତ ରୋଷେଶାଳା ଓ ଭଣ୍ଡାର ଘର ସମୟ କ୍ରମେ ଭାଂଗିରୁଜି ଲୋପ ପାଇଗଲା। ଫଳରେ ପ୍ରତିବର୍ଷ ଏହି ନାମଯଜ୍ଞର ବାର୍ଷିକ ଉତ୍ସବଟି ଅସ୍ଥାୟୀ ତମ୍ବୁରେ ସମାପନ ହୋଇଆସୁଅଛି। ଏହି ମଣ୍ଡପଟି କପାଳୀ ନଦୀକୂଳ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଅବସ୍ଥାପିତ ହୋଇଥିବାରୁ କେବଳ ଭଦ୍ରକ ଜିଲା ନୁହେଁ ଅନ୍ୟ ଜିଲାର କୀର୍ତନ ମଣ୍ଡଳୀଙ୍କୁ ଆମନ୍ତ୍ରିତ କରାଯାଇଥାଏ। ଏବଂ ଆଖପାଖ ବହୁ ପଂଚାୟତର ହରିଭକ୍ତମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥାନ୍ତି। କିନ୍ତୁ ସପ୍ତାହବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ନାମଯଜ୍ଞ ଉତ୍ସବ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାତ୍ରା ରଂଗମଂଚ ଦ୍ୱାରା ଶେଷ ହୋଇଥାଏ। କିନ୍ତୁ ବହୁ ସମୟରେ ଆକସ୍ମିକ କାଳ ବୈଶାଖୀ ଓ ଝଡତୋଫାନ ଭଳି ଆକସ୍ମିକ ଦୈବ ଦୁର୍ଘଟଣା ଯୋଗୁଁ ଅସ୍ଥାୟୀ ତମ୍ବୁ ଗୁଡିକ ପବନ ଦ୍ୱାରା କ୍ଷତିଗ୍ରସ୍ତ ହୋଇ ଉତ୍ସବରେ ବାଧା ସୃଷ୍ଟି କରିଆସୁଛି। ଏଣୁ ଏହି ସର୍ବ ପୁରାତନ ମଣ୍ଡପଟିର ଅସଂପୂର୍ଣ୍ଣ ଅଧୁରା କାର୍ଯ୍ୟ ସହ ଏହାର ଚତୁଃପାଶ୍ୱର୍ରେ ପାଚେରୀ ନିର୍ମାଣ, ଦୁଇଗୋଟି ଗେଟ୍ ସହିତ ଉତର ପାଶ୍ୱର୍ରେ ଦୁଇଟି ମୁଖ୍ୟ ତୋରଣ, ସବୁଜ ପରିବେଶ ପାଇଁ ପଡିଆର ଚତୁଃପାଶ୍ୱର୍ରେ ବୃକ୍ଷରୋପଣର ଆବଶ୍ୟକତା ରହିଛି। ବିଶେଷକରି ଏହାର ରୋଷଶାଳା, ଭଣ୍ଡାର ଘର ଓ ସ୍ଥାୟୀ ପ୍ରସାଦ ସେବନ ମଣ୍ଡପର ଆବଶ୍ୟକତାକୁ ଲକ୍ଷ୍ୟ ରଖି ରାଜ୍ୟର ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ଥିବାରୁ ଉପରୋକ୍ତ ଅଧୁରା କାର୍ଯ୍ୟଗୁଡିକୁ ସଂପୂର୍ଣ୍ଣ କରିବା ପାଇଁ ଆବଶ୍ୟକୀୟ ଅର୍ଥ ମଂଜୁର କରିବା ନିମନ୍ତେ କୀର୍ତନ ମଣ୍ଡଳୀ ଓ ଗ୍ରାମବାସୀମାନେ ଦାବି କରିଛନ୍ତି। ଏବଂ ଏହାର ଏକକିତା ନକଲ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ, ପର୍ଯ୍ୟଟନ ବିଭାଗ ମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଠାରୁ ଆରମ୍ଭ କରି ଜିଲାପାଳ ଓ ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରେରଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.