ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତ ଅଧୀନ ଈଶ୍ୱରପୁରସ୍ଥିତ ପ୍ରସିଦ୍ଧ ମା ଦପାନାୟକାଣୀ ପୀଠ ମକର ସଂକ୍ରାନ୍ତୀ ଉପଲକ୍ଷେ ଉତ୍ସବ ମୁଖର ହୋଇଛି। ମା’ଙ୍କ ମହିିମାରେ ଶ୍ରଦ୍ଧାଳୁ ଭକ୍ତମାନେ ମନ୍ଦିର ବେଢ଼ାରେ ଭୋଗ କରିବା ସହିତ ଦୀପ ଲଗାଇଥିଲେ। ଏଥିସହ ମାନସିକ ରଖିଥିବା ମାଟି ଘୋଡ଼ା ଓ କୁକୁଡ଼ା ମା’ଙ୍କୁ ପ୍ରଦାନ କରିଥିଲେ। ମନ୍ଦିର ବେଢ଼ାରେ ଦୀପ ଓ ମାଟି ଘୋଡ଼ା ମା’ଙ୍କ ମହିମାକୁ ପ୍ରମାଣିତ କରିଛି। ଶ୍ରଦ୍ଧାଳୁ ଭକ୍ତମାନେ ଆସି ମା’ଙ୍କୁ ଦର୍ଶନ କରି ମାନସିକ ପୂରଣ କରିଛନ୍ତି। ଚଳିତବର୍ଷ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମା’ଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଛନ୍ତି। ଏଥି ସହ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମିଛି ଯାହାକୁ ନଦେଖିଲେ କେହି କେବେ ବିଶ୍ୱାସ କରିପାରିବ ନାହିଁ। ମା’ଙ୍କ ନିକଟରେ ଶ୍ରଦ୍ଧାଳୁମାନେ ମାନସିକ ରଖିଥିବା କୁକୁଡ଼ା ଓ ବୋଦା ଭୋଗ ଲଗାନ୍ତି ଯାହାକୁ ଭକ୍ତମାନେ ପରବର୍ତୀ ସମୟରେ ଭୋଗ ଭାବେ ଭାବି ନିଲାମ କରି ଭକ୍ତିର ସହିତ ଘରକୁ ନେଇ ଖାଇଥାନ୍ତି। ଏହି ପରମ୍ପରାଟି ସ୍ଥାନୀୟ ଅଂଚଳରେ ଏକ ନିଆରା ପରମ୍ପରା ବୋଲି କୁହାଯାଇଛି। ଏଥିସହ ବିନା ଚୁଲିରେ ମା’ଙ୍କୁ ପ୍ରସାଦ ପ୍ରସ୍ତୁତ ହେବା ମା’ଙ୍କର ଏକ ଅଲୌକିକ ମହିମାନକୁ ପ୍ରତିପାଦିତ କରେ। ମା’ ଦପାନାୟକାଣୀ ପୀଠରେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ଓ ଶ୍ରଦ୍ଧାଳୁମାନଙ୍କ ସହାୟତା ପାଇଁ ଈଶ୍ୱରପୁର ହାଇସ୍କୁଲର ସ୍କାଉଟ ଗାଇଡ ଛାତ୍ରଛାତ୍ରୀମାନେ ନିୟୋଜିତ ହୋଇଥିଲେ। ପୀରହାଟ ଥାନା ଅଧିକାରୀ ଅଜୟ କୁମାର ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋଲିସ ମୁତୟନ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ପଦକ୍ଷେପ ନିଆଯାଇଛି। ମା’ଙ୍କ ପୂଜା କମିଟିର ସଭାପତି ମୂରଲୀଧର ମଳିକ, ସଂପାଦକ ଶରତ ଚନ୍ଦ୍ର ଦାସ, ସରପଂଚ ପବିତ୍ର ମୋହନ ମଳିକ, କୋଷାଧ୍ୟକ୍ଷ ଶ୍ରୀଧର ମଲିକ, ସଂଜୟ ଦାସ, ବିକାଶ ଦାସ, ଦୀନବନ୍ଧୁ ମଲିକ, ଅଜୟ ମଲିକ, ବିକାଶ ମଲିକ ପ୍ରମୁଖଙ୍କ ସମେତ ଈଶ୍ୱରପୁର ଗ୍ରାମବାସୀ ମା’ଙ୍କ ପୂଜାରେ ସହଯୋଗ କରିଥିଲେ। ମା’ଙ୍କ ପୀଠରେ ଏହି ପର୍ବ ମକର ସଂକ୍ରାନ୍ତୀ ୧୪ ତାରିଖ ଠାରୁ ଆରମ୍ଭ ହୋଇ ୧୭ ତାରିଖରେ ଶେଷ ହେବାକୁ ଥିବା ବେଳେ ଏହି ୪ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟର ସମ୍ପାଦକ ସୂଚନା ଦେଇଛନ୍ତି।
Home ଜିଲ୍ଲା ପରିକ୍ରମା ମକର ସଂକ୍ରାନ୍ତୀରେ ମା’ ଦପାନାୟକାଣୀ ପୀଠ ଉତ୍ସବମୁଖର, ମା’ଙ୍କୁ ଦର୍ଶନ କଲେ ସଂସ୍କୃତି ମନ୍ତ୍ରୀ