ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ଗଣପର୍ବ ଭାବେ ମକରମେଳା ପାଳିତ ହୋଇ ଆସୁଥିବା ବେଳେ ଏହି ଗଣପର୍ବ ସମୟରେ ଧାମରା ବଜାର ଠାରେ ଥିବା ମଦ ଦୋକାନକୁ ବନ୍ଦ କରିବାକୁ ମହିଳାମାନେ ଅଂଟା ଭିଡିଛନ୍ତି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସାଗରବେଳା ମହିଳା ମହାସଂଘର କର୍ମକର୍ତା। ସୂଚନା ଅନୁଯାଇ ଏହି ଗଣପର୍ବ ଜାନୁଆରୀ ୧୪ ତାରିଖ ଠାରୁ ଆରମ୍ଭ ହୋଇ ଜାନୁଆରୀ ୨୫ତାରିଖ ପର୍ଯ୍ୟନ୍ତ ଚାଲିଥାଏ। ଏହି ସମୟରେ ଧାମରାର ଅଧିଷ୍ଠାତ୍ରୀ ଦେବୀ ମା ଧାମରାଇ ଙ୍କ ମକରମେଳା ପଡିଆ ଏବଂ ଧାମରା ମତ୍ସ୍ୟପୋତାଶ୍ରୟ ଠାରେ ଗଙ୍ଗାମାତାଙ୍କ ପୂଜାର୍ଚନା କରାଯାଉଥିବା ବେଳେ ଏହି ମେଳା ସମୟରେ ଓଡିଶା ସମେତ ପଶ୍ଚିମବଙ୍ଗ ଅଂଚଳରୁ ଶତାଧିକ ବ୍ୟବସାୟୀ ମାନେ ଆସି ଏହି ମେଳା ତଥା ଗଣପର୍ବରେ ଅଂଶ ଗ୍ରହଣ କରିବା ସହ ନିଜ ନିଜର ବ୍ୟବସାୟ ମାନ କରିବା ସହ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ଏହିକିଯେ ଧାମରା ବସଷ୍ଟାଣ୍ଡ ନିକଟରେ ରହୁଥିବା ମଦ ଦୋକାନ ଖୋଲା ରହୁଥିବାରୁ ପ୍ରତିବର୍ଷ ବହୁ ଯାତ୍ରୀ ଏବଂ ଅଂଚଳବାସୀ ଏହି ସ୍ଥାନରେ ମଦ୍ୟପ ମାନଙ୍କର ଦୌରାତ୍ମ୍ୟରେ ଶିକାର ହୋଇ ଆସୁଛନ୍ତି। ଫଳରେ ଅଂଚଳର ମର୍ଯ୍ୟାଦାହାନୀ ହେବା ସହ ମଦ୍ୟପ ମାନଙ୍କର ଦ୍ୱାରା ବିଭିନ୍ନ ଅଶାଳୀନ ମନ୍ତବ୍ୟ ଏବଂ ଅନୈତିକ କାର୍ଯ୍ୟ ବଢି ବଢି ଚାଲୁଛି। ଏଣୁ ସାଗରବେଳା ମହିଳା ମହାସଂଘ ପକ୍ଷରୁ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା କର୍ମକର୍ତା ଆସନ୍ତା ୨୦୨୬ ମସିହା ଜାନୁଆରୀ ୧୪ ତାରିଖ ଠାରୁ ଜାନୁଆରୀ ୨୫ତାରିଖ ପର୍ଯ୍ୟନ୍ତ ଧାମରା ବସଷ୍ଟାଣ୍ଡରେ ଥିବା ମଦ ଦୋକାନ ଗୁଡିକୁ ବନ୍ଦ ରଖିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ, ଅବକାରୀ ମନ୍ତ୍ରୀ, ଭଦ୍ରକ ଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ଲିଖିତ ଭାବେ ଜଣାଇଛନ୍ତି। ଏହି ବିଷୟରେ ଦୃଷ୍ଟି ଦେବା ସହ ଗଣପର୍ବ ତଥା ମକରମେଳା ସମୟରେ ଧାମରା ବସଷ୍ଟାଣ୍ଡ ଠାରେ ଥିବା ମଦ ଦୋକାନ ବନ୍ଦ କରା ନଗଲେ ସାଗରବେଳା ମହିଳା ମହାସଂଘ ସାଧାରଣ ଜନତା ଏବଂ ଅଂଚଳର ମର୍ଯ୍ୟାଦା ଏବଂ ସମ୍ମାନକୁ ଅକ୍ଷୁର୍ଣ ରଖିବା ଏବଂ ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ଆଜି ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସଂପାଦିକା ଅଙ୍କିତା ଦାସ, ମଧୁସ୍ମିତା ଗିରି, ସୁମିତ୍ରା ସିଂ, ଶ୍ରାବଣୀ ଜେନା, ମନତୀ ଭୋଇ, ସବିତା ମାଝୀ, ଉଷାରାଣୀ ଦାସ, ସୁଲୋଚନା ଦାସ, ଅନୁସୟା ନାୟକ, ରତିପ୍ରଭା ଜେନା, ପ୍ରତିମା ମଣ୍ଡଳ, ଅନୁସୟା ଗୁଡିଆ, ରୀନାରାଣୀ ପାତ୍ର, ରାଧାରାଣୀ ଜେନା, ଭାନୁମତୀ ଦାସ,ସବିତା ଦାସଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ।








