Home ଜିଲ୍ଲା ପରିକ୍ରମା ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ ସଚେତନତା ଅଭିଯାନ, ପଥ ଉତ୍ସବରେ ଝଲସିଲା ବ୍ୟାଣ୍ଡ, ନୃତ୍ୟ, ରଙ୍ଗୋଲି...

ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ ସଚେତନତା ଅଭିଯାନ, ପଥ ଉତ୍ସବରେ ଝଲସିଲା ବ୍ୟାଣ୍ଡ, ନୃତ୍ୟ, ରଙ୍ଗୋଲି ଓ ଆକର୍ଷଣୀୟ ପଦଯାତ୍ରା

10

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଓ ମାର୍ଗଦର୍ଶିକା ଅନୁଯାୟୀ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଭୋଟରମାନଙ୍କ ସଚେତନତା ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସଦର ମହକୁମାରେ ରଙ୍ଗାରଙ୍ଗ ଆକର୍ଷଣୀୟ ପଥୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ପଦଯାତ୍ରା ବାହାରି ଶହୀଦ୍ ସ୍ମୃତି ଭବନ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ । ବ୍ୟାଣ୍ଡ ବାଦନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଭୋଟର ସଚେତନତା ବାର୍ତା ସମ୍ବଳିତ ପ୍ଲାକାର୍ଡ଼ ଓ ବ୍ୟାନର ପ୍ରଦର୍ଶନ, ଡ଼ାକବାଜି ଯନ୍ତ୍ର ଦ୍ୱାରା ସ୍ଲୋଗାନ ପରିବେଷେଣ ସମ୍ବଳିତ ଆକର୍ଷଣୀୟ ପଦଯାତ୍ରାକୁ ଜିଲ୍ଲାପାଳ ଦିଲୀପ ରାଉତରାଏ ପତାକା ପ୍ରଦର୍ଶନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶାନ୍ତୁନୁ କୁମାର ମହାନ୍ତି, ସି.ଡ଼ି.ଓ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ, ସହକାରୀ ଜିଲ୍ଲାପାଳ, ନିର୍ବାଚନ ସାଗରିକା ସାହୁ ପ୍ରମୁଖ ଏହି ପଦଯାତ୍ରାରେ ସାମିଲ ଥିଲେ । ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍କାଉଟ୍‌, ଗାଇଡ଼୍‌, ଏନ୍‌.ସି.ସି.ପିଲା, ଏସ୍‌.ଏଚ୍‌.ଜି ମହିଳା, ଖେଳାଳୀ, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଏହି ପଦଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ପଦଯାତ୍ରା ପରିକ୍ରମାର ଅନ୍ତିମ ସ୍ଥାନରେ ଭୋଟର ସଚେତନତା ନେଇ ଆର୍ଟ କଲେଜ ଭଦ୍ରକର ଅଧ୍ୟକ୍ଷ ମନୋଜ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ଅନୁଷ୍ଠାନର ପିଲମାନଙ୍କ ଦ୍ୱାରା ସୁନ୍ଦର ରଙ୍ଗୋଲି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଉଦ୍‌ଘାଟନ କରିଥିଲେ । ଦସ୍ତଖତ ଅଭିଯାନରେ ସମସ୍ତ ଅତିଥି ଓ ଅଂଶ ଗ୍ରହଣକାରୀମାନେ ବାର୍ତା ପ୍ରଦାନ ସହ ସ୍ୱାକ୍ଷର କରିଥିଲେ । ସେଲଫି ପଏଣ୍ଟରେ ଆଗ୍ରହର ସହିତ ସମସ୍ତେ ଫଟୋ ଉଠଇବାର ଦେଖାଯାଇଥିଲା । ପଥ ଉତ୍ସବର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଶହିଦ୍ ସ୍ମୃତି ଭବନରେ ଏକ ସଚେତନତା ଧର୍ମୀ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଏବଂ ଅନ୍ୟତମ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ, ଅତିରିକ୍ତ ଉପଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇ ନୂଆ ଭୋଟର ହେବା , ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କରିବା ପ୍ରକିୟା ସମ୍ବନ୍ଧରେ ବକ୍ତବ୍ୟ ରଖିବା ସହ ପ୍ରତିଟି ଭୋଟ କେତେ ମୂଲ୍ୟବାନ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସହକାରୀ ଜିଲ୍ଲାପାଳ ସାଗାରିକା ସାହୁ ମଂଚ ପରିଚାଳନା କରିଥିଲେ । ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମନୋଜ କୁମାର ସାହୁ, କ୍ୱିଜ୍ ପ୍ରତିଯୋଗିତା ଓ ମଂଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରାଂଚି ଠାରେ ଅନୁଷ୍ଠିତ ପୂର୍ବାଂଚଳ ଟେନିକୋଏଟ୍ ପ୍ରତିଯୋଗିତାର ରୌପ୍ୟ ବିଜେତା ନାରାୟଣ ବେହେରା, ଆନ୍ଧ୍ର ପ୍ରଦେଶର ପଲାସା ଠାରେ ଅନୁଷ୍ଠିତ ବରିଷ୍ଠ ଜାତୀୟ ଟେନିକୋଏଟ୍ ଚାମ୍ପିୟନସିପ୍‌ରେ ବ୍ରୋଞ୍ଜ ବିଜେତା ରାଜେଶ କୁମାର ନାୟକ, ମହିଳା କ୍ରିକେଟ୍ ଖେଳାଳୀ ଭାଗ୍ୟଶ୍ରୀ ରାଉତ, ଲଙ୍ଗଜମ୍ପ ଏବଂ ଟ୍ରିପିଲ୍ ଜମ୍ପ ଖେଳାଳୀ ବିନୟ କୁମାର ନାୟକଙ୍କୁ ପ୍ରଶାସନ ତରଫରୁ ସମ୍ବଦ୍ଧିର୍ତ କରାଯାଇଥିଲା । ଅକ୍ଟୋବର ୨୯ ରୁ ଆରମ୍ଭ ହେଉଥିବା ଏହି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଗାମୀ ନଭେମ୍ବର ୨୮ ପର୍ଯ୍ୟନ୍ତ ଜାରି ରହିବ ଏବଂ ଡିସେମ୍ବର ୨୪ ସୁଦ୍ଧା ସମସ୍ତ ଆପତି ଅଭିଯୋଗର ଶୁଣାଣି କରାଯାଇ ୧ ଜାନୁୟାରୀ ୨୦୨୫ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ ଓ ତଦାରଖ କରାଯାଇ ଆୟୋଗଙ୍କ ଅନୁମତି କ୍ରମେ ୬ ଜାନୁୟାରୀ ୨୦୨୫ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.