Home ଜିଲ୍ଲା ପରିକ୍ରମା ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ, ରାଜନୈତିକ ଦଳଙ୍କୁ ନେଇ ସଚେତନତା ବୈଠକ

ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ, ରାଜନୈତିକ ଦଳଙ୍କୁ ନେଇ ସଚେତନତା ବୈଠକ

22

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମତେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଅଗଷ୍ଟ ୨୦ ତାରିଖରୁ ଆରମ୍ଭ ହୋଇଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟସୂଚୀ ସମ୍ବନ୍ଧରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଡେପୁଟୀ କଲ୍ଲେକ୍ଟର ନିର୍ବାଚନ ସାଗରିକା ସାହୁ ପ୍ରମୁଖ ଯୋଗଦେଇ ଭୋଟର ତାଲିକା ସଂଶୋଧନର କାର୍ଯ୍ୟସୂଚୀ, ପ୍ରଣାଳୀ, ରାଜନୈତିକ ଦଳର ଜନପ୍ରତିନିଧି, କର୍ମୀ, ବୁଥ ଏଜେଣ୍ଟ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ । ସୂଚନା ଯୋଗ୍ୟକି ଏହି କାର୍ଯ୍ୟପାଇଁ ଗୁରୁ ଦାୟିତ୍ୱ ନିର୍ବାହ କରିବାକୁ ଥିବା ସମସ୍ତ ବି.ଏଲ୍‌.ଓ ମାନଙ୍କୁ ବ୍ଲକ୍ ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ କରାଯାଇଛି । ତା. ୧୮.୧୦.୨୦୨୪ ରିଖ ପର୍ଯ୍ୟନ୍ତ ସେମାନେ ଘରକୁ ଘର ବୁଲି ଆପ୍ ଜରିଆରେ ତନଖି କରି ସଂଶୋଧନ କାର୍ଯ୍ୟ କରିବେ । ତାଲିକାଭୁକ୍ତ ହେବାକୁ ଥିବା ନୂଆ ଭୋଟର ଏବଂ ସ୍ଥାନାନ୍ତର, ମୃତ୍ୟୁ, ଅନୁପସ୍ଥିତ ଆଦି କ୍ଷେତ୍ରରେ ବାଦ୍ ହେବାକୁ ଥିବା ନାମ, ଭୋଟରଙ୍କ ନାମ ଠିକଣା ସଂଶୋଧନ, ସଠିକ୍ ଦୃଶ୍ୟମାନ ହେଉନଥିବା ଫଟୋ ସ୍ଥାନରେ ଉତମ ମାନର ଫଟୋ ସ୍ଥାନିତ କରାଯିବା ଆଦି ସଂକ୍ରାନ୍ତରେ ବି.ଏଲ.ଓ. ମାନେ ଘରକୁ ଘର ବୁଲି ଅନ୍‌ଲାଇନ୍ ଓ ଅଫଲାଇନ୍‌ରେ ପରିବାର ମୁଖ୍ୟଙ୍କ ଦସ୍ତଖତ ସହ ଉଦ୍ଦିଷ୍ଟ ଫର୍ମାଟରେ ଦାଖଲ କରିବା ପରେ ତଦନ୍ତ କରାଯାଇ ଚିଠା ପ୍ରସ୍ତୁତ କରାଯିବା ନେଇ ଥିବା ବିଧି ବ୍ୟବସ୍ଥା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଅତ୍ୟଧିକ ଭୋଟର ସଂଖ୍ୟା ଥିଲେ, ଅଧିକ ଦୂରତା ବିଶିଷ୍ଟ ଥିଲେ ପୃଥକ ବୁଥ ପାଇଁ ପ୍ରସ୍ତାବ, ବୁଥ୍ ଅନ୍ତର୍ଗତ ଭାଗ, ଅନୁଭାଗରେ ନୂଆ ସାହି, ପଡ଼ା ଯୁକ୍ତ କରାଯିବା ନେଇ ମଧ୍ୟ ଥିବା ବ୍ୟବସ୍ଥା ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟରେ ଆପତି, ଅଭିଯୋଗ ପାଇଁ ସ୍ୱତନ୍ତ୍ର ଅଭିଯାନ ଦିବସ ଭଦ୍ରକ ଜିଲ୍ଲାରେ ୨.୧୧.୨୦୨୪, ୧୦.୧୧.୨୦୨୪, ୧୬.୧୧.୨୦୨୪ ଓ ୨୪.୧୧.୨୦୨୪ ରେ ଥିବା ସରକାରୀ ଛୁଟି ଦିବସରେ ବି.ଏଲ୍‌.ଓ ମାନେ ସକାଳ ୧୦ଟାରୁ ଅପରାହ୍ନ ୫ଟା ଯାଏ ବୁଥ୍ ଖୋଲାରଖି ନିଜେ ଉପସ୍ଥିତ ରହିବେ । ତା. ୦୧.୦୧.୨୦୨୫ ରିଖକୁ ନୂଆ ଭୋଟର ଯୋଗ୍ୟତା ଆଧାର କରି ନୂଆ ଭୋଟର ତାଲିକାର୍ଭୁକ୍ତ ବର୍ଷକୁ ୪ଥର ଏହି ସୁଯୋଗ ପ୍ରଦାନ କରାଯାଇଛି । ଜାନୁୟାରୀ ୧, ଏପ୍ରିଲ-୧, ଜୁଲାଇ-୧ ଓ ଅକ୍ଟୋବର ୧ କୁ ୧୮ ବର୍ଷ ଛୁଉଁଥିବା ନାଗରିକ ମାନଙ୍କ ତାଲିକା ମଧ୍ୟ ପୃଥକ୍ ଭାବେ ବି.ଏଲ୍‌.ଓ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯିବ । ୧୯.୧୦.୨୦୨୪ ରୁ ୨୮.୧୦.୨୦୨୪ ମଧ୍ୟରେ ବି.ଏଲ.ଓ. ମାନଙ୍କ ଦ୍ୱାରା ୧ନଂ ରୁ ୮ନଂ ପର୍ଯ୍ୟନ୍ତ ଫର୍ମାଟ୍ ପୂରଣ କରାଯାଇ ତଥ୍ୟ ପ୍ରଦାନ କରାଯିବ । ୨୯.୧୦.୨୦୨୪ ରେ ଚିଠା ତାଲିକା ପ୍ରକାଶ କରାଯିବ । ୨୯.୧୦.୨୦୨୪ ରୁ ୨୮.୧୧.୨୦୨୪ ମଧ୍ୟରେ ଆପତି ଅଭିଯୋଗ ଦାଖଲ କରାଯାଇପାରିବ । ୨୪.୧୨.୨୦୨୪ ସୁଦ୍ଧା ସମସ୍ତ ଦାବୀ ଅଭିଯୋଗର ଫଏସଲା କରାଯିବ । ୦୧.୦୧.୨୦୨୫ ସୁଦ୍ଧା ଚୂଡ଼ାନ୍ତ ତ୍ରୁଟି ଶୂନ୍ୟ ଭୋଟର ତାଲିକା ତନଖି କରାଯାଇ ଚୂଡ଼ାନ୍ତ ପ୍ରକାଶନ ପାଇଁ ଆୟୋଗଙ୍କ ଅନୁମତି ନିଆଯାଇ ମୁଦ୍ରଣ କରାଯିବ ଏବଂ ୬.୧.୨୦୨୫ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ । ଭୋଟର ତାଲିକା ଯେତେ ତ୍ରୁଟିମୁକ୍ତ ବା ସୁସ୍ଥ ତାଲିକା ପ୍ରସ୍ତୁତ ହେବ ନିର୍ବାଚନ ସେତେ ସ୍ୱଚ୍ଛ ଓ ବିଶୃଙ୍ଖଳା ରହିତ ହେବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରି ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମ ସମ୍ବନ୍ଧରେ ଅଧିକରୁ ଅଧିକ ସଚେତନତା ପାଇଁ ବ୍ଲକ୍ ଓ ପଂଚାୟତ ସ୍ତରରେ ବୈଠକ, ବ୍ୟାନର ର ବ୍ୟବହାର ଆଦି ପାଇଁ ବୈଠକରେ ଉପସ୍ଥିତ ରାଜନୈତିକ ଦଳ ପ୍ରତିନିଧି ମାନେ ପ୍ରସ୍ତାବ ରଖିଥିଲେ । ସେହପରି ଏହି କାର୍ଯ୍ୟକ୍ରମର ସଠିକ୍ ରୂପାୟନ ପାଇଁ ରାଜନୈତିକ ଦଳ ତରଫରୁ ବୁଥ୍ ଏଜେଂଟ ନିଯୁକ୍ତ କରିବାକୁ ପ୍ରଶାସନ ତରଫରୁ ପ୍ରସ୍ତାବ ଦିଆଯାଇଥିଲା । ଶ୍ରୀମତୀ ସାହୁ ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗୀୟ କର୍ମଚାରୀ ନବୀନ ସେନାପତି, କୃଷ୍ଣଚନ୍ଦ୍ର ରାଉତ, ତାଜଉଦ୍ଦିନ୍ ପ୍ରମୁଖ ବୈଠକ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.