Home ଜିଲ୍ଲା ପରିକ୍ରମା ଭୂତ ଚଳାଉଛି ଫେସ୍‌ବୁକ୍‌, ମୃତ୍ୟୁର ୩ ବର୍ଷ ପରେ ଜିତେନ୍ଦ୍ରଙ୍କ ଆକାଉଂଟ ସକ୍ରୀୟ

ଭୂତ ଚଳାଉଛି ଫେସ୍‌ବୁକ୍‌, ମୃତ୍ୟୁର ୩ ବର୍ଷ ପରେ ଜିତେନ୍ଦ୍ରଙ୍କ ଆକାଉଂଟ ସକ୍ରୀୟ

25

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨୦୨୧ ମସିହା ଜୁଲାଇ ୬ ତାରିଖରୁ ନିଖୋଜ ଥିଲେ ଧାମନଗର ବ୍ଲକ୍ ଗଢିଆଳି ପଂଚାୟତ ଉଚ୍ଚପଦା ଗ୍ରାମର ବିଜୟ ସେନଙ୍କ ମଝିଆ ପୁତ୍ର ଜିତେନ୍ଦ୍ର । ଏ ସଂପର୍କରେ ପରିବାର ଲୋକେ ଧୁଷୁରୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ୪୪/୨୧ ରେ ଏକ ନିଖୋଜ ମାମଲା ରୁଜୁ କରିଥିଲା । କିନ୍ତୁ ସେତେବେଳେ ୩୧ ବର୍ଷ ଜିତେନ୍ଦ୍ରଙ୍କ ନିଖୋଜ ଘଟଣାକୁ ପୁଲିସ୍ ଗୁରୁତ୍ୱ ଦେଇନଥିଲା । ମୋବାଇଲ୍ ଟ୍ରାକିଂ ନାମରେ ତଦନ୍ତକୁ ଶୀଥିଳ କରିଥିଲା । ଫଳରେ ନିଖୋଜ ହେବାର ୧୦ଦିନ ପରେ ୧୬ ତାରିଖ ସନ୍ଧ୍ୟାରେ ଉଚ୍ଚପଦା-କାକୁଡିଗାଡିଆ ରାସ୍ତା ପାଶ୍ୱର୍ସ୍ଥ ଏକ ବୁଦା ମୂଳରୁ ନିଖୋଜ ଜିତେନ୍ଦ୍ରଙ୍କ ମୁଣ୍ଡବିହୀନ ଗଳିତ ଶବ ଓ ତାର ୨ଶହ ମିଟର ଦୂରରେ ମୁଣ୍ଡ ଜବତ ହୋଇଥିଲା । ସେତେବେଳେ ପୁଲିସ୍ ନିଖୋଜ ଘଟଣାକୁ ଗୁରୁତ୍ୱ ନଦେବାରୁ ଜିତେନ୍ଦ୍ରର ମୃତ୍ୟୁ ହେଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ । ପୁଲିସ୍ ଗଳିତ ଶବକୁ ପ୍ରଥମେ ଭଦ୍ରକ ଓ ପରେ କଟକକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ସାଇଂଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ ସହ କେଶ୍ ନଂ୧୬୪/୨୧ ରେ ଏକ ମାମଲା ରୁଜୁ କରିଥିଲା ଧୁଷୁରୀ ପୁଲିସ୍ । ଇତିମଧ୍ୟରେ ବର୍ଷ ପରେ ବର୍ଷ ବିତିଥିଲେ ମଧ୍ୟ ଜିତେନ୍ଦ୍ର ମୃତ୍ୟୁ ରହସ୍ୟ ଭେଦିପାରିନଥିଲା ପୁଲିସ୍ । ତାର ପରିବାର ଲୋକେ ବାରମ୍ବାର ନ୍ୟାୟ ପାଇଁ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍ ହାତ ଖାଲିଥିଲା । ଏବେ ଘଟଣାକୁ ୩ ବର୍ଷ ପୂରିଥିବାବେଳେ ମୃତ ଜିତେନ୍ଦ୍ର ଫେସବୁକ୍ ଷ୍ଟାଟସ୍‌ରେ ଏକ ଯୁବତୀଙ୍କ ଫଟୋ ଭାଇରାଲ ହୋଇଛି । ଯାହାଫଳରେ ଜିତେନ୍ଦ୍ରଙ୍କ ମୃତ୍ୟୁ ରହସ୍ୟ ଖୋଲିବା ନେଇ ପରିବାର ଲୋକଙ୍କ ମନରେ ନୂତନ ଆଶା ସଂଚାର ହୋଇଛି । କିନ୍ତୁ ଅନ୍ୟପଟେ ଏ ଘଟଣାରେ ତତ୍‌କାଳୀନ ତଦନ୍ତକାରୀ ଅଧିକାରୀଙ୍କୁ ଜିତେନ୍ଦ୍ରଙ୍କ ପରିବାର ଲୋକେ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ସେ ତାହା ଉଠାଉନାହାଁନ୍ତି । କିଛି ଲୋକଙ୍କ କହିବା ଅନୁସାରେ ମୃତ ଜିତେନ୍ଦ୍ରର ଫେସବୁକ୍ ଆଇଡି ଓ ପାସ୍‌ୱାର୍ଡ ଜାଣିଥିବା ଲୋକ ଏଭଳି କାର୍ଯ୍ୟ କରିପାରିଥାଏ ବୋଲି ସନ୍ଦେହ ପ୍ରକାଶ ପାଇଛି । ତେବେ ସେ ଲୋକ କିଏ? ମୃତ୍ୟୁର ୩ ବର୍ଷ ପରେ ଯିଏ ମୃତକଙ୍କ ଫେସବୁକ୍ ଚଲାଇ ଷ୍ଟାଟସ୍‌ରେ ଯୁବତୀଙ୍କ ଫଟୋ ଛାଡୁଛି । ଏଭଳି ଘଟଣା ଜିତେନ୍ଦ୍ରଙ୍କ ପରିବାର ବର୍ଗଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାକୁ ନେଇ ପୁଲିସ୍‌ର ଦୃଷ୍ଟି ଆକର୍ଷଣ କରିଛନ୍ତି ପରିବାର ଲୋକେ । ତେବେ ପୁଲିସ୍ କାର୍ଯ୍ୟକୁ ନେଇ ସନ୍ତୁଷ୍ଟ ନଥିବା ଜିତେନ୍ଦ୍ରଙ୍କ ପରିବାର ଏହି ଘଟଣାକୁ ନେଇ ଉଚ୍ଚ ପୁଲିସ୍ ଅଧିକାରୀଙ୍କୁ ଭେଟିବେ ବୋଲି ସୂଚନା ଦେଇଛନ୍ତି । ଚଳିତମାସ ୩ ଓ ୧୨ ତାରିଖ ଦିନ ମୃତ ଜିତେନ୍ଦ୍ରଙ୍କ ଫେସବୁକ୍ ଆକାଉଂଟ ସକ୍ରୀୟ ଥିବା ସମୟରେ କିଏ ପ୍ରକୃତରେ ଏହାକୁ ଚଳାଉଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.