Home Top News ଭୁବନେଶ୍ବର ଠାରେ ଜାତୀୟ ଖଣିଜ କଂଗ୍ରେସ ଏବଂ କୋଇଲା ବାଷ୍ପୀକରଣ କାରଖାନା ଗସ୍ତ ଆୟୋଜନ କରିବ...

ଭୁବନେଶ୍ବର ଠାରେ ଜାତୀୟ ଖଣିଜ କଂଗ୍ରେସ ଏବଂ କୋଇଲା ବାଷ୍ପୀକରଣ କାରଖାନା ଗସ୍ତ ଆୟୋଜନ କରିବ କୋଇଲା ମନ୍ତ୍ରଣାଳୟ

96

– କାର୍ଯ୍ୟକ୍ରମରେ ଯୋଗ ଦେବେ ୨୦ଟି ପ୍ରମୁଖ କମ୍ପାନୀର ଶିଳ୍ପ ବିଶେଷଜ୍ଞ
– ଆଲୁମିନିୟମ ଓ ଇସ୍ପାତ କ୍ଷେତ୍ର, କୋଇଲା ବାଷ୍ପୀକରଣ କ୍ଷେତ୍ରରେ ରହିଥିବା ସମସ୍ୟା ଏବଂ କୋଇଲାରୁ ହାଇଡ୍ରୋଜେନ ପାଇଁ ରୋଡମ୍ୟାପ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ

ନୂଆ ଦିଲୀ ୨୫-୫ (ଓଡ଼ିଆ ପୁଅ) କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୨୭ ଓ ୨୮ ତାରିଖରେ ଭୁବନେଶ୍ବର ଓ ଅନୁଗୁଳ ଠାରେ ଜାତୀୟ ଖଣିଜ କଂଗ୍ରେସ ଏବଂ କୋଇଲା ବାଷ୍ପୀକରଣ କାରଖାନା ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଖଣିଜ କଂଗ୍ରେସ କାର୍ଯ୍ୟକ୍ରମକୁ କୋଇଲା ସଚିବ ତଥା ବିଶ୍ବ ଖଣିଜ କଂଗ୍ରେସର ଭାରତୀୟ ଜାତୀୟ କମିଟି (ଆଇଏନସି ଡବ୍ଲୁଏମସି)ର ଅଧ୍ୟକ୍ଷ ଡକ୍ଟର ଅନୀଲ କୁମାର ଜୈନ ଉଦଘାଟନ କରିବେ। ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ, ସିଆଇଏଲ, ଏନଏଲସିଆଇଏଲର ନିର୍ଦ୍ଦେଶକଗଣଙ୍କ ଭଳି ଶିଳ୍ପ ବିଶେଷଜ୍ଞଙ୍କ ସମେତ ବିଏଚଇଏଲ, ଇଆଇଏଲ, ସିଆଇଏମଏଫଆର, ଏୟାର ପ୍ରଡକ୍ଟର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରିବେ। ଏହି କଂଗ୍ରେସରେ ସିଆଇଏଲ ଏବଂ ଏହାର ସହାୟକ କମ୍ପାନୀ, ବିଏଚଇଏଲ, ଏସସିସିଏଲ, ଏନଏଲସିଆଇଏଲ, ହିଣ୍ଡାଲକୋ, ବେଦାନ୍ତ, ଏଚସିଏଲ, ନାଲକୋ, ଟାଟା ଷ୍ଟିଲ, ଜେଏସପିଏଲ, ଇପିଆଇଆରଓସି, ଗେନ୍ୱେଲ୍, ଇଆଇଏଲ, ଏସଟିଏମ କନଷ୍ଟ୍ରକ୍ସନ, ସୀନାଟା ବାୟୋ, ଏୟାର ପ୍ରଡକ୍ଟ ଏବଂ ଅନ୍ୟାନ୍ୟ ୨୦ରୁ ଅଧିକ କମ୍ପାନୀର ବିଶେଷଜ୍ଞମାନେ ମଧ୍ୟ ଏହି କଂଗ୍ରେସରେ ଅଂଶଗ୍ରହଣ କରିବେ।

ମେ ୨୮ ତାରିଖ ୨୦୨୨ରେ ପେସାଦାରମାନେ ଅନୁଗୁଳସ୍ଥିତ କୋଇଲା ବାଷ୍ପୀକରଣ କାରଖାନା ପରିଦର୍ଶନ କରିବେ। ଏହା ଭାରତରେ ସେମାନଙ୍କୁ କୋଇଲା ବାଷ୍ପୀକରଣ କାରଖାନା ପ୍ରତିଷ୍ଠା କରିବା ଲାଗି ପ୍ରାରମ୍ଭିକ ଜ୍ଞାନ ଦେବାରେ ସହାୟକ ହେବ। ବାଷ୍ପୀକରଣ କାରଖାନା ପରିଚାଳନା ସମ୍ପର୍କରେ ମଧ୍ୟ ସେମାନେ ଜ୍ଞାନ ଆହରଣ କରିପାରିବେ।

ନିମ୍ନ ପ୍ରମୁଖ ଉପବିଷୟକୁ ଆଧାର କରି କଂଗ୍ରେସ କାର୍ଯ୍ୟକ୍ରମ ଆୟୋଜନ କରାଯିବ :

୧. ଖଣିଜ ଉତ୍ତୋଳନ କ୍ଷେତ୍ରରେ ପ୍ରଯୁକ୍ତିର ଉପଯୋଗ

୨. ଆଲୁମିନିୟମ ଓ ଇସ୍ପାତ କ୍ଷେତ୍ରରେ ରହିଥିବା ସମସ୍ୟା

୩. କୋଇଲା ବାଷ୍ପୀକରଣ ଏବଂ କୋଇଲାରୁ ହାଇଡ୍ରୋଜେନ ପାଇଁ ରୋଡମ୍ୟାପ

କେନ୍ଦ୍ର ସରକାର ପ୍ରଯୁକ୍ତିର ଉପଯୋଗ ଏବଂ କୋଇଲା ବାଷ୍ପୀକରଣ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଏହି ସଂକଳ୍ପକୁ ସାକାର କରିବା ଲାଗି, କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ କୋଇଲା ବାଷ୍ପୀକରଣ ମିଶନ ପାଇଁ ଦସ୍ତାବିଜ ଉନ୍ମୋଚନ କରାଯାଇଛି। ଅନୁରୂପ ଭାବେ ଅଂଶୀଦାରମାନଙ୍କ ସହିତ ବ୍ୟାପକ ବିଚାର ବିମର୍ଶ ପରେ ବିଗତ ୬ ମାସ ମଧ୍ୟରେ କୋଇଲାରୁ ହାଇଡ୍ରୋଜେନ ଓ ପ୍ରଯୁକ୍ତିର ବ୍ୟବହାର ନିମନ୍ତେ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି।

ଆଇଏନସି ଡବ୍ଲୁଏମସି ଦ୍ବାରା ଜାତୀୟ ଖଣିଜ କଂଗ୍ରେସ ଆୟୋଜନ କରାଯାଉଛି। ଏହାର ମୂଳ ଲକ୍ଷ୍ୟ ହେଉଛି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଚାର ବିମର୍ଶ, ଆଲୋଚନା, ମତ ବିନିମୟ କରିବା। ଫଳରେ ଉପଯୁକ୍ତ ଭାବେ ନିର୍ଦ୍ଧାରିତ ହୋଇଥିବା ଏସବୁ ପ୍ରସଙ୍ଗର ସମାଧାନ ପାଇଁ ମାର୍ଗ ଓ ମାଧ୍ୟମ ମିଳିପାରିବ।

ବିଶ୍ବ ଖଣିଜ କଂଗ୍ରେସର ଭାରତୀୟ ଜାତୀୟ କମିଟି (ଆଇଏନସି ଡବ୍ଲୁଏମସି) ମିଳିତ ଜାତିସଂଘ ଅନୁବନ୍ଧିତ ଏକ ସଂଗଠନ ବିଶ୍ବ ଖଣିଜ କଂଗ୍ରେସର ମାନ୍ୟତାପ୍ରାପ୍ତ ସଂଗଠନ ଭାବେ ଖ୍ୟାତି ଲାଭ କରିଛି। ଭାରତୀୟ ଖଣିଜ କ୍ଷେତ୍ର ଉପରେ ଗୁରୁତ୍ବାରୋପ କରି ଖଣିଜ ଖନନ ଓ ଖଣିଜ କ୍ଷେତ୍ରର ବିକାଶକୁ ପ୍ରୋତ୍ସାହନ ଓ ଅଭିବୃଦ୍ଧି ଲକ୍ଷ୍ୟ ନେଇ ଏହି ସଂଗଠନ କାର୍ଯ୍ୟ କରିଥାଏ।

କେନ୍ଦ୍ର କ୍ୟାବିନେଟଙ୍କ ଅନୁମୋଦନ ଲାଭ କରିବା ପରେ ଏହି ସଂଗଠନ ସୋସାଇଟିଜ୍ ରେଜିଷ୍ଟ୍ରେସନ ଆଇନ ଅଧୀନରେ ୨୦୧୬ରେ ପଞ୍ଜିକୃତ ହୋଇଛି। କୋଇଲା ମନ୍ତ୍ରଣାଳୟ ଏହାର ପୃଷ୍ଠପୋଷକ ଥିବା ବେଳେ କୋଇଲା ସଚିବ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଶକ୍ତି, ଇସ୍ପାତ ଓ ଖଣି ସଚିବ ସଂଗଠନର ସହଅଧ୍ୟକ୍ଷ ରହିଛନ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନ ବ୍ୟତୀତ, ଖଣିଜ କ୍ଷେତ୍ରରେ ନିୟୋଜିତ ପେସାଦାରମାନେ ଏହି ସମିତିର ସଚିବ ଅଛନ୍ତି ଏବଂ ସିଆଇଏଲର ଅଧ୍ୟକ୍ଷ ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିଥାନ୍ତି।

କୋଭିଡ ପରେ, ୨୦୨୧ରେ ଏହାର କାର୍ଯ୍ୟକଳାପରେ ସଂଶୋଧନ ଅଣାଯାଇଛି ଏବଂ ସେବେଠାରୁ ସମିତି ଦ୍ବାରା ପ୍ରଥମ ଥର ପାଇଁ ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.