ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭିଜିଲାନ୍ସ ହାତରେ ସେକ୍ସନ ଅଫିସର। ନଗଦ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ରାସ୍ତା ମଝିରେ ସେକ୍ସନ ଅଫିସରଙ୍କୁ ମାଡି ବସିଲା ଭିଜିଲାନ୍ସ। ଭଦ୍ରକ ଧୁଷୁରୀ ସାଆଁଳପୁର ସ୍ଥିତ ଆଇଜିଏମ୍ କଲେଜରେ ସେକ୍ସନ ଅଫିସର ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି। ତାଙ୍କଠାରୁ ୧୦ ହଜାର ଟଙ୍କା ଜବତ କରିବା ସହ ପଚରାଉଚୁରା ଜାରି ରଖିଛି ଭିଜିଲାନ୍ସ ବିଭାଗ। ସୂଚନା ଅନୁଯାୟୀ ଆଇଜିଏମ୍ଇ କଲେଜର ପୂର୍ବତନ କର୍ମଚାରୀ ପ୍ରଫୁଲ୍ଲ କୁମାର ପୃଷ୍ଟିଙ୍କର ୨୦୨୦ ମସିହାରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ଗ୍ରାଚ୍ୟୁଇଟି ଓ ଅନ୍ୟାନ୍ୟ ବିଲ୍ ବାବଦକୁ ଟଙ୍କା ବକେୟା ରହିଛି। ତେବେ ଅନେକ ଥର ମୃତକଙ୍କ ପୁଅ ପୀୟୁଷ ପ୍ରତୀକ ପୃଷ୍ଟି ସେକ୍ସନ ଅଫିସର ପ୍ରଭାତ କୁମାର ନାୟକଙ୍କ ସହ ଯୋଗାଯୋଗ କରିଥିଲେ। ପ୍ରଭାତ ମଧ୍ୟ ପୂର୍ବରୁ କାମ କରାଇଦେବା କହି ବହୁବାର ଟଙ୍କା ନେଇଥିଲେ। ଶେଷରେ ଆଜି ବାଲେଶ୍ୱରରୁ ଫେରିବାବେଳେ ଆରଡି ଛକ ନିକଟରେ କାର ଅଟକାଇ ମୃତକଙ୍କ ପୁଅଙ୍କ ନିକଟରୁ ୧୦ ହଜାର ଟଙ୍କା ନେଉଥିଲେ। ପୂର୍ବରୁ ଯୋଜନା ମୁତାବକ ଭିଜିଲାନ୍ସ କର୍ମଚାରୀମାନେ ଲୁଚି ରହିଥିଲେ। ଏବଂ ଟଙ୍କା ନେବାବେଳେ ପ୍ରଭାତ ନାୟକଙ୍କୁ ଧରି ପକାଇଥିଲେ। ଏ ଘଟଣାରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବାର ଜଣାପଡିଛି।