ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭାରତୀୟ ମଜଦୂର ସଂଘ ଭଦ୍ରକ ପକ୍ଷରୁ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତିକୁ ବିରୋଧ କରି ‘ପ୍ରତିବାଦ ଦିବସ’ ଭାବେ ଆଜି ଏକ ଭିନ୍ନ ଢଙ୍ଗରେ ପାଳନ କରାଯାଇଛି। ସରାକରଙ୍କ ନୀତିକୁ ବିରୋଧ କରି ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଳାପାଳ ଭଦ୍ରକଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକ ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ପାଚିକା ଓ ସହାୟିକା, ନିର୍ମାଣ ମଜଦୂର ସଂଘ ଭଳି ଭାରତୀୟ ମଜଦୂର ସଂଘ ସହିତ ଅନୁବନ୍ଧିତ ସଂଗଂନମାନଙ୍କର କାର୍ଯ୍ୟକର୍ତା ଯୋଗ ଦେଇଥିଲେ। ସଂଘ ପକ୍ଷରୁ ଶ୍ରିମକ ହିତ ସମ୍ବନ୍ଧିତ ଦାବି ସମୂହ ଏକ ଦାବିପତ୍ର ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ମଧ୍ୟରେ ଅନ୍ତ୍ୟୋଦୟର ପ୍ରକୃତ ଭାବନା ଅନୁଯାୟୀ ସମସ୍ତ କ୍ଷେତ୍ର ଓ ବର୍ଗର ଶ୍ରମିକଙ୍କ ପାଇଁ ଶ୍ରମ ଆଇନ କଡ଼ାକଡ଼ି ଭାବେ ଲାଗୁ କରିବା, ଶିଳ୍ପ ସମ୍ପର୍କ କୋର୍ଡ଼ ୨୦୨୨ ଏବଂ ବୃତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟୃ ସ୍ଥିତି କୋର୍ଡ଼ – ୨୦୨ରେ ଥିବା ଶ୍ରମିକ ବିରୋଧୀ ନିୟମକୁ ତୁରନ୍ତ ସଂଶୋଧନ, ଭାରତୀୟ ଶ୍ରମ ସମ୍ମିଳନୀ କରିବା ଏବଂ ବିଭିନ୍ନ ତ୍ରିପାକ୍ଷିକ କମିଟି ଗୁଡ଼ିକର ପୁନର୍ଗଠନ କରି ସେମାନଙ୍କର ନିୟମିତ ବୈଠକ କରିବା, ସମସ୍ତ ସ୍କିମ୍ ୱାର୍କର୍ ମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରାଯିବା, ଇପିଏସ୍ -୯୫ରେ ଥିବା ସର୍ବନିମ୍ନ ପେନ୍ସନ୍ ୧ ହଜାର ଟଙ୍କାରୁ ୭ହଜାର ୫ଶହକୁ ବୃଦ୍ଧି କରିବା ସହିତ ମହଙ୍ଗା ଭତା ପ୍ରଦାନ କରିବା, ଭାରତୀୟ ସମ୍ବିଧାନର ଧାରା ୧୪, ୧୫, ୧୬ ଏବଂ ୨୧ ଅନୁଯାୟୀ ସ୍କିମ୍ ୱାର୍କର ଓ ଚୁକ୍ତି ଭିତିକ ଶ୍ରମିକମାନଙ୍କୁ ନିୟମିତ କରାଯିବା, ସାଧାରଣ ନିଯୁକ୍ତି ଉପରେ ଥିବା ନିଷେଧାଦେଶକୁ ତୁରନ୍ତ ହଟାଯାଇ ଚାକିରିର ସୁରକ୍ଷା ସହିତ ଗ୍ୟାରେଂଟିଯୁକ୍ତ ନିଯୁକ୍ତି ନିଶ୍ଚିତ କରିବା ଭଳି ବିଭିନ୍ନ ଦାବି ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟରେ ଅଙ୍ଗନୱାଡ଼ି ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ର, ଭାରତୀୟ ମଜଦୂର ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ଜିଲ୍ଲା ସମ୍ପାଦକ ପରେଶ ନାଥ ଧଳ, ଜିଲ୍ଲା କାର୍ଯ୍ୟକର୍ତା ତପନ ପଣ୍ଡା, ବିଭୂତି ପାଣିଗ୍ରାହି, ମନୋଜ ପାତ୍ର, ସୁଶାନ୍ତ ନାୟକ, ପ୍ରଶାନ୍ତ ବଳ, ସୂର୍ଯ୍ୟକାନ୍ତ ଦାଶ, ମନୋଜ ଲେଙ୍କା, ଅଶୋକ ନାୟକ, ବିଶ୍ୱନାଥ ଜେନା, ସନ୍ଧ୍ୟା ପହି, ସୁଜାତା ଜେନା, ଜୟନ୍ତୀ ଜେନା ପ୍ରମୁଖ ଯୋଗ ଦେବା ସହିତ ସରକାର ଦାବି ପୂରଣ ନକଳେ ସଂଘ ଆଗାମୀ ଦିନରେ ରାଜରାସ୍ତାକୁ ଉହ୍ଳାଇବ ବୋଲି ଚେତାବନୀ ଦେଇଥିଲେ।








