Home କେନ୍ଦ୍ରାପଡ଼ା ଭାଗବତପୁର ପଂଚାୟତର ଅଗ୍ନି ବିପନ୍ନ ପରିବାରକୁ ସହାୟତା

ଭାଗବତପୁର ପଂଚାୟତର ଅଗ୍ନି ବିପନ୍ନ ପରିବାରକୁ ସହାୟତା

110

କେନ୍ଦ୍ରାପଡା ୨୫/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ଶ୍ୟାମସୁନ୍ଦରପୁର(କିଜାଙ୍ଗପଡା)ଗ୍ରାମର ବୀରବର ରାଉତଙ୍କ ପୁଅ ପଦ୍ମ ଚରଣ ରାଉତଙ୍କ ଘର ଉପରେ ଘଡଘଡି ପଡି ତାଙ୍କର ୨ବଖରା ଘର ସଂପୂର୍ଣ୍ଣ ପୋଡିଯାଇଥିଲା। ଏଥିସହିତ ସେହି ଘରଭିତରେ ଥିବା ସମସ୍ତ ଆସବାବପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଥିଲା। ଏସମ୍ପର୍କରେ ଖବର ପାଇ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ସେଠାରେ ପହଁଚି ସେହି ବିପନ୍ନ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ବିଧାୟକ ଶଶୀଭୂଷଣ ବେହେରା ଜିଲ୍ଲାପାଳ ଓ କେନ୍ଦ୍ରାପଡା ତହସିଲଦାରଙ୍କୁ ଏସମ୍ପର୍କରେ ଜଣାଇବା ପରେ ତହସିଲ ପକ୍ଷରୁ ଜରିପାଲ ଓ ୫ହଜାର ଟଙ୍କାର ଆର୍ଥିକ ସହାୟତା ସେହି ପରିବାରକୁ ପ୍ରଦାନ କରାଯାଇଛି। ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳଙ୍କ ପରାମର୍ଶ କ୍ରମେ ସ୍ଥାନୀୟ ସରପଂଚ ଧରଣୀଧର ଦାସ ସେହି ବିପନ୍ନ ପରିବାରକୁ ଚାଉଳ, ଚୁଡା, ବିସ୍କୁଟ ଓ ଲୁଗା ପ୍ରଭୃତି ଯୋଗାଇ ଦେବାର ବ୍ୟବସ୍ଥା କରିଥିବା ବେଳେ ୱାର୍ଡ ସଭ୍ୟ ପ୍ରଦୀପ କୁମାର ରାଉତ ସେହି ପରିବାରକୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି। ଅଧ୍ୟକ୍ଷ ଶ୍ରୀ ଧଳଙ୍କ ସହିତ ଭାଗବତପୁର ସମିତିସଭ୍ୟ ଧିରେନ୍ଦ୍ର କୁମାର ସ୍ୱାଇଁ, ସମାଜସେବୀ ପ୍ରମୋଦ କୁମାର ପ୍ରଧାନ, ଭରତପୁର ସମିତିସଭ୍ୟ ହେମନ୍ତ କୁମାର ବିଶ୍ୱାଳ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ। ପରବର୍ତ୍ତି ସମୟରେ ବିପନ୍ନ ପରିବାରକୁ ଗୃହ ନିର୍ମାଣ ପାଇଁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷ ଶ୍ରୀ ଧଳ ପ୍ରତିଶୃତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.