Home ଜିଲ୍ଲା ପରିକ୍ରମା ଭାଇଚାରା ଓ କୃଷିଭିତ୍ତିକ ପର୍ବ ନୂଆଖାଇ, ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ନୂଆଖାଇ ପର୍ବ ପାଳନ

ଭାଇଚାରା ଓ କୃଷିଭିତ୍ତିକ ପର୍ବ ନୂଆଖାଇ, ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ନୂଆଖାଇ ପର୍ବ ପାଳନ

31

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲା ସଂସ୍କୃତି ବିଭାଗ ଜରିଆରେ ଆଜି ସଂସ୍କୃତି ଭବନରେ ନୂଆଖାଇ ପର୍ବ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ, ମୁଖ୍ୟ ବକ୍ତା ଭାବେ ସଂସ୍କୃତି ଗବେଷକ, ନାଟ୍ୟକାର ଅବସରପ୍ରାପ୍ତ ପ୍ରଫେସର ଅଟଳ ବିହାରୀ ନାୟକ ଓ ସମ୍ମାନିତ ଅତିଥି ତଥା ମଞ୍ଚ ପରିଚାଳକ ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ। ପଶ୍ଚିମ ଓଡ଼ିଶାର ନୂଆଖାଇ ପର୍ବ କିପରି ତିକ୍ତତା ଭିତରେ ଏକତା ରକ୍ଷାକରିବାର ଭାବ ସୃଷ୍ଟିକରି ପାରୁଛି, ପ୍ରକୃତି ଭିତରେ ସଂସ୍କୃତି ର ବାର୍ତ୍ତା ବାଣ୍ଟିପାରୁଛି, ଏ ପର୍ବ କେବଳ ପଶ୍ଚିମ ଓଡ଼ିଶାରେ ସିମୀତ ନ ରହି ଆଜି ସାରା ରାଜ୍ୟ ଓ ଦେଶ ବିଦେଶକୁ ବ୍ୟାପ୍ତ ହେବା ଆରମ୍ଭ କରିଛି ସେ ସମ୍ବନ୍ଧରେ ଅତିଥି ଓ ଆଲୋଚକମାନେ ସବିଶେଷ ଆଲୋଚନା ରଖିଥିଲେ।

ନୂଆଖାଇ ପର୍ବ ପାଳନର ତରିକା, ନୂଆଖାଇ ଓ ଭେଟଘାଟ ପର୍ବର ପରମ୍ପରା ଓ ବିଶେଷତ୍ୱ ସମ୍ବନ୍ଧରେ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ମଞ୍ଚାସୀନ ଅତିଥିମାନଙ୍କ ବ୍ୟତୀତ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସୁବାଷ ଚନ୍ଦ୍ର ମଲ୍ଲିକ, ତିହିଡ଼ି ବ୍ଲକ୍ କଳା ସଂଘର ଉପସଭାପତି ସତ୍ୟବ୍ରତ ତ୍ରିପାଠୀ, ଚାନ୍ଦବାଲି ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା, ଭଣ୍ଡାରିପୋଖରୀ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ରବୀନ୍ଦ୍ର କୁମାର ଜେନା, ବନ୍ତ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତିଙ୍କ ପ୍ରତିନିଧି ନବ କୁମାର ଲେଙ୍କା, ସଂଗୀତ ନାଟକ ଏକାଡ଼େମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ନିର୍ମଳ ରାଉତ ପ୍ରମୁଖ ଏହି ପର୍ବ ପାଳନ ନେଇ ବକ୍ତବ୍ୟ ରଖିଥିଲେ। ଭଦ୍ରକ ନଗର କଳା ସଂସ୍କୃତି ସଂଘର ଉପସଭାପତି ନରେନ୍ଦ୍ର ପ୍ରସାଦ ପରିଡ଼ା, ଭଦ୍ରକ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ପ୍ରଶାନ୍ତ କୁମାର ବେହେରା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗାନ୍ଧୀବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ସରସ୍ୱତୀ ସଂଗୀତ ବିଦ୍ୟାଳୟ ଦ୍ୱାରା ନୃତ୍ୟଶିଳ୍ପୀ ସମୀର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ଓ ସାଇ ନୃତ୍ୟ ଏକାଡ଼େମୀର କୁନି କଳାକାରମାନଙ୍କ ଦ୍ୱାରା ଡ଼ାଲଖାଇ ଓ ଢ଼େମସା ନୃତ୍ୟ ପରିବେଷଣ କରାଯାଇଥିଲା। ଶ୍ରୀ ଜଗନ୍ନାଥ ସାଂସ୍କୃତିକ କଳାକାର ସଂଘର ସମ୍ପାଦକ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ରୁଦ୍ର ମାଧବ ବାରିକ୍‌ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟନୀ ସଂଗୀତ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.