ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ରେ ଭଦ୍ରାୟଣୀ ୨୦୨୫ ଉଦ୍ଘାଟିତ ହୋଇଯାଇଛି। ଭଦ୍ରକ ଜିଲା ମହୋତ୍ସବ ଓ ପଲିଶ୍ରୀ ମେଳା ‘ଭଦ୍ରାୟଣୀ’ ଉଦ୍ଘାଟନ ଅବସରରେ ମୁଖ୍ୟଅତିଥ୍ୟ ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଭଦ୍ରକ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରର ସମାହାର ବୋଲି କହିଛନ୍ତି। ଏବଂ ଉଦ୍ଘାଟକ ଭାବେ ପଂଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେଇ ଆନୁଷ୍ଠାନିକ ଭାବେ ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ‘ବନ୍ଦେ ଉତ୍କଳ ଜନନୀ’ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟକବି ବାଞ୍ଛାନିଧ୍ୱ ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ, ଡ. ହରେକୃଷ୍ଣ ମହତାବ ଏହି ପୁଣ୍ୟଭୂମିରେ ଜନ୍ମ ନେଇଥିବାରୁ ଏହି ମାଟି ମହାନ୍ ବୋଲି ମୁଖ୍ୟଅତିଥ୍ ଆଇନ ମନ୍ତ୍ରୀ କହିଥିଲେ। ବିଶିଷ୍ଟ ଅତିଥି ଭାବେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଥିଲେ, ଭଦ୍ରକ ହେଉଛି ଅନେକ ମହାପୁରୁଷଙ୍କ ଏନ୍ତୁଡ଼ିଶାଳ। ସ୍ୱାଧୀନତା ଆନ୍ଦୋଳନ ଓ ଓଡ଼ିଶା ରାଜନୀତିରେ ଭଦ୍ରକ ଜିଲାର ଅବଦାନ ଅତୁଳନୀୟ। ନିକଟରେ ମୁଖ୍ୟମନ୍ତ୍ରୀ ଭଦ୍ରକରେ ମେଡିକାଲ କଲେଜ ଘୋଷଣା କରିବେ ବୋଲି ସେ କହିଥିଲେ। ଅନ୍ୟତମ ଅତିଥ୍ ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗଦେଇ ସମାଜ ପାଇଁ କିଛି କରିବାକୁ ଶପଥ ନେବା ପାଇଁ ଆହ୍ୱାନ ଦେଇଥିଲେ। ଜିଲାପାଳ ଦିଲୀପ ରାଉତରାଏ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି ମଂଚରେ ଉପସ୍ଥିତ ଥିଲେ। ଏସ୍ପି ମଡ଼କର ସନ୍ଦୀପ ସମ୍ପଦ, ଅତିରିକ୍ତ ଏସ୍ପି ଅରୂପ ଅଭିଷେକ ବେହେରା, ଅଂଶୁମାନ ଦ୍ୱିବେଦୀ ଓ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ ପ୍ରମୁଖ ଯୋଗ ଦେଇଥିଲେ। କଳାକାର ପୁପିନ୍ଦର ଓ ଶୋଭନା ମଂଚ ସଂଚାଳନ କରିଥିଲେ। ଅତିଥିମାନେ ପଲ୍ଲିଶ୍ରୀ ମେଳାରେ ପଡିଥିବା ବିଭିନ୍ନ ଷ୍ଟଲ୍ ବୁଲି ଦେଖିଥିଲେ। ଓଡ଼ିଶାର ବିଭିନ୍ନ କଳାକାରମାନ ମାନଙ୍କ ଦ୍ୱାରା ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Home ଜିଲ୍ଲା ପରିକ୍ରମା ଭଦ୍ରାୟଣୀ – ୨୦୨୫ ଉଦ୍ଘାଟିତ, ଭଦ୍ରକ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରର ସମାହାର- ଆଇନ...