Home ଜିଲ୍ଲା ପରିକ୍ରମା ଭଦ୍ରାୟଣୀର ତୃତୀୟ ସନ୍ଧ୍ୟା, ହସିବା ହସେଇବାର ଯାତ୍ରା ଦେଖାଇଲେ ପପୁ ପମ୍‌ପମ୍ , ‘ଭଦ୍ରାଶ୍ରୀ’ ବ୍ରାଣ୍ଡ...

ଭଦ୍ରାୟଣୀର ତୃତୀୟ ସନ୍ଧ୍ୟା, ହସିବା ହସେଇବାର ଯାତ୍ରା ଦେଖାଇଲେ ପପୁ ପମ୍‌ପମ୍ , ‘ଭଦ୍ରାଶ୍ରୀ’ ବ୍ରାଣ୍ଡ ର ଉନ୍ମୋଚନ – ଅନ୍ତର୍ଭୁକ୍ତ ହେଲା ଶୁଖୁଆ ଓ ଗୁଡ଼

10

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀର ଚମକ ଦିନକୁ ଦିନ ବଢ଼ିଚାଲିଛି । ୨୭ ତାରିଖ ଶନିବାର ତୃତୀୟ ସନ୍ଧ୍ୟାରେ ଓଲିଉଡ଼ର ନାମୀ କଣ୍ଠଶିଳ୍ପୀ ଇରାମହାନ୍ତି ଓ ଆଶୁତୋଷଙ୍କ ମେଲୋଡ଼ି ସହିତ ଭୂମିକାଙ୍କ ନୃତ୍ୟ, ଡାଇଲଗ୍ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ପପୁ ପମ୍ ପମ୍ ଙ୍କ କମେଡ଼ି ଦର୍ଶକ ମହଲକୁ ହସେଇ ହସେଇ ବେଦମ୍ କରିଥିଲା । ସାନ୍ଧ୍ୟ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଯୋଗ ଦେଇ ଆଞ୍ଚଳିକ ପ୍ରତିଭା ମାନଙ୍କ ଦକ୍ଷତାର ବିକାଶ ଦିଗରେ ଭଦ୍ରାୟଣୀ ମଞ୍ଚର ଉପାଦେୟତା ସମ୍ବନ୍ଧରେ ଆଲୋକପାତ କରିବା ସହିତ ବାହାରୁ ଆସୁଥିବା ନାମୀ ଦାମୀ କଳାକାର ପ୍ରତିଭା ମାନଙ୍କ ଦମ୍‌ଦାର ପ୍ରଦର୍ଶନଙ୍କୁ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶକମାନେ ଉପଭୋଗ କରିବାକୁ ଜଣାଇଥିଲେ । ଭଦ୍ରକ ଜିଲ୍ଲାର ସ୍ୱୟଂ ସହାୟକ ମହିଳା ଗୋଷ୍ଠୀମାନଙ୍କ ଉତ୍ପାଦକୁ ବିଶ୍ୱ ଦରବାରରେ ପହଞ୍ଚାଇବା ନେଇ ପ୍ରଶାସନିକ ଉଦ୍ୟମ କ୍ରମେ ଭଦ୍ରାୟଣୀ ମଞ୍ଚରେ ‘ଭଦ୍ରାଶ୍ରୀ’ ବ୍ରାଣ୍ଡର ଲୋଗୋ ଓ ଉତ୍ପାଦକୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ସୂଚନା ଯୋଗ୍ୟକି ବଡ଼ି, ଆଚାର, ପାମ୍ପଡ଼, ଧୂପକାଠୀ, ଗୁଡ଼ ସହ ବାସୁଦେବପୁରର ପ୍ରସିଦ୍ଧ ଶୁଖୁଆ ଏହି ୬ଟି ଉତ୍ପାଦକୁ ଭଦ୍ରାଶ୍ରୀ ବ୍ରାଣ୍ଡରେ ଅନ୍ତର୍ଭୁକ୍ତ କରାଯାଇଛି । ଉପଯୁକ୍ତ୍ ମାନ ସହ ଖାଦ୍ୟ ସ୍ୱୀକୃତି ପତ୍ର ଉନ୍ନତ ମାନର ପ୍ୟାକେଜିଂ, ବ୍ରାଣ୍ଡିଂ ସହ ବିଶ୍ୱ ବଜାରରେ ପରିଚାୟ ଲାଭ ପାଇଁ ଉଦ୍ୟମ୍ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା । ଓରମାସ୍ ମିଶନ୍ ଶକ୍ତି ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ମାନଙ୍କର ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ପ୍ରୟାସ ଜାରି ରହିଛି ।

ଓରମାସ୍‌ର ଏକଜିକ୍ୟୁଟିଭ୍ ଅଧିକାରି ଭାଗ୍ୟଲକ୍ଷ୍ମୀ ରାଉତ, ଓ.ଏଲ୍‌.ଏମ୍ ଡି.ପି.ଏମ୍ ସଞ୍ଜୟ କୁମାର ବାରିକ ଓ ମିଶନ୍ ଶକ୍ତିର ଡି.ପି.ସି. ଅଭିକ୍ ନାରାୟଣି ଏହି ଉଦ୍‌ଘାଟନ କାର୍ଯ୍ୟକୁ ଆୟୋଜନ ଓ ପରିଚାଳନା କରିଥିଲେ । ଉଦ୍‌ଘୋଷିକା ଗୁନ୍‌ଗୁନ୍‌ଙ୍କ ଆକର୍ଷଣୀୟ ଉଦ୍‌ଘୋଷଣାରେ ଆରମ୍ଭ ହେଶଇଥିଲା ମୁଖ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ । ଇରା ମହାନ୍ତି ଓ ତାଙ୍କ ସାଥୀ ନୀହାର ଏବଂ ଆଶୁତୋଷ ମହାନ୍ତିଙ୍କ ମେଲୋଡ଼ି ସଙ୍ଗୀତକୁ ଭରପୁର ଦର୍ଶକ ଉପଭୋଗ କରିଥିଲେ । କମେଡ଼ି ସମ୍ରାଟ ପପୁ ପମ୍ ପମ୍ ତାଙ୍କ ନିଆରା ଢଙ୍ଗରେ ଦର୍ଶକଙ୍କୁ ହସର ଖୋରାକ୍ ଯୋଗଇଥିଲେ । ଓଡ଼ିଆ ଚଳଚିତ୍ର ଜଗତର ସେଲିବ୍ରିଟି ଭୂମିକାଙ୍କ ନୃତ୍ୟ ଓ ଡାଇଲଗ୍ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଭଦ୍ରାୟଣୀ ମଞ୍ଚରେ ଅପରାହ୍ନ ୪ଟାରୁ ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ନୂପୁର କଳା ପରିଷଦ କୁଆଁସ, ଭଦ୍ରକର ଓଡ଼ିଶୀ ନୃତ୍ୟ, ପୁରୁଣା ବଜାର ଶିଶୁ ମନ୍ଦିରର ଦେଶାତ୍ମବୋଧକ ନୃତ୍ୟ, ସ୍ମୃତି ସୌଜନ୍ୟ ପୁହାଣଙ୍କ ସଙ୍ଗୀତ ପରିବେଷଣ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଦଳଗତ ନୃତ୍ୟ, ଶୁଭ୍ରସ୍ମିତାଙ୍କ ସଙ୍ଗୀତ, ମହିଳା ସଶକ୍ତିକରଣ ଆଧାରିତ ହରିହର ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟକ୍ରମ ଓ ବିନାୟକ ଡିଗ୍ରୀ କଲେଜର କାଳୀ ତାଣ୍ଡବ ନୃତ୍ୟ ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ଏହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏ.ଡ଼ି.ଇ.ଓ. ମାୟାଧର ନାୟକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏଥିରେ ସହଯୋଗ କରିଥିଲା ବେଳେ ଆଦର୍ଶ ବିଦ୍ୟାଳୟ ଓଲଙ୍ଗର ଶିକ୍ଷୟିତ୍ରୀ କାଦମ୍ବରୀ ମିଶ୍ର ଓ ସଙ୍ଗୀତ ନିର୍ଦ୍ଦେଶକ ଭଦ୍ରାଣୀ ଶୀର୍ଷକ ସଙ୍ଗୀତ ର କଣ୍ଠଶିଳ୍ପୀ ଡାନିସ୍ ସିଦ୍ଧାର୍ଥ ଉଦ୍‌ଘୋଷଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରୀଯୁକ୍ତ ମଣ୍ଡଳ ସୁନ୍ଦର ଭଜନ ପରିବେଷଣ କରି ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ପୁଣି ସି.ଟି.ଡ଼ି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ ଓ ଶ୍ରୀଯୁକ୍ତ ମଣ୍ଡଳ ଦୈତକଣ୍ଠରେ ମେଲୋଡ଼ିଅସ୍ ହିନ୍ଦି ସଂଗୀତ ପରିବେଷଣ କରି ଜନମନ ହରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.