ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ଆଜି ନୂଆବଜାରସ୍ଥିତ ପୁରୁଣା ମେଡିକାଲ ନିକଟରେ ଥିବା ୨୨ଟି ସ୍ଥାୟୀ ପକ୍କା ଦୋକାନ ଗୃହକୁ ତିନୋଟି ବୁଲଡୋଜର ଲଗାଇ ଭଙ୍ଗାଯାଇଛି। ତେବେ ୨୦୨୪ ମସିହା ଅଗଷ୍ଟ ମାସରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇ ୨ ହଜାରରୁ ଉର୍ଦ୍ଧ୍ୱ ଦୋକାନ ଗୃହ ଉଚ୍ଛେଦ କରାଯାଇଥିଲା। ମାତ୍ର ଏବେ ଏହି ସହରର ଏହି ମୁଖ୍ୟ ରାସ୍ତାଟି ଉନ୍ନତିକରଣ ଓ ସଂପ୍ରସାରଣ ହେବାର ଶିଳାନ୍ୟାସ ପରେ ଅବଶିଷ୍ଟ ରହିଯାଇଥିବା ଦୋକାନ ଗୃହକୁ ପ୍ରଶାସନ ପକ୍ଷରୁ ଭଦ୍ରକ ତହସିଲଦାର ସଂଗ୍ରାମ କେଶରୀ ଖୁଂଟିଆ, ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର, ୨ ରାଜସ୍ୱ ପର୍ଯ୍ୟବେକ୍ଷକ ଜ୍ୟୋତିପ୍ରକାଶ ପଣ୍ଡା ଓ ବିକାଶ ଦାସ, ଲାଇସେନ୍ସ ସର୍ଭେୟର ସୁବାଷ ପଲେଇ, ମ୍ୟୁନସିପାଲଟି ଏନଫୋର୍ସମେଂଟ ଅଫିସର ଶିବରଂଜନ ମହାପାତ୍ର, ରାଜସ୍ୱ ନିରୀକ୍ଷକ ଶରତ ମହାନ୍ତି, ପୌର ଓ ବିଦ୍ୟୁତ୍ ବିଭାଗର ଏକ ଟିମ୍ ୨୨ ଟି ସ୍ଥାୟୀ ପକ୍କା ଦୋକାନ ଗୃହକୁ ମାଟିରେ ମିଶାଇଛନ୍ତି। ତେବେ ଆସନ୍ତାକାଲି ଏହା ବନ୍ଦ ରହିବା ସହ ଡାକବାଜି ଯନ୍ତ୍ର ଦ୍ୱାରା ଚିହ୍ନଟ ହୋଇଥିବା ଦୋକାନ ଗୃହକୁ ଖାଲି କରିବାକୁ ପ୍ରଚାର ଜାରି ରହିବ। ଉକ୍ତ ଉଚ୍ଛେଦ ହୋଇଥିବା ସ୍ଥାନରେ କୌଣସି ଦୋକାନୀ ଯେମିତି ପୁନର୍ବାର ସେମାନଙ୍କର ଦୋକାନ ନ ଖୋଲନ୍ତି ସେଥିପାଇଁ ମ୍ୟୁନସିପାଲଟି ଏନଫୋର୍ସମେଂଟ ତରଫରୁ ନଜର ରଖାଯାଇଛି।








