Home ଜିଲ୍ଲା ପରିକ୍ରମା ଭଦ୍ରକ ସହରାଂଚଳ ଓ ସାବରଙ୍ଗ ଥାନା ଅଂଚଳରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ଭଦ୍ରକ ସହରାଂଚଳ ଓ ସାବରଙ୍ଗ ଥାନା ଅଂଚଳରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

13

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ କିଛିବର୍ଷ ଧରି ସମଗ୍ର ରାଜ୍ୟରେ ଭଦ୍ରକ ଜିଲା ବ୍ରାଉନସୁଗାରର ହବ୍ ପାଲଟିଥିବାବେଳେ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ନୂତନ ଭାବେ ଦାୟିତ୍ୱ ଗ୍ରହଣ ପରେ ଡ୍ରଗ୍ସ ମାଫିଆମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି। କାହିଁକିନା ଶ୍ରୀ ରାଉତ ଦୀର୍ଘବର୍ଷ ଧରି ଏହି ଜିଲାର ବିଭିନ୍ନ ଥାନାରେ ଆଇଆଇସି ଭାବେ ଯୋଗଦେଇ ଆଇନ୍ ଶୃଙ୍ଖଳା ରକ୍ଷା ସହ ଚୋରା ମାଦକ ଦ୍ରବ୍ୟର ରୋକ୍ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତାଙ୍କ ସମୟରେ ଜିଲାରେ ଅସାମାଜିକ କାର୍ଯ୍ୟକଳାପ ହ୍ରାସ ପାଇଥିଲା। ତେବେ ସେ ଜିଲା ଆରକ୍ଷୀ ଅଧୀକ୍ଷକ ଭାବେ ଯୋଗଦେବା ପରେ ପ୍ରଥମେ ବ୍ରାଉନସୁଗାର ର ମୂଳୋତ୍ପାଟନ ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ। ତାଙ୍କର ନିର୍ଦ୍ଦେଶ କ୍ରମେ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କଡାକଡି କରାଯାଇଛି। ଆଜି ତାଙ୍କ ନିର୍ଦ୍ଦେଶ କ୍ରମେ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦିବା ୧ ଘଟିକା ସମୟରେ ପାଟ୍ରୋଲିଂ ସମୟରେ ଥାନା ପଛପଟ କୁଆଁସ ଅର୍ଜୁନ ସେତୁ ଉପରୁ ପୁରୁଣାବଜାର ଥାନା ଅଧୀନସ୍ଥ ନଙ୍ଗାମହଲା ନିବାସୀ ସେକ୍ ରାଜୁର ପୁତ୍ର ସେକ୍ ଅବଦୁଲ କାଦ୍ରୀ ଓ ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ମିରସାହି ନିବାସୀ ମିର୍ଜା ଆୟୁବଙ୍କ ପୁତ୍ର ମିର୍ଜା ବାବୁ ନିକଟରୁ ୧୫.୫ ଗ୍ରାମର ବ୍ରାଉନସୁଗାରକୁ ଜବତ କରାଯାଇଛି। ସେହିଭଳି ଆଜି ଅପରାହ୍ନ ୪.୧୫ ସମୟରେ ଚରମ୍ପା ମାଲ ଗୋଦାମ ନିକଟରୁ ଚରମ୍ପା ନିବାସୀ ଅର୍ଜୁନ ବେହେରାଙ୍କ ପୁତ୍ର ଅକ୍ଷୟ ନିକଟରୁ ୧୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏହି ଦୁଇଟି ଘଟଣାରେ ଏସଆଇ ରମ୍ୟରଞ୍ଜନ ପ୍ରଧାନ ଓ ଅଧିକାରୀ ମହାପାତ୍ର, କନେଷ୍ଟବଳ ମନୋଜ ପ୍ରଧାନ, ଚନ୍ଦନ ବେହେରା ଅଭିଯୁକ୍ତକୁ ଗିରଫ କରିଛନ୍ତି। ଏ ସଂପର୍କରେ ସହରାଂଚଳ ଥାନାରେ କେଶ ନଂ ୧୩ ଓ ୧୫, ଦଫା ୨୧(ବି), ୨୯ ଏନ୍‌ଡିପିଏସ୍ ଆକ୍ଟ ମୂଳେ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ହୋଇଛି। ସେହିଭଳି ଏହି ଜିଲାର ସାବରଙ୍ଗ ଥାନାଧିକାରୀ ଏସ.କେ. ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏସଆଇ ଜୟଶ୍ରୀ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଗତକାଲି ମଧ୍ୟରାତ୍ରରେ କାର୍ମେଲ ସ୍କୁଲ ନିକଟରେ ଗାଡି ଯାଂଚ କରୁଥିବା ସମୟରେ ଓଡି-୨୨ଆର-୫୮୪୭ ନମ୍ବରର ୟାମା ଆର ୧୫ ରେ ଦୁଇଜଣ ଯୁବକକୁ ସନ୍ଦେହ ହେବାରୁ ଅଟକାଇଥିଲେ। ତିହିଡି ଥାନା ଅଧୀନସ୍ଥ ତଳକାଁପଡା ନିବାସୀ ଅକ୍ଷୟ କୁମାର ଦାସଙ୍କ ପୁତ୍ର ଓମ୍ ଅଭିଷେକ ଦାସ ଓରଫ ହାପି (୨୫) ନିକଟରୁ ୧୬.୦୨ ଗ୍ରାମ ଓ ହାଟୁଆରୀ ଗ୍ରାମନିବାସୀ ଅମୂଲ୍ୟ ମହାଳିକଙ୍କ ପୁତ୍ର ଉତମ କୁମାର ମହାଳିକ (୩୨)ଙ୍କ ନିକଟରୁ ୧୦.୫୭ ଗ୍ରାମର ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଓ ବାଇକ୍‌ଟିକୁ ଜବତ କରାଯାଇଛି। ତେବେ ତଦନ୍ତ ସମୟରେ ଉତମ ନାମରେ ତିହିଡି ଥାନାରେ ୫ ଗୋଟି କେଶ୍ ରହିଥିବାବେଳେ ଓମ୍ ଅଭିଷେକ ନାମରେ ୨ଟି ମାମଲା ଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.