Home ଜିଲ୍ଲା ପରିକ୍ରମା ଭଦ୍ରକ ସହରର ଗଣେଶ ପୂଜା ଓ ଭସାଣି ଶୋଭାଯାତ୍ରା-୨୦୨୫ ଉପଲକ୍ଷେ ପ୍ରସ୍ତୁତି ବୈଠକ, ଶୋଭାଯାତ୍ରା ରେ...

ଭଦ୍ରକ ସହରର ଗଣେଶ ପୂଜା ଓ ଭସାଣି ଶୋଭାଯାତ୍ରା-୨୦୨୫ ଉପଲକ୍ଷେ ପ୍ରସ୍ତୁତି ବୈଠକ, ଶୋଭାଯାତ୍ରା ରେ ୬୫ ଡେସିମାଲ ଭିତରେ ଳାଉଡ ସ୍ପିକର, ଡିଜେ ବନ୍ଦ ଓ ପାରମ୍ପାରିକ ବାଦ୍ୟ ଉପରେ ଗୁରୁତ୍ୱ

15

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଗଣେଶପୂଜା ଓ ଭସାଣି ଶୋଭାଯାତ୍ରା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଭଦ୍ରକର ଜିଲ୍ଲାପାଳ ଦିଲୀପ ରାଉତରାଏ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଭଦ୍ରକର ଆରକ୍ଷୀ ଅଧ୍ୟୀକ୍ଷକ ମନୋଜ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନାରାୟଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧ୍ୟୀକ୍ଷକ ଅଂଶୁମାନ ଦ୍ୱିବେଦୀ, ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଲ, ତହସିଲଦାର ଭଦ୍ରକ ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ ସମେତ ଶାନ୍ତି କମିଟିର ସଦସ୍ୟ, ହିନ୍ଦୁ ସୁରକ୍ଷ। ସମିତି ଏବଂ ବୁଢା ଗଣେଶ, ଟୋକା ଗଣେଶ, ପିଲା ଗଣେଶ, ଛୁଆ ଗଣେଶ, କାଂଚନ ଗଣେଶ ଏବଂ ଗଜାନନ ପୂଜା କମିଟି ର ସଭାପତି/ସଂପାଦକ ମାନେ ଉପସ୍ଥିତ ଥିଲେ ଏବଂ ସେମାନଙ୍କର ପୂଜା ଓ ଭସାଣୀ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ଗଣେଶ ପୂଜା ଏବଂ ଭସାଣି ଶୋଭାଯାତ୍ରା କିପରି ଶାନ୍ତି ଶୃଙ୍ଖଳା ଏବଂ ଭାଇଚାରା ର ସହିତ ଭଦ୍ରକ ସହରରେ ପାଳନ କରାଯିବ ସେଥିପାଇଁ ଜିଲ୍ଲାପାଳ ସମସ୍ତ କର୍ମକର୍ତାଙ୍କ ସହଯୋଗ କାମନା କରିଥିଲେ । ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଲ ଶାନ୍ତି କମିଟିର ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହିତ ଆଜିର ବୈଠକର ଉଦ୍ଦେଶ୍ୟ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ହିନ୍ଦୁ ସୁରକ୍ଷ। ସମିତି,ସଭାପତି/ସମ୍ପାଦକ, ମୁସଲିମ୍ ଜମାତ୍‌, ଭଦ୍ରକ ଏବଂ ଶାନ୍ତି କମିଟିର ସଭ୍ୟମାନେ ଏହି ଉତ୍ସବ ପାଇଁ ସେମାନଙ୍କର ଯୋଜନା ଟିପ୍ପଣୀ ବିଷୟରେ ଅବଗତ କରାଇଥିଲେ ।ଚଳିତ ବର୍ଷ ଗଣେଶ ପୂଜା ଅଗଷ୍ଟ ୨୭ ତାରିଖରେ ପଡ଼ୁଥିବାରୁ ଏହାର ସୁପରିଚାଳନା ନିମନ୍ତେ ହିନ୍ଦୁ ସୁରକ୍ଷ। ସମିତିର ସଭାପତି ଶ୍ରୀ ବିଦ୍ୟାଧର ସାହୁ ଏହି ସଭାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଜିଲ୍ଲା ପ୍ରଶାସନର ସହଯୋଗ ଲୋଡିଥିଲେ । ମୁସଲିମ ଜମାତ, ଭଦ୍ରକର ଉପସଭାପତି ସେକ ମହମ୍ମଦ ଜକାଉଲ୍ଲା ଆଲୋଚନାରେ ଅଂଶଗ୍ରହଣ କରି ସମସ୍ତଙ୍କୁ ଆସନ୍ନ ଗଣେଶ ପୂଜା ପାଇଁ ଶୁଭେଚ୍ଛା ଜଣାଇବା ସହ ଗଣେଶ ପୂଜା ପରି ପବିତ୍ର ପର୍ବକୁ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବା ପାଇଁ ସେମାନେ ସମସ୍ତ ସହାଯୋଗ ଯୋଗାଇ ଦେବେ ବୋଲି ବୈଠକ ରେ ଆଶ୍ୱାସନା ଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ସର୍ବଦା ଭାଇଚାରା ବଜାୟ ରଖିବେ ଏବଂ ବିଭିନ୍ନ ଗଣେଶ ପୂଜା କମିଟିର ଅନୁରୋଧ ଅନୁଯାୟୀ ଅଂଶଗ୍ରହଣ କରିବେ ଏବଂ ଭସାଣି ଶୋଭାଯାତ୍ରା ସମୟରେ ଉପସ୍ଥିତ ରହି ପ୍ରଶାସନ ତଥା ବିଭିନ୍ନ ଗଣେଶ ପୂଜା କମିଟିକୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିବେ। ଚଳିତ ବର୍ଷ ଗଣେଶପୂଜା ଓ ଭସାଣି ଶୋଭାଯାତ୍ରାରେ ଡିଜେ ର ବ୍ୟବହାର ସଂପୂର୍ଣ୍ଣ ବନ୍ଦ କରାଯିବା ସହିତ ସୋସିଆଲ ମିଡିଆରେ (ସାମାଜିକ ଗଣମାଧ୍ୟମ) ଯେପରି କୌଣସି ଧର୍ମିକୁ ଆକ୍ଷେପ କିମ୍ବା ଗୁଜବ ପ୍ରଚାର ନକରିବା ଦିଗରେ ଦୃଢ ପଦକ୍ଷେପ ନିଆଯିବ ବୋଲି ଆଲୋଚନା କରାଯାଇଥିଲା । ଏଥିସହ ସମ୍ବେଦନଶୀଳ ଜାଗାମାନଙ୍କରେ ସିସିଟିଭି ମାନ ଲଗାଯିବା ନେଇ ଆଲୋଚନା ହୋଇଥିଲା । ପୂଜା ମଣ୍ଡପଗୁଡିକ ବୈଦ୍ୟୁତିକ ବିଭାଗ ଓ ଅଗ୍ନିଶମ ବିଭାଗରୁ ଅନୁମତି ଆଣି ସଂପୃକ୍ତ ଥାନା ଅଧିକାରୀଙ୍କୁ ପୂଜା ଆଗରୁ ପ୍ରଦାନ କରିବେ । ପୂଜାପାର୍ବଣରେ ବ୍ୟବହୃତ ପୂଜାସାମଗ୍ରୀ ଯଥା ବାସିଫୁଲ, ଫଳ, ପତ୍ର , ପ୍ରସାଦ, ପ୍ରତିମା ଆଦି ପ୍ରାକୃତିକ ଜଳାଶୟ ତଥା ନଦୀ, କେନାଲ ଓ ନାଳ ରେ ନପକାଇବା ଉପରେ ଆଲୋଚନା ହୋଇଥିଲା ଏବଂ ଲୋକମାନଙ୍କର ଧାର୍ମିକ ଭାବାବେଗକୁ ଅକ୍ଷ୍ୟୁର୍ଣ ରଖି ନଦୀଘାଟ ନିକଟରେ କୃତ୍ରିମ ଜଳାଶୟ କରି ପ୍ରତିମା ବିସର୍ଜନ କରାଯିବ ଏବଂ ବାସିଫୁଲ, ଫଳ, ପତ୍ର , ପ୍ରସାଦକୁ ଜୈବିକ ସାରରେ ପରିଣତ କରିବାକୁ ବ୍ୟବସ୍ଥା କରାଯିବ। ନେଇ ଆଲୋଚନା କରାଯାଇଥିଲା । ଉତ୍ସବ ପୂର୍ବରୁ ସହରରେ ରାସ୍ତାଘାଟ ର ମରାମତି, ଆଲୋକୀକରଣ, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ସହରରେ ନିରବଚ୍ଛିନ ବିଦ୍ୟୁତ ଯୋଗାଣ, ବେଆଇନ ମାଦକ ଦ୍ରବ୍ୟ ଉପରେ କଟକଣା, ଅଗ୍ନିଶମ ବିଭାଗ ସେବାର ସୁବିନିଯୋଗ, ଯାନ ବାହନ ଚଳାଚଳ ନିୟମ କୁ କଡାକଡି ପାଳନ କରିବା ଏବଂ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଡାକ୍ତରୀ ସେବା ଯୋଗାଇଦେବା ସହିତ ଆମ୍ବୁଲାନ୍ସ ଏବଂ ମେଡିକାଲ ଟିମ ର ବ୍ୟବସ୍ଥା ଉପରେ ବିଭିନ୍ନ ବିଭାଗୀୟ କର୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ । ସେହିପରି ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ, ରୋଟାରିଆନ ତଥା ଶାନ୍ତି କମିଟିର ସଦସ୍ୟ ଅତିଶ ବେହେରା, ସମାଜ ସେବୀ ସୁଧାକର ରାଉତ, ଏସ ଏମ ଫାରୁକ, ଗଣେଶପୂଜା ଓ ଭସାଣି ଶୋଭାଯାତ୍ରାକୁ ଶୃଙ୍ଖଳିତ ଭାବେ ପାଳନ କରାଯିବା ନିମନ୍ତେ ଦିଗଦର୍ଶନ ପ୍ରଦାନ କରିଥିଲେ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ମୂର୍ତି ବିସର୍ଜନବେଳେ ସତର୍କତା ଅବଲମ୍ବନ କରିବେ , ଯେପରି କିଛି ଅଘଟଣ ନଘଟେ ବୋଲି ଶାନ୍ତି କମିଟିର ସଦସ୍ୟ ଅତିଶ ବେହେରା ପ୍ରକାଶ କରିଥିଲେ । ବିଦ୍ୟାଳୟରେ ମୂର୍ତି ବିସର୍ଜନବେଳେ କୌଣସି ଛାତ୍ର/ଛାତ୍ରୀଙ୍କୁ ଜଡିତ କରାଯିବ ନାହିଁ ବୋଲି ଆରକ୍ଷୀ ଅଧ୍ୟୀକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରାସ୍ତାକୁ ଆର ପାର କରି କୌଣସି ତୋରଣ କରାଯିବ ନାହିଁ, ଲାଉଡ ସ୍ପିକର ପାଇଁ ଉପଜିଲ୍ଲାପାଳ, ଭଦ୍ରକ ଓ ମାର୍ଗ ଅନୁମତିପାଇଁ ସଂପୃକ୍ତ ଥାନା ଅଧିକାରୀ ଙ୍କ ପାଖରୁ ଅନୁମତି ନେବା ନେଇ ସ୍ଥିର କରାଗଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧ୍ୟୀକ୍ଷକ ମିଳିତଭାବରେ ଭସାଣୀ ର ତାରିଖ ନିମ୍ନମତେ ଘୋଷଣା କଲେ । ଗଜାନନ ପୂଜା କମିଟି ୨୧.୦୯.୨୫, କାଂଚନ ଗଣେଶ ପୂଜା କମିଟି ୨୨.୦୯.୨୫, ପିଲା ଗଣେଶ ପୂଜା କମିଟି ୨୩.୦୯.୨୫, ଛୁଆ ଗଣେଶ ପୂଜା କମିଟି ୨୫.୦୯.୨୫, ବୁଢା ଗଣେଶ ପୂଜା କମିଟି ୨୬.୦୯.୨୫, ଟୋକା ଗଣେଶ ପୂଜା କମିଟି ୨୭.୦୯.୨୫ । ଏହା ବାଦ ଜିଲ୍ଲାରେ ହେଉଥିବା ଅନ୍ୟ ପୂଜା କମିଟିମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୦୨.୦୯.୨୫ ଏବଂ ଦ୍ୱିତିୟ ପର୍ଯ୍ୟାୟରେ ୦୭.୦୯.୨୫ ରୁ ୧୨.୦୯.୨୫ ମଧ୍ୟରେ ମୂର୍ତି ବିସର୍ଜନ କରିବେବୋଲି ସିଦ୍ଧାନ୍ତ ହୋଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ (ରାଜସ୍ୱ) ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.