Home ଜିଲ୍ଲା ପରିକ୍ରମା ଭଦ୍ରକ ସହରର ଉଚ୍ଛେଦକୁ ପୂରିଲା ୪ ମାସ, ସ୍ଥାଣୁ ପାଲଟିଛି ଜିଲା ପ୍ରଶାସନ, ପୁଣି ଟ୍ରଲି...

ଭଦ୍ରକ ସହରର ଉଚ୍ଛେଦକୁ ପୂରିଲା ୪ ମାସ, ସ୍ଥାଣୁ ପାଲଟିଛି ଜିଲା ପ୍ରଶାସନ, ପୁଣି ଟ୍ରଲି ଓ ଉଠା ବ୍ୟବସାୟୀଙ୍କ କବ୍‌ଜାରେ ସହର, ବନ୍ତଛକରେ ରାସ୍ତାଖୋଳାକୁ ନେଇ ଲୋକେ ହନ୍ତସନ୍ତ

18

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ଉଚ୍ଛେଦ ପ୍ରକ୍ରିୟାକୁ ଆଉ କିଛିଦିନ ପରେ ୪ ମାସ ପୂରିବ। କିନ୍ତୁ ଏବେ ଯଥା ପୂର୍ବଂ ତଥା ପରଂ ଅବସ୍ଥା ଦେଖିବାକୁ ମିଳିଛି। ଯେଉଁସବୁ ସରକାରୀ ଜମିକୁ ଜବରଦଖଲକାରୀଙ୍କ କବ୍‌ଜାରୁ ଉଦ୍ଧାର କରାଯାଇଥିଲା, ଏବେ ସେହି ସ୍ଥାନ ଗୁଡିକରେ ପୂର୍ବ ବ୍ୟବସାୟୀମାନେ ବାଉଁଶ ଓ ଜରିପାଲ ଓ ଟ୍ରଲି ରଖି ବେପାର ଆରମ୍ଭ କରିଛନ୍ତି। ଏପରିକି ଟ୍ରଲି ବ୍ୟବସାୟୀମାନେ ସେମାନଙ୍କର ଜବରଦଖଲକୁ ଅଧିକ କ୍ରିୟାଶୀଳ କରିଛନ୍ତି। ଫଳରେ କଚେରୀ ବଜାରରେ ଟ୍ରାଫିକ୍ ସମସ୍ୟା ଉତ୍କଟ ରୂପ ଧାରଣ କରି କାଳୀପୂଜା ଭଳି ଐତିହାସିକ ରାଜ୍ୟସ୍ତରୀୟ ମେଳାରେ ପକେଟମାର୍ ଓ ଚୋରଙ୍କୁ ଅପୂର୍ବ ସୁଯୋଗ ଆଣିଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବନ୍ତଛକ ପୋଲର ଉଭୟ ପାଶ୍ୱର୍ରେ ଥିବା ଉଠାଦୋକାନୀ, ଟ୍ରଲିଗୁଡିକୁ ଉଚ୍ଛେଦ କରାଯାଇ ଉଭୟ ପାଶ୍ୱର୍ ଡିଭାଇଡର ପରେ ଥିବା ୩.୬ ମିଟର ସ୍ଥାନକୁ ରାସ୍ତା ସଂପ୍ରସାରଣରେ ମିଶାଇ ଅବଶିଷ୍ଟ ସ୍ଥାନରେ ପେବର ପକାଇବା ନେଇ ଖୋଦ୍ ଜିଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି, ତହସିଲଦାର ସଂଗ୍ରାମ କେଶରୀ ଖୁଂଟିଆ ଓ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ପ୍ରମୁଖ ନିଜେ ସରଜମିନ୍ ତଦନ୍ତ କରିଥିଲେ। ଏବଂ ଏହା ପରେ ପରେ ଏହି ପ୍ରକ୍ରିୟା ଜାତୀୟ ରାଜପଥ ପ୍ରାଧିକର ସଂସ୍ଥା ଦ୍ୱାରା ଆରମ୍ଭ ହୋଇଥିଲା।

ତେବେ ଏବେ ଉଭୟ ପାଶ୍ୱର୍ର ଡିଭାଇଡରକୁ ଭାଂଗି ପୋଲମୋଡ ପର୍ଯ୍ୟନ୍ତ ଜବରଦଖଲ ସ୍ଥାନକୁ ପ୍ରୋକ୍ଲିନ୍ ଦ୍ୱାରା ତାଡି ନୂତନ ରାସ୍ତାର କାର୍ଯ୍ୟ ଆରମ୍ଭ ହେବାର ସୂଚନା ମିଳିଥିଲା। କିନ୍ତୁ ଏବେ ସେହି ସ୍ଥାନଗୁଡିକ ଯାନବାହନ ଚଳାଚଳର ମରଣଯନ୍ତା ପାଲଟିଛି। ପୋଲର ତଡାଯାଇଥିବା ଉଭୟପାଶ୍ୱର୍ର କିଛି ସ୍ଥାନକୁ ପୂର୍ବଭଳି କେତେକ ଉଠାଦୋକାନୀ, ଫଳ ଓ ଟ୍ରଲି ବ୍ୟବସାୟୀ ଜବରଦଖଲି କରି ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବାବେଳେ କିଛି ଘରୋଇ ପରିବହନ ଗାଡି ସେଠାରେ ରହଣିସ୍ଥଳ କରିସାରିଲେଣି। ତେବେ ଡିଭାଇଡର ଭଂଗାଯାଇଥିବା ଏହି ଉଭୟ ପାଶ୍ୱର୍ ଏବେ ବର୍ଷା ପରେ ପରେ ପଙ୍କ କାଦୁଅରେ ପରିପୂର୍ଣ୍ଣ ହୋଇ କେବଳ ପଥଚାରୀ ନୁହଁନ୍ତି, ଛୋଟବଡ ଯାନବାହନ ପାଇଁ ବିପଦକୁ ଆମନ୍ତ୍ରଣ କରିଚାଲିଛି। ଅନୁରୂପ ବନ୍ତଛକର ଏଲଆଇସି ଅଫିସ୍ ନିକଟ ଦେଇ ଯାଇଥିବା ଡ୍ରେନେଜ୍‌କୁ ସଂସ୍କାର କରିବାକୁ ଯାଇ ଉକ୍ତ ରାସ୍ତାଟିକୁ ଦୀର୍ଘ ୧୫ ଦିନରୁ ଉର୍ଦ୍ଧ୍ୱ ହେବ ତାଡି ଯେଭଳି ଖୋଲାମେଲା ପକାଇ ଦିଆଯାଇଛି, ତାହା ବସ୍‌, ଟ୍ରେକର ଓ ଫେକରକୁ ଯାଉଥିବା ଆଇରନ ଗାଡି ଓ ବାଲି ଗାଡି ସହ ସାଧାରଣ ଲୋକଙ୍କ ଯାତାୟତରେ ନାହିଁ ନଥିବା ସମସ୍ୟା ସୃଷ୍ଟି କରିଛି। ଏ ଦିଗରେ ନା ଜିଲା ପ୍ରଶାସନ ନା ବିଭାଗୀୟ କର୍ତୃପକ୍ଷ ଦୃଷ୍ଟି ଦେଉନାହାଁନ୍ତି। ସେହିଭଳି ଉଠାଯାଇଥିବା କଲେଜ ଛକ ମାଛ ମାର୍କେଟ ସହ ବିଭିନ୍ନ ଉଚ୍ଛେଦ ସ୍ଥାନ ଗୁଡିକ ଏବେ ଯେଭଳି ଭାବେ ପୂର୍ବ ଠାରୁ ଅଧିକ ଜବରଦଖଲକୁ ଚାଲିଗଲାଣି, ତାହା ପ୍ରଶାସନର ଅପାରଗତାକୁ ପ୍ରମାଣିତ କରିଛି। ଏଣୁ ଏ ଦିଗରେ ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ ପୂର୍ବକ ଉଚିତ୍ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.