Home ଜିଲ୍ଲା ପରିକ୍ରମା ଭଦ୍ରକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ, ଏକମାସ ମଧ୍ୟରେ ଘୋଷଣା ନହେଲେ ବିଧାୟକଙ୍କ ବାସଭବନ...

ଭଦ୍ରକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ, ଏକମାସ ମଧ୍ୟରେ ଘୋଷଣା ନହେଲେ ବିଧାୟକଙ୍କ ବାସଭବନ ସମ୍ମୁଖରେ ଧାରଣା ଚେତାବନୀ – କ୍ରିୟାନୁଷ୍ଠାନ କମିଟି

30

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ‘ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି’ ଆନୁକୂଲ୍ୟରେ ସ୍ଥାନୀୟ ସାଳନ୍ଦୀ ନଗରସ୍ଥିତ ଭଦ୍ରାଣୀ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରାଯାଇଥିଲା । ଡାକ୍ତର ହରେକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା, ସୁପର ସ୍ପେଶାଲିଷ୍ଟ ହସ୍‌ପିଟାଲ ଏବଂ ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ଦାବି କରାଯାଇଥିଲା । ଭଦ୍ରକରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ହେବ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରିନାହାଁନ୍ତି । ରାଜ୍ୟର ବିଭିନ୍ନ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଭଦ୍ରକ ଭଳି ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ ଏକ ସମ୍ବେଦନଶୀଳ ବାଣିଜ୍ୟ ପେଣ୍ଠ ଭାବେ ପରିଚିତ ଜିଲାକୁ କାହିଁକି ବାଦ୍ ଦିଆଯାଉଛି, ତାହା ଭଦ୍ରକ ବାସୀଙ୍କ ପାଇଁ ରହସ୍ୟ ହୋଇ ରହିଛି । ଭଦ୍ରକ ଜିଲାର ଜନପ୍ରତିନିଧିମାନେ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ମନ୍ତ୍ରୀ ହେବା ସହ ଅତୀତରେ ଦୁଇଜଣ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ଦେଇଥିଲେ ମଧ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭଦ୍ରକ ଅବହେଳିତ ହୋଇ ରହିଛି ବୋଲି କ୍ରିୟାନୁଷ୍ଠାନ କମିଟିର ଡାକ୍ତର ହରେକୃଷ୍ଣ ନାୟକ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଅଭୟ ଦ୍ୱିବେଦୀ, ଅଧିବକ୍ତା ପର୍ଶୁରାମ ଦ୍ୱିଦେବୀ, ରାମଚନ୍ଦ୍ର ବେହେରା, ସୁଧାକର ରାଉତ, ଶାନ୍ତନୁ ରାଉତ, ବସନ୍ତ କୁମାର ପାଣିଗ୍ରାହୀ, ଶ୍ରୀହର୍ଷ ସ୍ୱାଇଁ ପ୍ରମୁଖ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ ।

ବିଶେଷକରି ଏବେ ଭଦ୍ରକ ଜିଲାରେ ଶହେରୁ ଅଧିକ ଡାକ୍ତର ପଦବୀ ଖାଲି ପଡିଛି । ଏବଂ ନୂତନ ମୁଖ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ୧୦୦ କୋଟି ଟଙ୍କା ଅନୁଦାନ ଆସିଥିଲେ ମଧ୍ୟ ତାହା ଖର୍ଚ୍ଚ ନହୋଇ ପଡିରହିବା ଘଟଣାକୁ କମିଟିର ସଦସ୍ୟମାନେ ନିନ୍ଦା କରିଥିଲେ । ଏବଂ ସରକାରୀ ସ୍ତରରେ ଯଦି ଏକମାସ ମଧ୍ୟରେ ମେଡିକାଲ କଲେଜ ପ୍ରତିଷ୍ଠା ଦିଗରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ ବିଧାୟକଙ୍କ ଘର ସମ୍ମୁଖରେ ଧାରଣା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ବିଷୟ ଗଣମାଧ୍ୟମ ସମ୍ମୁଖରେ ମତପ୍ରକାଶ ପାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସୀତାକାନ୍ତ ଦାସ, ଇନ୍ଦ୍ରଜିତ୍ ସାହୁ, ବୈଲୋଚନ ବେହୁରିଆ, ପ୍ରମୋଦ ରାୟ, ଶିଶିର ମିଶ୍ର, ଦିଲ୍ଲୀପ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.