Home ଜିଲ୍ଲା ପରିକ୍ରମା ଭଦ୍ରକ ସଂସଦୀୟ ଅଧୀନସ୍ଥ ରେଳଷ୍ଟେସନଗୁଡିକର ଉନ୍ନତି ପାଇଁ ସାଂସଦଙ୍କ ଆଲୋଚନା

ଭଦ୍ରକ ସଂସଦୀୟ ଅଧୀନସ୍ଥ ରେଳଷ୍ଟେସନଗୁଡିକର ଉନ୍ନତି ପାଇଁ ସାଂସଦଙ୍କ ଆଲୋଚନା

51

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସଂସଦୀୟ ପରିସରଭୁକ୍ତ ପୂର୍ବତଟ ରେଳବାଇର ବିଭିନ୍ନ ରେଳଷ୍ଟେସନର ଉନ୍ନତି ପାଇଁ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଭୁବନେଶ୍ୱରଠାରେ ପୂର୍ବତଟ ରେଳବାଇର ଜେନେରାଲ ମେନେଜର ଓ ଉଚ୍ଚ ପଦାଧିକାରୀ ମାନଙ୍କ ସହ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। ବିଶେଷକରି ଭଦ୍ରକ ରେଳଷ୍ଟେସନ ଅତ୍ୟାଧୁନିକମାନର ନିର୍ମାଣ ହେବା, ପୁରୀ ନୂତନ ଦୈନିକ ପାସେଞ୍ଜର ଶୀଘ୍ର ଚାଲୁହେବା, ଯାଜପୁର ରୋଡ୍‌ଠାରୁ ବିରଜା ପୀଠ, ଆଖଣ୍ଡଳମଣି ପୀଠ, ଧାମରା ବନ୍ଦରକୁ ରେଳ ସଂଯୋଗୀକରଣର ପ୍ରସ୍ତାବ, ଭଦ୍ରକ-ଧାମରା ମଧ୍ୟରେ ପାସେଞ୍ଜର ରେଳ ଚଳାଚଳ ଓ ଭଦ୍ରକ ଠାରେ ନୂଆ ରେଳ ଡିଭିଜନ ପ୍ରତିଷ୍ଠା ପ୍ରସ୍ତାବ ସଂପର୍କରେ ସାଂସଦ ଶ୍ରୀମତୀ ମଣ୍ଡଳ ଆଲୋଚନା କରିଥିଲେ। ଭଦ୍ରକ ସଂସଦୀୟ ଅଧୀନ ପୂର୍ବତଟ ରେଳବାଇର ବିଭିନ୍ନ ରେଳଷ୍ଟେସନ ଯଥା ଭଦ୍ରକ, ବାଉଦପୁର, କେନ୍ଦୁଆପଦା, ମଂଜୁରୀରୋଡ୍‌, କପାଳି ରୋଡ୍ ଷ୍ଟେସନର ଉନ୍ନତି, ଭଦ୍ରକ ରେଳଷ୍ଟେସନକୁ ଅତ୍ୟାଧୁନିକମାନର ନିର୍ମାଣ କରିବା, ଭଦ୍ରକ ପୁରୀ ନୂତନ ପାସେଞ୍ଜର ଟ୍ରେନ୍‌ର ଶୁଭାରମ୍ଭ, ନୂଆ ରେଳ ଉଡନ୍ତା ପୋଲ (ଆରଓବି) ନିର୍ମାଣ ଯଥା ଭଦ୍ରକ ଏଲ୍‌ସି ଗେଟ୍ ନଂ ୧୧୯, ଏଲ୍‌ସି ଗେଟ୍ ନଂ ୧୧୮, କେନ୍ଦୁଆପଦା ଏଲ୍‌ସି ଗେଟ୍ ନଂ ୧୨୪ ଓ ୧୨୫, ମଂଜୁରୀରୋଡ୍ ଏଲ୍‌ସି ଗେଟ୍ ନଂ ୧୨୯ ଠାରେ ନୂଆ ପୋଲ ନିର୍ମାଣ ପାଇଁ ରେଳବିଭାଗ ଅନୁମୋଦନ କରିଥିଲେ ମଧ୍ୟ ଏହାର ଶୀଘ୍ର କାର୍ଯ୍ୟକାରିତା ନେଇ ସାଂସଦ ଶ୍ରୀମତୀ ମଣ୍ଡଳ ଗୁରୁତ୍ୱ ଦେଇଥିଲେ।

ସେହିପରି ବିଭିନ୍ନ ଷ୍ଟେସନରେ ଦ୍ରୁତଗାମୀ ରେଳ ରହଣି, ଧାମରାକୁ ପାସେଞ୍ଜର ଟ୍ରେନ୍ ଓ ଯାଜପୁର ରୋଡ୍ ଠାରୁ ଧାମରା ବନ୍ଦର ଭାୟା ବିରଜା ଓ ଆଖଣ୍ଡଳମଣି ପୀଠ ଦେଇ ନୂଆ ରେଳ ଲାଇନ୍ ନିର୍ମାଣ ଓ ରେଳ ଚଳାଚଳ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ସମୀକ୍ଷା ବୈଠକରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଖୋର୍ଦ୍ଧା ରୋଡ୍ ଡିଭିଜନ ଉପଭୋକ୍ତା କମିଟିର ସଦସ୍ୟ ଶିଶିର ମିଶ୍ର ଉପସ୍ଥିତ ଥିଲେ। ପୂର୍ବତଟ ରେଳବାଇର ଖୋର୍ଦ୍ଧା ଡିଭିଜନ ଅଧୀନସ୍ଥ ଭଦ୍ରକ ରେଳଷ୍ଟେସନ ରାଜସ୍ୱ ଆୟ କ୍ଷେତ୍ରରେ ଦ୍ୱିତୀୟ ଓ ଜାତିର ପିତା ମହାତ୍ମା ଗାନ୍ଧି ଭାରତଛାଡ ଆନ୍ଦୋଳନ ସମୟରେ ଭଦ୍ରକ ରେଳଷ୍ଟେସନ ଦେଇ ଭଦ୍ରକକୁ ୩ ଥର ଆଗମନ କରିଥିବା ପ୍ରସଙ୍ଗରେ ସାଂସଦ ଓ ବିଧାୟକମାନେ ମତବ୍ୟକ୍ତ କରିଥିଲେ। ପୂର୍ବତଟ ରେଳବାଇ ବିଭାଗର ଜେନେରାଲ ମେନେଜର ଖୁବ୍‌ଶୀଘ୍ର ଜାନୁଆରୀ ମାସରେ ଭଦ୍ରକକୁ ପୁରୀ ପାସେଞ୍ଜର ଟ୍ରେନ୍ ଚାଲୁହେବା ସହ ଭଦ୍ରକ ରେଳଷ୍ଟେସନକୁ ଏକ ଅତ୍ୟାଧୁନିକ ରେଳଷ୍ଟେସନରେ ପରିଣତ କରିବାକୁ, ବିଭିନ୍ନ ଷ୍ଟେସନରେ ଏଲସି ଗେଟ୍ ମାନଙ୍କରେ ପୋଲ ନିର୍ମାଣ କାର୍ଯ୍ୟ, ଅନ୍ୟାନ୍ୟ ଭିତ୍ତିଭୂମିର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସାଂସଦ ଶୀତକାଳୀନ ଅଧିବେଶନ ପରେ ଏକ ନିର୍ଦ୍ଦିଷ୍ଟ ଦିନରେ ସାଂସଦଙ୍କ କ୍ଷେତ୍ର ପରିଦର୍ଶନ କରି ଅନ୍ୟ ସମସ୍ୟା ଗୁଡିକ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସାଂସଦଙ୍କ ଏହି ପଦକ୍ଷେପ ପାଇଁ ଜନସାଧାରଣ, ରେଳ ଉପଭୋକ୍ତା ଓ ବୁଦ୍ଧିଜୀବୀ ମହଲରୁ ବିଧାୟକ ଶ୍ରୀ ସାମଲ, ଶ୍ରୀ ମଲ୍ଲିକ ଓ ପୂର୍ବତନ ବିଧାୟକ ଶ୍ରୀ ମଣ୍ଡଳଙ୍କୁ କୃତଜ୍ଞତା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.