Home ଜିଲ୍ଲା ପରିକ୍ରମା ଭଦ୍ରକ ଶାଖା ଇନ୍‌ଟାକ୍‌ର ଆରଡ଼ି ଗସ୍ତ

ଭଦ୍ରକ ଶାଖା ଇନ୍‌ଟାକ୍‌ର ଆରଡ଼ି ଗସ୍ତ

26

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସାଂସ୍କୃତିକ ଐତିହ୍ୟ ସୁରକ୍ଷାର ଜାତୀୟ ନ୍ୟାସ ଇନ୍‌ଟାକ୍‌ର ଆବାହକ ଦିଗମ୍ବର ମହାନ୍ତି ଆଇ.ଏ.ଏସ୍‌. ଅବସରପ୍ରାପ୍ତ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଅନୁଷ୍ଠାନର ଆଠଜଣ ସଭ୍ୟ ଆରଡ଼ି ଗ୍ରାମର ରବୀନ୍ଦ୍ର କୁମାର ମିଶ୍ରଙ୍କ ବାସ ଗୃହ ମାଟିତଳୁ ମୂଲ୍ୟବାନ ଧାତୁର ମୂର୍ତି ଉଦ୍ଧାର ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ଯାଇଥିଲେ। ପହଂଚିବା ପରେ ରବୀନ୍ଦ୍ର ମିଶ୍ର ତାଙ୍କ ପୁତ୍ର ପ୍ରିୟବ୍ରତ ମିଶ୍ର ସବୁପ୍ରକାର ସହଯୋଗ କରିଥିଲେ। ସେମାନେ କହିଲେ ଯେ ତାଙ୍କ ଘରେ ଅନେକ ଦିନ ଧରି ପାରିବାରିକ ବିଶୃଙ୍ଖଳା ତଥା ଆର୍ଥନୀତିକ ଅନାଟନ ଦେଖାଦେଉଥିଲା। ଏହାପରେ ସେମାନଙ୍କୁ ସ୍ୱପ୍ନାଦେଶ ହେଲା। ଏଣୁ ସେମାନେ ପିରହାଟ ଅଂଚଳର ବାସ୍ତୁଶାସ୍ତ୍ରବିତ୍ ନରୋତମ ମିଶ୍ରଙ୍କୁ ସଂପର୍କ କରିଥିଲେ। ଏହା ମଧ୍ୟରେ ସେମାନେ ଘର ଭିତରେ ଧୂପ ଓ ଝୁଣାର ବାସ୍ନା ହେଉଥିବା ସଂଗେ ସଂଗେ ରାତି ୧୨ଟା ପରେ ପରେ ରୁଣୁ ଝୁଣୁ ଶବ୍ଦ ମଧ୍ୟ ଶୁଣିବାକୁ ପାଉଥିଲେ। ବାସ୍ତୁଶାସ୍ତ୍ରଙ୍କ ନିର୍ଦ୍ଦେଶକ୍ରମେ ସେମାନେ ତାଙ୍କର ଏକ ଶୋଇବା ଘର ଭିତରେ ୬ ଫୁଟ ଓସାର ୬ ଫୁଟ ଗଭୀର ଓ ୧୫ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଳିଥିଲେ। ଶେଷରେ ସେମାନଙ୍କ ଦ୍ୱାରା ସେହି ଖୋଳାଯିବା ସ୍ଥାନରୁ କାଦୁଅ ପାଣି ମଧ୍ୟରୁ ୧.୫’ ଉଚ୍ଚ ଶିବ ମୂର୍ତି , ୧.୫’ ଉଚ୍ଚ ପାର୍ବତୀ ମୂର୍ତି, ୧ ଫୁଟ ଉଚ୍ଚ କାର୍ତିକେୟ ମୂର୍ତି, ଅଧଫୁଟ ଉଚ୍ଚ ଗଣେଶ ମୂର୍ତି, ଅଧଫୁଟ ଉଚ୍ଚ ବୃଷଭ ମୂର୍ତି ଓ ଅଧଫୁଟ ଉଚ୍ଚର ପିକଦାନୀ ମାଟିତଳୁ ଉଦ୍ଧାର କରାଯାଇଛି। ଉକ୍ତ ମୂର୍ତି ଗୁଡ଼ିକ ଅଷ୍ଟଧାତୁରେ ନିର୍ମିତ ବୋଲି ପ୍ରତ୍ୟକ୍ଷ ଦର୍ଶୀ ତଥା ଇନ୍‌ଟାକ୍ ସଭ୍ୟମାନେ ଅନୁମାନ କରିଥିଲେ। ଉକ୍ତ ଟିମ୍‌ରେ ଡଃ ଗୋଲକ ବିହାରୀ ସାହୁ, ଡଃ ଭାଗବତ ତ୍ରିପାଠୀ, ବିଚିତ୍ରାନନ୍ଦ ମହାନ୍ତି, ଅଜିତ୍ କୁମାର ନାୟକ, କୈଳାସ ଚନ୍ଦ୍ର ପଣ୍ଡା, ବାବାଜି ଚରଣ ପଣ୍ଡା, ମୁକ୍ତିକାନ୍ତ ମହାପାତ୍ର, ଯୁଧିଷ୍ଠିର ବାରିକ୍ ଯାଇଥିଲେ। ଏ ବାବଦରେ ଆବାହକ ତଥା ଅନ୍ୟ ସଭ୍ୟମାନେ ଭଦ୍ରକ ଜିଲ୍ଲାପାଳଙ୍କୁ ଫଟୋ ସହ ବିସ୍ତୃତ ବିବରଣୀର ତଥ୍ୟ ପ୍ରଦାନ କରିବା ସଂଗେ ସଂଗେ ରବୀନ୍ଦ୍ର କୁମାର ମିଶ୍ରଙ୍କ ଘରୁ ଉଦ୍ଧାର ହୋଇଥିବା ମୂର୍ତି ଗୁଡ଼ିକୁ ପ୍ରକୃତ ସଂରକ୍ଷଣ କରିବା ପାଇଁ ନିଷ୍ପତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.