ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶେଷରେ ଭଦ୍ରକ ଜିଲା ରାଜନୀତିରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ଇଂ ପ୍ରୟାସକାନ୍ତି ସାମଲ (ଲୁଲୁ) ଙ୍କର ବିଜେପି ମିଶିବା ନେଇ ଯେଉଁ କଳ୍ପନା ଜଳ୍ପନା ଦେଖାଦେଇଥିଲା, ତାହାର ଆଜି ଅନ୍ତ ଘଟିଛି। ରାଜ୍ୟ ବିଜେଡିର ପୂର୍ବତନ ସଂପାଦକ ପଦରେ ଥିବା ଇଂ ଶ୍ରୀ ସାମଲଙ୍କ ନେତୃତ୍ୱରେ ଆଜି ଏହି ଜିଲାର ଭଦ୍ରକ ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ବନ୍ତ ପଂଚାୟତ ସିମିତି ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଭଣ୍ଡାରିପୋଖରୀ ପଂଚାୟତ ସମିତର ଅଧ୍ୟକ୍ଷା ସୁମତୀ ସେଠୀ , ବାସୁଦେବପୁର ପଂଚାୟତ ସିମିତିର ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ ଓ ଭଦ୍ରକ ପଂଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତଙ୍କ ସମେତ ବହୁ ସରପଂଚ ଓ ସମିତି ସଭ୍ୟ ଆଜି ସେମାନଙ୍କର ଶତାଧିକ ସମର୍ଥକ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଟୋପି ପିନ୍ଧିଛନ୍ତି। ଏହି ମହା ମିଶ୍ରଣ ପର୍ବରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବିଜେପି ଜିଲା ସଭାପତି ଭଗବାନ ପଣ୍ଡା, ବନ୍ତ ବିଜେପି ନେତା ସୁଧାଂଶୁ ଶେଖର ନାୟକଙ୍କ ଉପସ୍ଥିତିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଇଂ ଶ୍ରୀ ସାମଲଙ୍କ ସମେତ ସମସ୍ତଙ୍କୁ ପୁଷ୍ପଗୁଚ୍ଛ, ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଛନ୍ତି। ଆଜି ଏହି ମହାମିଶ୍ରଣ ପୂର୍ବରୁ ଭଦ୍ରକର ନୂଆବସ୍ଷ୍ଟାଣ୍ଡରୁ ଇଂ ଶ୍ରୀ ସାମଲଙ୍କ ନେତୃତ୍ୱରେ ବିଭିନ୍ନ ଗାଡିରେ ବିଜେପି ପୋଷ୍ଟର ଓ ପତାକା ଲଗାଇ ଆସିଥିବା ୪ଟି ପଂଚାୟତ ସମିତି ଅଧ୍ୟକ୍ଷ ଓ ସେମାନଙ୍କ ସମର୍ଥକଙ୍କୁ ଜିଲା ବିଜେପି ସଭାପତି ଶ୍ରୀ ପଣ୍ଡା ବଧାଇ ଜଣାଇଥିଲେ। ଏହାପରେ ୫୦ ରୁ ଉର୍ଦ୍ଧ୍ୱ ଗାଡି ବିଜେପିର ପୋଷ୍ଟର ଓ ପତାକା ଲଗାଇ ଭୁବନେଶ୍ୱର ଯାତ୍ରା କରିଥିଲେ। ଏଠାରେ ସୂଚନାଯୋଗ୍ୟ ଏହି ମିଶ୍ରଣ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାର ପୂର୍ବତନ ମନ୍ତ୍ରୀ ଶ୍ରୀ ସାମଲ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସମେତ ଆଗଧାଡିର ସମସ୍ତ ନେତୃତ୍ୱଙ୍କୁ ଡକାଇ ବିଜେଡି ଘର ସଜାଡିବାର ପ୍ରୟାସରେ ଦଳ ଛାଡୁଥିବା ନେତାଙ୍କ ସହ ଆଲୋଚନା କରି ସେମାନଙ୍କୁ ଫେରାଇ ଆଣିବାକୁ ଶ୍ରୀ ସାମଲଙ୍କୁ ଦାୟିତ୍ୱ ଦେଇଥିଲେ। ତେବେ ଦାୟିତ୍ୱ ନେବା ପରେ ଶ୍ରୀ ସାମଲଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ବିଜେଡି ଜିଲା କାର୍ଯ୍ୟାଳୟରେ ବ୍ଲକ୍ ସଭାପତି ପ୍ରଫୁଲ୍ଲ ନାୟକ, ଟାଉନ୍ ସଭାପତି ମହମ୍ମଦ ଜକାଉଲ୍ଲା, ପୌରାଧ୍ୟକ୍ଷା ଗୁଲମକୀ ହବିବଙ୍କ ସମେତ ପୌରପାଳିକାର ଦଳୀୟ କାଉନ୍ସିଲର, ଜିଲା ପରିଷଦ ସଭ୍ୟ, ଭଦ୍ରକ ବ୍ଲକ୍ର କିଛି ସରପଂଚ ଓ ସମିତି ସଭ୍ୟ ଯୋଗଦେଇ ଦଳର ବିପର୍ଯ୍ୟନ୍ତ ଓ ସାଙ୍ଗଠନିକ ସ୍ଥିତିକୁ ନେଇ ଆଲୋଚନା କରିଥିଲେ। ଏହି ଆଲୋଚନା କାଳରେ ଦଳର ସାଙ୍ଗଠନିକ ସ୍ଥିତି ଓ ବ୍ୟବସ୍ଥାକୁ ନେଇ ଉପସ୍ଥିତ ଦଳୀୟ ନେତୃତ୍ୱଙ୍କ ମଧ୍ୟରେ ବହୁ ପାଟିତୁଣ୍ଡ ଓ ହୋ ହାଲ୍ଲା ଦେଖିବାକୁ ମିଳିଥିଲା। ଯାହା ପରୋକ୍ଷରେ ଦଳରେ ଥିବା ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଥିଲା। ତେବେ ଦଳ ଛାଡୁଥିବା ଜିଲାର ୪ ପଂଚାୟତ ସମିତି ଅଧ୍ୟକ୍ଷ ଓ ସେମାନଙ୍କର ସମର୍ଥକଙ୍କ ମହାମିଶ୍ରଣରେ ଉଦ୍ବେଗ ପ୍ରକାଶ କରି ଏହି ବୈଠକ ଡକାଯାଇଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା। ବିଜେପିରେ ମିଶିବା ପୂର୍ବରୁ ୪ ପଂଚାୟତ ସମିତି ଅଧ୍ୟକ୍ଷ ଏକକାଳୀନ ଦଳରୁ ଇସ୍ତଫା ଦେଇଥିଲେ। ସେମାନଙ୍କ ବହୁ ପୂର୍ବରୁ ପ୍ରଫୁଲ୍ଲ ସାମଲଙ୍କ ପୁଅ ଲୁଲୁ ସାମଲ କୌଣସି କାରଣ ନଦର୍ଶାଇ ଦଳରୁ ଇସ୍ତଫା ଦେବା ସହିତ ଭିତିରିଆ ବିଜେପି ସଂପର୍କରେ ରହିଆସୁଥିଲେ। କିନ୍ତୁ ସେତେବେଳେ ପୁତ୍ରର ଏହି ସଂପର୍କକୁ ନେଇ ପ୍ରଫୁଲ୍ଲ କୌଣସି ମତାମତ ଦେବା ତ ଦୂରର କଥା ଦଳର ଜଣେ ପୂର୍ବତନ ଜିଲା ସଭାପତି ଓ ବରିଷ୍ଠ ନେତା ଭାବେ ସେ ମୁହଁ ଖୋଲିନଥିଲେ। କିନ୍ତୁ ନେଡିଗୁଡ କହୁଣୀକୁ ବୋହିଗଲା ସଦୃଶ ପରିସ୍ଥିତି ଅଣାୟତ ହେଉ କିମ୍ବା ନବୀନ ବାବୁଙ୍କ ଚାପରେ ହେଉ ସେ ଶେଷ ମୁହୂର୍ତରେ ଦଳ ସଜାଡିବାର ପ୍ରୟାସ କରି ଦଳ ଛାଡିଥିବା ନେତାଙ୍କ ସହ ଆଲୋଚନାର କୌଣସି ଆବଶ୍ୟକତା ନାହିଁ ବୋଲି ଗଣମାଧ୍ୟମକୁ କହିଥିଲେ। ଏବଂ ଏହି ଜିଲାରେ ବିଜେଡି ପୂର୍ବଭଳି ବେଶ୍ ସୁଦୃଢ ଓ ସଂଗଠିତ ରହିଛି । ଏବଂ ଏହାକୁ ନେଇ କେହି ଭୟଭୀତ ହେବାର ଆବଶ୍ୟକତା ନଥିବାର ଦର୍ଶାଇ ଯେଉଁମାନେ ବ୍ୟକ୍ତିଗତ ସ୍ୱାର୍ଥପାଇଁ ଦଳ ଛାଡୁଛନ୍ତି, ସେମାନଙ୍କ ପାଖରେ କୌଣସି ଲୋକ ନଥିବାର କହିଥିଲେ। ଏଥିସହ ଆଗାମୀ ଦିନରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ବେଶ୍ ଆଗକୁ ବଢିବ ବୋଲି କହିଥିଲେ। ଯିଏ ଦଳ ଛାଡି ଯାଉଛି, ସେଥିରେ କୌଣସି ଫରକ ପଡିବ ନାହିଁ। ତେବେ ନବୀନ ନିବାସ ବୈଠକ ନିଷ୍ପତି ମୂଳେ ଦଳ ଛାଡୁଥିବା ଲୋକଙ୍କୁ ଫେରାଇ ଆଣିବା ଦିଗରେ ଏକ ସମୂହ ପ୍ରୟାସ ଜାରି ରହି ସମସ୍ତେ ଉଦ୍ୟମ କରୁଥିବା ବିଷୟ କହିଥିଲେ। ଏ ସଂପର୍କରେ ବ୍ଲକ୍ ସଭାପତି ବ୍ୟକ୍ତିଗତ କାରଣ ଦର୍ଶାଇ ବ୍ଲକ୍ ଅଧ୍ୟକ୍ଷମାନେ ଦଳ ଛାଡୁଥିବା ପଛରେ ସରକାର ବଦଳିଥିବାରୁ କିଛି ଭୟଭୀତ ହୋଇ ଓ ଆଉ କେତେକ ସେମାନଙ୍କର କାମର ବିଲ୍ ଅଟକି ରହିଥିବାରୁ ବାଧ୍ୟ ହୋଇ ଏଭଳି ଚରମ ପନ୍ଥାକୁ ବାଛି ନେଇଥିବା ବିଷୟ କହିଛନ୍ତି।








