ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଲାୟନ୍ସ କ୍ଲବ୍ ପକ୍ଷରୁ ପ୍ରତିବର୍ଷ ଭଳି ସହରାଂଚଳ ଥାନାଛକରେ ଗରିବ ଦୁସ୍ଥ ଲୋକମାନଙ୍କ ପାଇଁ ପୁରୁଣା ବସ୍ତ୍ର ବଂଟନ ଷ୍ଟଲ ଖୋଲାଯାଇଛି। ଏହି ଷ୍ଟଲରେ ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ପୁରୁଷ ଓ ମହିଳାମାନଙ୍କ ପାଇଁ ଶୀତବସ୍ତ୍ର ସହ ବିଭିନ୍ନ ସାର୍ଟ, ପ୍ୟାଂଟ, ଶାଢୀ ଗଚ୍ଛିତ ରଖାଯାଇ ପରବର୍ତୀ ସମୟରେ ଏଠାକୁ ଆସୁଥିବା ଗରିବ ଲୋକମାନଙ୍କୁ ପ୍ରଦାନ କରାଯାଇଛି। ଏହି ପୁରୁଣା ବସ୍ତ୍ର ବଂଟନ ଷ୍ଟଲଟି ଆଜିଠାରୁ ମାସେ ପର୍ଯ୍ୟନ୍ତ ଚାଲୁରହିବ। ଏହାକୁ ଆଜି ଲାୟନ୍ସ ଇଂଟରନେସନାଲ ଡିଷ୍ଟ୍ରିକ୍ଟ ୩୨୨ସି୫ ର ସେକେଣ୍ଡ ଭାଇସ୍ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଅଶୋକ କୁମାର ମହାନ୍ତି ଫିତା କାଟି ଉଦ୍ଘାଟନ କରିଥିଲେ। ଏହି ଷ୍ଟଲର ବ୍ୟାନରରେ ଲେଖାଯାଇଥିବା ‘ଅଛି ଯଦି ଦିଅ, ନାହିଁ ଯଦି ନିଅ’ କନସେପ୍ଟ ସଂପର୍କରେ ଶ୍ରୀ ମହାନ୍ତି ଓ ପିଡିଜି ପ୍ରକାଶ ଜେନା ଯାହା କହନ୍ତି ବହୁ ଲୋକ ନିଜର ପୁରୁଣା ବସ୍ତ୍ରଗୁଡିକୁ ନଷ୍ଟ କରିଦିଅନ୍ତି। କିନ୍ତୁ ତାହା ପ୍ରବଳ ଶୀତ, ଗ୍ରୀଷ୍ମ ଓ ବର୍ଷାଋତୁରେ ଆମ ଜିଲାର ବହୁ ଗରିବମାନେ ନପାଇ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ବସ୍ତୁବାଦରେ ବିଶ୍ୱାସ କରୁଥିବା ଲାୟନ୍ସ କ୍ଲବ୍ ଏ ଦିଗରେ ଏଭଳି ଏକ କନସେପ୍ଟ ରଖି ପଦକ୍ଷେପ ନେଇଛି। ଏହି ଷ୍ଟଲଟିକୁ କ୍ଲବ୍ ପକ୍ଷରୁ ସଭାପତି ସୁରେଶ ଚନ୍ଦ୍ର ମହାନ୍ତି, ପ୍ରୀତିରଂଜନ ଦାସ, ଶରତ ମହାନ୍ତି, ହରମୋହନ ପଣ୍ଡା, ସୁଭାନ ଖାନ୍ ପ୍ରମୁଖ ପରିଚାଳନା କରିଥିଲେ।







