ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ସାଳନ୍ଦା ବାଇପାସ୍ ଛକ ନିକଟରେ ଥିବା ଏକ ଔଷଧ ଦୋକାନରୁ ବିଦେଶୀ ମଦ ଜବତ ହୋଇଛି । ଏହି ଘଟଣା ସମଗ୍ର ସହରରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାଯୋଗ୍ୟ ଟାଉନ୍ ଥାନା ଅଧୀନ ସାଳନ୍ଦୀ ବାଇପାସ ଠାରେ ରେ ଥିବା ଶ୍ରୀଗଣେଶ ଔଷଧ ଦୋକାନଟି ଗତ ୩ ବର୍ଷ ହେବ ଲାଇସେନ୍ସ ନବୀକରଣ କରୁନଥିବା ଜାଣି ବାଲେଶ୍ୱରସ୍ଥିତ ଆସିଷ୍ଟାଂଟ ଡ୍ରଗ୍ସ କେଂଟ୍ରାଲର ଜଗନ୍ନାଥ ମଲ୍ଲିକ, ଭଦ୍ରକ ଡ୍ରଗ୍ସ ଇନ୍ସପେକ୍ଟର(୧) ଦୀପକ କୁମାର ଜେନା ଓ ଡ୍ରଗ୍ସ ଇନ୍ସପେକ୍ଟର (୯) ଦୀପ୍ତି ରଞ୍ଜନ ମହାପାତ୍ର ଦୋକାନ ଉପରେ ଚଢ଼ଉ କରିଥିଲେ । ପୁଲିସ ଉପସ୍ଥିତିରେ ଔଷଧ ଦୋକାନ ଯାଂଚ କରାଯାଇଥିଲା । ଏହି ମିଳିତ ଚଢ଼ଉ ବେଳେ ଔଷଧ ଦୋକାନରୁ ପୁଳାପୁଳା ମଦ ବୋତଲ ବାହାରିଥିଲା । ବିଭିନ୍ନ ବ୍ରାଣ୍ଡର ୧୫ଲିଟର ବିଦେଶୀ ମଦକୁ ଭଦ୍ରକ ଟାଉନ ଥାନା ପୁଲିସ ଜବତ କରି ଦୋକାନର ମାଲିକ ବୀରେନ ମହାପାତ୍ରଙ୍କୁ ଗିରଫ କରିଛି। କେବେଠାରୁ ଏହି ଦୋକାନରେ ମଦ ବିକ୍ରି ଆରମ୍ଭ ହୋଇଛି ଓ କେଉଁଠୁ ଚୋରାରେ ମଦ ଆଣୁଥିଲେ, ସେନେଇ ପୁଲିସ ତଦନ୍ତ ଚଳାଇଛି । ଡ୍ରଗ୍ସ ଇନ୍ସପେକ୍ଟର୍ ଶ୍ରୀ ଜେନାଙ୍କ ସୂଚନାନୁଯାୟୀ, ଉକ୍ତ ଦୋକାନକୁ ସିଲ୍ କରାଯିବା ସହ ଲାଇସେନ୍ସକୁ ବାତିଲ କରାଯାଇଛି । ଅନ୍ୟପକ୍ଷରେ ଜିଲ୍ଲାର ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ଥିବା ଔଷଧ ଦୋକାନଗୁଡ଼ିକ ଉପରେ ଚଢ଼ଉ କରାଯିବାର ଆବଶ୍ୟକତା ରହିଛି ଓ ଜିଲ୍ଲାରେ ଅନେକ ଔଷଧ ଦୋକାନ ବେଆଇନ ଭାବରେ ବିନା ଲାଇସେନ୍ସରେ ଚାଲିଛି । ବିଶେଷକରି, ବହୁ ଘରୋଇ କ୍ଲିନିକ ଓ ନର୍ସିଂ ହୋମମାନଙ୍କରେ ମଧ୍ୟ ବିନା ଲାଇସେନ୍ସରେ ମେଡିସିନ୍ ଚାଲିଥିବା ଅଭିଯୋଗ ହେଉଛି। ଏସବୁର ଚଢ଼ଉ ହେବାର ଆବଶ୍ୟକତା ରହିଛି।








