ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସର୍ବ ପୁରାତନ ମହିଳା ମହାବିଦ୍ୟାଳୟର ସମସ୍ୟା ଓ ଭଦ୍ରକରେ ରିଙ୍ଗ୍ ରୋଡ୍ ପାଇଁ ଶୀତକାଳୀନ ଅଧିବେଶନର ଶୂନ୍ୟକାଳରେ ପ୍ରଶ୍ନ ଉଠାଇଛନ୍ତି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଏଠାରେ ସୂଚନାଯୋଗ୍ୟ ଭଦ୍ରକର ଏହି ମହାବିଦ୍ୟାଳୟର ବହୁ ଛାତ୍ରୀ ଅଧ୍ୟୟନ କରି ଏବେ ବହୁ ଉଚ୍ଚ ପଦ ପଦବୀ ମଣ୍ଡନ କରିଛନ୍ତି। କିନ୍ତୁ ଏହି ମହାବିଦ୍ୟାଳୟଟିର ସମସ୍ୟାର ଅନ୍ତଃ ଘଟୁନାହିଁ। ଦୀର୍ଘଦିନରୁ ଏହି ମହାବିଦ୍ୟାଳୟଟିକୁ ସରକାରୀ ମାନ୍ୟତା ଦେବା ପାଇଁ ଜିଲାବାସୀ ଦାବି କରିଆସୁଥିବାବେଳେ ସରକାର ବଦଳି ବହୁ ନେତା ବିଧାୟକ ଓ ମନ୍ତ୍ରୀ ହୋଇଥିଲେ ମଧ୍ୟ ଏହାର ପରିବେଶ ଓ ପାରିପାଶ୍ୱର୍ିକ ଦୂରାବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡୁଛି। ଏବେ ଏହାର ଚତୁପାଶ୍ୱର୍ ବହୁ ଅସାମାଜିକ ତତ୍ୱଙ୍କର ଆଡ୍ଡାସ୍ଥଳୀ ପାଲଟିଥିବାବେଳେ ଛାତ୍ରୀମାନେ ଉକ୍ତ ରାସ୍ତା ଦେଇ ଯିବାରେ ନିଜକୁ ନିରାପଦ ମଣୁନାହାଁନ୍ତି। ଏହାର ଚତୁଃପାଶ୍ୱର୍ ଜବରଦଖଲକୁ ଚାଲିଯାଉଥିବାବେଳେ ଏପର୍ଯ୍ୟନ୍ତ କଲେଜର ନିଜ ନାମରେ ଜମି ନାହିଁ। ସମୁଦାୟ ୪ ଏକର ୧୫ ଡିସିମିଲ୍ ଜମିରେ କଲେଜ ନିର୍ମାଣ ହୋଇଥିବାବେଳେ ଏଥିମଧ୍ୟରୁ ୨ ଏକର ଠାକୁର ସମ୍ପତି ଓ ଅନ୍ୟ ୨ ଏକର ସରକାରୀ ଜମି ବୋଲି ଜଣାପଡିଛି। କଲେଜ ନାମରେ ମାତ୍ର ୧୫ ଡିସିମିଲ୍ ଜମି ରହିଛି। ତେବେ ଏ ସମସ୍ତ ଜମି କଲେଜ ନାମରେ କରିବା ନେଇ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ମାପଚୁପ ଆରମ୍ଭ ହୋଇଛି। ଏହାର ଦୀର୍ଘଦିନର ଜରାଜୀର୍ଣ୍ଣ ପାଚେରୀ ପାଇଁ ଦାବି ହୋଇଆସୁଥିବାବେଳେ ଏଥିନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨ କୋଟି ଟଙ୍କା ମଂଜୁର ହୋଇଥିବାବେଳେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ୪ କୋଟି ଟଙ୍କା ଆସିଥିବା ବିଷୟ ବିଧାୟକ ଶ୍ରୀ ମହାପାତ୍ରଙ୍କ ପ୍ରଶ୍ନର ଉତରରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦେଇଥିବା ସୂଚନା ମୂଳେ ଭଦ୍ରକ ମହିଳା ମହାବିଦ୍ୟାଳୟ ସମେତ ରାଜ୍ୟର ବିଭିନ୍ନ କଲେଜର ଏହିଭଳି ଅଭିଯୋଗ ଆସୁଥିବାବେଳେ ନୂତନ ସରକାର ଆସିବା ପରେ ତାର ସମାଧାନ କରାଯାଇଛି। ଅନୁରୂପ ରାଜ୍ୟର ସମସ୍ତ ମହାବିଦ୍ୟାଳୟର ଚତୁପାଶ୍ୱର୍ରୁ ଜବରଦଖଲ ହଟାଯିବା ପାଇଁ ସବୁ ଜିଲାପାଳଙ୍କୁ ଚିଠି ହୋଇଛି। ଏକ ସପ୍ତାହ ମଧ୍ୟରେ ଏଥିନେଇ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ବିଶେଷକରି ଭଦ୍ରକ ମହିଳା ମହାବିଦ୍ୟାଳୟର ଉନ୍ନତି ପାଇଁ ଅର୍ଥ ମଂଜୁର ହୋଇଥିବାବେଳେ ଖୁବଶୀଘ୍ର ଏହାର ପାଚେରୀ ନିର୍ମାଣ କାର୍ଯ୍ୟ କରାଯିବ। ସେହିଭଳି ଭଦ୍ରକର ରିଙ୍ଗ ରୋଡ୍ ପାଇଁ ବିଧାୟକ ଶ୍ରୀ ମହାପାତ୍ର ପ୍ରଶ୍ନ ଉଠାଇ ସହରରୁ ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ଏକ ଦଶନ୍ଧି ତଳେ ଯେଉଁ ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଥିଲା, ସେଥିରେ ସର୍ଭେ ହୋଇ ଜମି ଅଧିଗ୍ରହଣର ପ୍ରସ୍ତାବ ଦିଆଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୫ ଶହ କୋଟିର ଅନୁଦାନ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଥିବାବେଳେ ଏବେ ଏହି ପ୍ରକଳ୍ପ ନେଇ କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଥିଲେ। ଏବଂ ୧୬ ନଂ ଜାତୀୟ ରାଜପଥର ନଳାଙ୍ଗ ଠାରୁ ଏହି ରିଙ୍ଗ୍ ରୋଡ୍ ଆରଡି ରାସ୍ତାକୁ ସଂଯୋଗ କରିବା ପରେ ଭଦ୍ରକ ଚାନ୍ଦବାଲି ରାସ୍ତା ଦେଇ ଚରମ୍ପାର ୧୬ ନଂ ଜାତୀୟ ରାଜପଥକୁ ସଂଯୋଗ ନେଇ ଯୋଜନା ରହିଛି। ପରବର୍ତୀ ପର୍ଯ୍ୟାୟରେ ଏହି ରିଙ୍ଗ୍ ରୋଡ୍ ଚରମ୍ପା ଠାରୁ ବାହାରି ଭଦ୍ରକ ଗେଲପୁର ରାସ୍ତାକୁ ସଂଯୋଗ କରିବା ପରେ ଭଦ୍ରକ -ଆନନ୍ଦପୁର ରାସ୍ତାକୁ ରାନ୍ଦିଆ ଓ ବରପଦା ମଧ୍ୟରେ ସଂଯୋଗ କରିବ। ପୁନର୍ବାର ତାହା ଆସି ନଳାଙ୍ଗରେ ଜାତୀୟ ରାଜପଥକୁ ଛୁଇଁବାର ଯୋଜନା ରହିଛି ବୋଲି ସେ ସୂଚାଇବା ସହ ରାଜ୍ୟ ସରକାର ଏହି ରିଙ୍ଗ ରୋଡ୍ ଯୋଜନା କାର୍ଯ୍ୟକାରୀ କଲେ ଭଦ୍ରକ ସହରରେ ଟ୍ରାଫିକ୍ ସମସ୍ୟାର ଅନ୍ତ ଘଟିବ ବୋଲି ସେ କହିଥିଲେ। ତେବେ ତାଙ୍କର ଏହି ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀଙ୍କ ଉତରକୁ ସେ ଅପେକ୍ଷା କରିଛନ୍ତି।
Home ଜିଲ୍ଲା ପରିକ୍ରମା ଭଦ୍ରକ ମହିଳା ମହାବିଦ୍ୟାଳୟର ସମସ୍ୟା ଓ ରିଙ୍ଗରୋଡ୍ ପାଇଁ ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିଧାୟକ ସୀତାଂଶୁ








