Home ଜିଲ୍ଲା ପରିକ୍ରମା ଭଦ୍ରକ – ଭଗତ ସେନା ପକ୍ଷରୁ ସହୀଦ ଭଗତ ସିଂ ଦିବସ ପାଳିତ

ଭଦ୍ରକ – ଭଗତ ସେନା ପକ୍ଷରୁ ସହୀଦ ଭଗତ ସିଂ ଦିବସ ପାଳିତ

11

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି କ୍ରାନ୍ତିକାରୀ ବିପ୍ଳବୀ ସହିଦ ଭଗତ ସିଂ, ସହିଦ ରାଜଗୁରୁ ଓ ସହିଦ ଶୁକଦେବଙ୍କ ୯୪ତମ ସହିଦ ଦିବସ ଭଦ୍ରକର ସହିଦ ଭଗତ ସେନା ପକ୍ଷରୁ ସ୍ଥାନୀୟ ଅଗ୍ରସେନ ଭବନରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସହିଦ ଭଗତ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ଯୁବକ ପ୍ରାତଃରେ ଏକ ଶୋଭାଯାତ୍ରାରେ ଆସି ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଂଟନ କରିଥିଲେ। ପରେ ଅଗ୍ରସେନ ଭବନ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବା ସହ ସାଧାରଣ ସଭା ମଧ୍ୟ ଆୟୋଜିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଦିଲ୍ଲୀପ ରାଉତରାଏ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରବଚକ ପଣ୍ଡିତ ସଂଗ୍ରାମ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପତ, ସଂଗଠନର ସଭାପତି ତଥା ବିଶିଷ୍ଟ ଆଇନ୍‌ଜୀବୀ ମନୋଜ ରାୟ, ଅବସରପ୍ରାପ୍ତ ସୈନିକ ସଂଘର କର୍ମକର୍ତା ସମେତ ବହୁ ଅତିଥି ଯୋଗ ଦେଇ ପରାଧୀନ ଭାରତବର୍ଷରେ ଦେଶମାତୃକା ପାଇଁ ୩ ସହିଦଙ୍କର ଅମର ବଳିଦାନର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସମାଜ ପ୍ରତି ବିଶେଷ ଅବଦାନ ଥିବା ତଥା ଭଦ୍ରକର ପ୍ରତିଭା ସଂପନ୍ନ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଡାକ୍ତର ସୁବାଷ ବିଶ୍ୱାଳ, ସାଇକେଲଲିଷ୍ଟ ଉର୍ମିଳା ବେହେରା, ବାଲୁକା ଶିଳ୍ପୀ ପଦ୍ମନାଭ ସେଠୀ, ସମାଜସେବୀ ପ୍ରମିଳା ସିଂହ, ସାମ୍ବାଦିକ ପ୍ରଭାତ ଦାସ, ସମାଜସେବୀ ସୁଶ୍ରୀ ସୁମିତ୍ରା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଆବାହକ ସୀତାଂଶୁ ଶେଖର ମହାପାତ୍ର ଯେଉଁଦିନ ବର୍ତମାନର ଯୁବକମାନେ ଭାରତବର୍ଷକୁ ଏକ ରାମରାଜ୍ୟରେ ପରିଣତ କରିବା ଦିଗରେ ଆଗେଇ ଆସିବେ, ସେହିଦିନ ଦେଶମାତୃକା ପାଇଁ ଜୀବନ ଦେଇଥିବା ସହିଦମାନଙ୍କ ବଳିଦାନ ସାର୍ଥକ ହେବ ବୋଲି କହିଥିଲେ। ସଂଗଠନର ସଦସ୍ୟମାନଙ୍କ ଦ୍ୱାରା ୪୦୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.