Home Top News ଭଦ୍ରକ : ବାତ୍ୟା ମାନବ ବା ସାଇକ୍ଲୋନ୍ ମ୍ୟାନ୍ ମୃତ୍ୟୁଞ୍ଜୟ

ଭଦ୍ରକ : ବାତ୍ୟା ମାନବ ବା ସାଇକ୍ଲୋନ୍ ମ୍ୟାନ୍ ମୃତ୍ୟୁଞ୍ଜୟ

100

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ଆଜି କେବଳ ୟାସ୍ ନୁହେଁ ନିକଟରେ ସଂଗଠିତ ତାଉକ୍ତେ, ଅମ୍ପନ ଭଳି ପ୍ରାକୃତିକ ବିପର୍ଯ୍ୟୟର ପୂର୍ବ ସଠିକ୍ ସୂଚନା ଦେଇ ସମଗ୍ର ଦେଶବାସୀଙ୍କୁ ସୁରକ୍ଷିତ ରହିବା ଦିଗରେ ସଚେତନ କରାଇ ଆସୁଥିବା ମହାନ୍ ବ୍ୟକ୍ତି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ବାତ୍ୟା ମାନବ ବା ସାଇକ୍ଲୋନ୍ ମ୍ୟାନ୍ ଭାବେ ନିଜର ସୁଖ୍ୟାତି ବଜାୟ ରଖିଚାଲିଛନ୍ତି। ତେବେ ଭଦ୍ରକ ଜିଲାର ଘଣ୍ଟେଶ୍ୱରରେ ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରି ୧୯୭୧ ର ମହାବାତ୍ୟାକୁ ସାମ୍ନା କରିଥିବା ସେହି କୋମଳମତି ୬ ବର୍ଷର ଶିଶୁଟି ଆଜି ଭାରତର ପ୍ରତି କୋଣ-ଅନୁକୋଣେ ବାତ୍ୟା ମାନବ ବା ସାଇକ୍ଲୋନ୍ ମ୍ୟାନ୍ ଭାବେ ପରିଚିତ। ସେଦିନର ସେହି ମହାବାତ୍ୟାର କରାଳ ରୂପ ଏହି ଶିଶୁଟିର ହୃଦୟରେ ସୃଷ୍ଟି କରିଥିଲା ଗଭୀର କ୍ଷତ। ସେତେବେଳେ ତାଙ୍କ ବାପା ଥିଲେ ଜଣେ ସାଧାରଣ ୱାର୍ଡମେମ୍ବର। ସେ ସମୟରେ ଗାଁର ଲୋକମାନଙ୍କୁ ଘରର ଆଟୁ (ମାଟୁ) ଉପରକୁ ଚାଲିଯିବା ପାଇଁ ଆକୁଳ ନିବେଦନ କରିଥିଲେ। ତାଙ୍କ ଗାଁରେ ସେତେବେଳେ ଥିଲା ମାତ୍ର ୩ ଟି ଆଟୁ ଘର। ପ୍ରାୟ ୨ ଶହ ଲୋକ ଆଟୁ ଉପରେ ରହି ସେଦିନ ନିଜ ଜୀବନ ରକ୍ଷା କରିପାରିଥିଲେ। ଅବଶ୍ୟ ସେଦିନର ବାତ୍ୟା ଆଜିକାଲିର ବାତ୍ୟା ପରି ସେତେଟା ଭୟଙ୍କର ନଥିଲା। ବାତ୍ୟାର ପ୍ରକୋପ ଥମିଗଲା ପରେ ସେଦିନ ପଖାଳ ଓ ସଜନା ଶାଗର ଭଜା ଖାଇ ନିଜ ଭୋକ ମେଣ୍ଟାଇଥିବା ଅଭାବୀ ପରିବାରର ସେହି ନିର୍ବୋଦ୍ଦ ଶିଶୁଟିର ମନ ଭାରତୀୟ ପାଣିପାଗର ଉତ୍ପତ୍ତି, ସ୍ଥିତି, ବିତ୍ପତ୍ତି ବିଷୟରେ ଜାଣିବା ପାଇଁ ବ୍ୟାକୁଳ ହୋଇଉଠିଥିଲା। କିନ୍ତୁ ଆର୍ଥିକ ଅନାଟନ ଭିତରେ କାଳାତିପାତ କରୁଥିବା ସେହି ପରିବାରର ଦୃଢ ସଂକଳ୍ପମନା ଅବୋଧ ୬ ବର୍ଷର ଶିଶୁଟି ଯେଉଁ ସ୍ୱପ୍ନ ଦେଖିଥିଲା, ତାକୁ ସାକାର କରିବା ପାଇଁ ତାର ପିତା ୱାର୍ଡମେମ୍ବର ପଦରୁ ଇସ୍ତଫା ଦେଇ ଚାଲିଯାଇଥିଲେ ସୁଦୂର କୋଲକାତା। ସେଠି ରହି ଯେଉଁ ଅର୍ଥ ଉପାର୍ଜନ କରିଥିଲେ, ସେଥିରୁ ଯତ୍ କିଂଚିତ୍ ନିଜ ପେଟ ପାଇଁ ରଖି ବାକିତକ ପଠାଇଦେଉଥିଲେ ଭଦ୍ରକରେ ନିଜ ପରିବାର ପାଇଁ। ପିତାଙ୍କର ସେହି କଷ୍ଟାର୍ଜିତ ଧନରେ ପିଲାଟି ପାଠ ପଢି ଭଲ ନଖାଇ, ନପିନ୍ଧି ଆଗକୁ ମାଡି ଚାଲିଥିଲା। ପଦାର୍ଥ ବିଜ୍ଞାନରେ ସ୍ନାତକ ସମାପ୍ତ କରି ବାଲେଶ୍ୱରସ୍ଥିତ ଡିଆରଡିଓରେ ଏକ ଉଚ୍ଚପଦବୀରେ ଅଧିଷ୍ଠିତ ହୋଇଥିଲେ। କିନ୍ତୁ ପାଣିପାଗ ବିଜ୍ଞାନ ବିଷୟରେ ଅଧିକରୁ ଅଧିକ ଗବେଷଣା କରିବା ପାଇଁ ସେ ସ୍ୱପ୍ନ ଦେଖିବା ଛାଡିନଥିଲେ। ଶେଷରେ ତାଙ୍କ ସ୍ୱପ୍ନ ସଫଳତାର ପାଦଦେଶ ଛୁଇଁଥିଲା। ୧୯୯୯ ମହାବାତ୍ୟା ପରଠାରୁ ହୁଡୁହୁଡୁ, ବୁଲବୁଲ୍, ଫାଇଲିନ୍, ତିତ୍ଲି ଓ ଫନି ର ସୃଷ୍ଟି, ସ୍ଥିତି, ଗତିପଥ ଏବଂ ମଥାନତ ବିଷୟରେ ସଠିକ୍ ଓ ନିର୍ଭୁଲ୍ ତଥ୍ୟ ଦେଇ ସେ ବହୁ ବଡ ବଡ ବୈଜ୍ଞାନିକ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ସଦ୍ୟ ପ୍ରଳୟଙ୍କାରୀ ଅମ୍ପନ ମହାବାତ୍ୟାର ଜାତକକୁ ନିର୍ଭୁଲ୍ ଭାବେ ଉପସ୍ଥାପନ କରି ସେ ସୃଷ୍ଟି କରିଥିଲେ ଏକ ନୂଆ କୀର୍ତ୍ତିସ୍ତମ୍ଭ। ଅନ୍ୟ ଦେଶର ଆକଳନକୁ ପଛରେ ପକାଇ ସେ ସମଗ୍ର ବିଶ୍ୱର ବାତ୍ୟା ମାନବ ବା ସାଇକ୍ଲୋନ୍ ମ୍ୟାନ୍ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଆଜିର ସେହି ମହା ମାନବ ଆମ ଓଡ଼ିଶା ମାଟିର ଗର୍ବ ଓ ଗୌରବ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଯୋଗୁଁ କେବଳ ଭଦ୍ରକବାସୀ ନୁହଁନ୍ତି, ସମଗ୍ର ଦେଶବାସୀ ତାଙ୍କୁ ସ୍ୱାଗତ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.