Home ଜିଲ୍ଲା ପରିକ୍ରମା ଭଦ୍ରକ- ପ୍ରଧାନମନ୍ତ୍ରୀ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ଶୁଭାରମ୍ଭ

ଭଦ୍ରକ- ପ୍ରଧାନମନ୍ତ୍ରୀ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ଶୁଭାରମ୍ଭ

44

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ମୁଖ୍ୟ ଚିକିତ୍ସାଳୟ ଅଭ୍ୟର୍ଥନା ଗୃହରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ରଙ୍କ ସଭାପତିତ୍ୱରେ ଆଜି ପ୍ରଧାନମନ୍ତ୍ରୀ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ତେଣୁ ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମରେ ଚିକିତ୍ସିତ ହେଉଥିବା ୪୦ ଜଣ ଯକ୍ଷ୍ମାରୋଗୀଙ୍କୁ ପୋଷ୍ୟଭାବେ ଗ୍ରହଣ କରାଯାଇଛି। ପ୍ରକାଶ ଥାଉକି ଯକ୍ଷ୍ମା ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା ସହିତ ପୁଷ୍ଟିକର ଖାଦ୍ୟ ପାଇଁ ମାସକୁ ୫ ଶହ ଟଙ୍କାର ଆର୍ଥିକ ସହାୟତା ସରକାରଙ୍କ ତରଫରୁ ପ୍ରଦାନ କରାଯାଇଛି। କିନ୍ତୁ ଭାରତକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଗତ ସେପ୍ଟେମ୍ବର ମାସରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାରା ଭାରତରେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନକୁ ଦେଶରେ ଆନୁଷ୍ଠନିକ ଭାବେ ଶୁଭାରମ୍ଭ କରିଥିଲେ। ଗୋଷ୍ଠୀସ୍ତରରୁ ସ୍ୱେଚ୍ଛାକୃତ ଭାବେ ଯକ୍ଷ୍ମାରୋଗୀମାନଙ୍କୁ ଅତିରିକ୍ତ ସହାୟତା ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

ଆଜି ଜିଲା ମୁଖ୍ୟ ଚିକିତ୍ସାଳୟ ଅଭ୍ୟର୍ଥନା ଗୃହରେ ଉତ୍ସର୍ଗ ବେସରକାରୀ ଅନୁଷ୍ଠାନ ପକ୍ଷରୁ ୧୫ ଜଣ, ଶୁଭମ୍ ହେଲଥ୍ କେୟାରର ୫ ଜଣ, ସାଇ ଭରଦ୍ୱାଜ ହସ୍‌ପିଟାଲର ୫ ଜଣ, ଶହୀଦ ଭଗତ ସେନାର ୫ ଜଣ, ଓମଶାନ୍ତି ଅଲଟ୍ରାସାଉଣ୍ଡର ୨ ଜଣ, ଡିପିଏମ୍ ସରିତା ମହାପାତ୍ର ୨ ଜଣ ଏବଂ ବ୍ୟକ୍ତିଗତ ଭାବେ ହସ୍‌ପିଟାଲ ଡାକ୍ତର ଓ କର୍ମଚାରୀ ପକ୍ଷରୁ ୬ ଜଣ ଯକ୍ଷ୍ମାରୋଗୀଙ୍କୁ ପୋଷ୍ୟଭାବେ ଗ୍ରହଣ କରାଯାଇ ମାସକ ପାଇଁ ପୁଷ୍ଟିକର ଖାଦ୍ୟ ପକେଟ୍ ବଣ୍ଟନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ଦ୍ୱାରା ଭଦ୍ରକରୁ ଯକ୍ଷ୍ମାମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସନ୍ତୋଷ କୁମାର ପାତ୍ର ମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଭଦ୍ରକରେ ସଫଳ କରିବା ପାଇଁ ସ୍ୱେଚ୍ଛାକୃତ ଭାବେ ବଦାନ୍ୟ ବ୍ୟକ୍ତିମାନେ ଯୋଡି ହୁଅନ୍ତୁ ବୋଲି ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଭାରତୀ ରାଉତ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ସନ୍ତୋଷ କୁମାର ଜେନା, ଅତିରିକ୍ତ ଜିଲା ଯକ୍ଷ୍ମା ଅଧିକାରୀ ସନ୍ତୋଷ କୁମାର ପୃଷ୍ଟି, ଡା. ଗୌରଚନ୍ଦ୍ର ଜେନା, ଡିପିଏମ୍ ସରିତା ମହାପାତ୍ର, ଜିଲା କୋଷ ପରିଚାଳକ ନିଲେସ କୁମାର ପଟ୍ଟନାୟକ, ଅଭିଳାସ ପାଣିଗ୍ରାହୀ ଓ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସୁବାସିନୀ ପାଣିଗ୍ରାହୀ, ରାଜେଶ କୁମାର ସାହୁ, ସତ୍ୟଜିତ ଯତି, ଅମର ସାମଲ, ସ୍ମିତା ନାୟକ ପ୍ରମୁଖ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜିଲା ଯକ୍ଷ୍ମା ସଂଯୋଜକ ନିବାସ ରଂଜନ ପାଢୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.