Home ଜିଲ୍ଲା ପରିକ୍ରମା ଭଦ୍ରକ ପୌରପାଳିକାରେ ସ୍ୱାୟତ୍ତ ଶାସନ ଦିବସ ପାଳନ, ପରମ୍ପରା ଭଙ୍ଗକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା

ଭଦ୍ରକ ପୌରପାଳିକାରେ ସ୍ୱାୟତ୍ତ ଶାସନ ଦିବସ ପାଳନ, ପରମ୍ପରା ଭଙ୍ଗକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା

9

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିରାଡମ୍ବର ସହକାରେ ଆଜି ଭଦ୍ରକ ପୌରପାଳିକାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ତେବେ ଏହି ନିରାଡମ୍ବର ପାଳନକୁ ନେଇ ସହରବାସୀଙ୍କ ଠାରୁ ଆରମ୍ଭ କରି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଭଦ୍ରକ ପୌରପାଳିକା ତରଫରୁ ସକାଳେ ବିଭିନ୍ନ ଛକମାନଙ୍କରେ ଥିବା ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ପୌରପାଳିକା ପରିସରରେ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ହବିବ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହା ପତାକା ଉତ୍ତୋଳନ କରିଥିଲେ । ତେବେ ପତାକା ଉତ୍ତୋଳନ ସମୟରେ ପୌରପାଳିକାର ୨୯ ଜଣ କାଉନସିଲରମାନଙ୍କ ମଧ୍ୟରୁ ମାତ୍ର ୪ ଜଣ ଉପସ୍ଥିତ ଥିଲେ । ପତାକା ଉତ୍ତୋଳନ ପରେ ଭଦ୍ରକ ମେଡିକାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହାପରେ ପୌରପାଳିକା ପରିସରରେ ଗାନ୍ଧି ବାଳାଶ୍ରମ ଓ ବଙ୍କ ୟୁଜିଏମ୍‌ଇ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ସହ ସଫେଇ କର୍ମଚାରୀମାନଙ୍କୁ ରେନ୍‌କୋଟ୍ ଦିଆଯାଇଥିଲା । ଆଜିର ଏହି ସ୍ୱାୟତ୍ତ ଶାସନ ଦିବସ ପାଳନରେ ସ୍ଥାନୀୟ ବିଧାୟକଙ୍କ ଚେହେରା ଦେଖିବାକୁ ମିଳିନଥିଲା । ଗତବର୍ଷ ବିଧାୟକ ଓ ଜିଲାପାଳଙ୍କୁ ସାମିଲ କରାଯାଇଥିବାବେଳେ ଚଳିତବର୍ଷ ଏମାନଙ୍କ ସାମିଲ ନହେବା ଘଟଣା ସାଧାରଣରେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ତେବେ ଏ ସଂପର୍କରେ ପୌର ନିର୍ବାହୀ ଅଧିକାରୀ କୁହନ୍ତି ହ୍ୱାଟସ୍‌ଆପ୍ ଜରିଆରେ ସମସ୍ତ କାଉନ୍‌ସିଲରଙ୍କ ସହ ବିଧାୟକ, ସାଂସଦ ଓ ଜିଲାପାଳଙ୍କୁ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଥିଲା । ଅନ୍ୟପକ୍ଷରେ ଭଦ୍ରକ ପୌର ଉପାଧ୍ୟକ୍ଷା ଅଂଜୁବାଳା ଜେନାଙ୍କୁ ପଚାରିବାରୁ କୁହନ୍ତି ପରମ୍ପରା ଅନୁଯାୟୀ ସ୍ୱାୟତ୍ତ ଶାସନ ଦିବସ ପାଳନ ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ଆହ୍ୱାନ କରାଯାଇଥାଏ । ଅନୁଷ୍ଠିତ ବୈଠକରେ ସ୍ୱାୟତ୍ତ ଶାସନ ଦିବସ ପାଳନର କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ କାଉନ୍‌ସିଲରମାନଙ୍କ ମତାମତ ଲୋଡାଯାଇଥାଏ । ଏବଂ କେତେ ବ୍ୟୟ ହେବ ତାହାର ଅଟକଳ ମଧ୍ୟ ସ୍ଥିର କରାଯାଇଥାଏ । ଏହାବ୍ୟତୀତ କାଉନ୍‌ସିଲରମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଥାଏ । ତେବେ ଚଳିତବର୍ଷ ଏହାର ସଂପୂର୍ଣ୍ଣ ବ୍ୟତିକ୍ରମ ଘଟିଛି । କେବଳ ହ୍ୱାଟସ୍‌ଆପ୍ ଜରିଆରେ ନିମନ୍ତ୍ରଣ କରି ଦାୟିତ୍ୱ ସାରିଦେଇଛନ୍ତି । ଅନ୍ୟପକ୍ଷରେ ବରିଷ୍ଠ କାଉନ୍‌ସିଲର ଦିଲ୍ଲୀପ ନାୟକ କୁହନ୍ତି ପରମ୍ପରା ଅନୁଯାୟୀ କାଉନ୍‌ସିଲରମାନଙ୍କୁ ଚିଠି କରିବା କଥା । ବିଧିବଦ୍ଧ ଭାବେ ସ୍ୱାୟତ୍ତ ଶାସନ ଦିବସ ପାଳନର ୧୫ଦିନ ପୂର୍ବରୁ କାଉନ୍‌ସିଲରମାନଙ୍କର ଏକ ବୈଠକ ଡକାଯାଇ କାର୍ଯ୍ୟକ୍ରମ ଓ ବ୍ୟୟବରାଦ ସଂପର୍କରେ ନିଷ୍ପତ୍ତି ନିଆଯାଇଥାଏ । ପୌରପାଳିକାର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ ଡ୍ରେସକୋଡ୍ ବ୍ୟବସ୍ଥା କରାଯିବା ସହ ଭୋଜିର ଆୟୋଜନ କରାଯାଇଥାଏ । କିନ୍ତୁ ଚଳିତବର୍ଷ କାଉନ୍‌ସିଲରମାନଙ୍କୁ ସାମିଲ କରାଗଲାନାହିଁ, ହ୍ୱାଟସ୍‌ଆପ୍ ଜରିଆରେ ମେସେଜ୍ ଦେଇ ଦୋଷଛଡା ହୋଇଗଲେ । ବାସୁଦେବପୁର ପୌରପାଳିକା ଓ ଧାମନଗରରେ ଏନଏସିରେ ଧୁମ୍‌ଧାମରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଥିବାବେଳେ ବହୁ ପୁରାତନ ଭଦ୍ରକ ପୌରପାଳିକାରେ ଏହି ଦିବସ ଫିକା ପଡିବା ଘଟଣା କାଉନ୍‌ସିଲରମାନଙ୍କୁ ମର୍ମାହତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.