Home ଜିଲ୍ଲା ପରିକ୍ରମା ଭଦ୍ରକ : ଧାମରାରେ ଜମି କେଳେଙ୍କାରୀ, ମାଫିଆ ଓ ଦଲାଲଙ୍କ ଜରିଆରେ ଶହ ଶହ ଏକର...

ଭଦ୍ରକ : ଧାମରାରେ ଜମି କେଳେଙ୍କାରୀ, ମାଫିଆ ଓ ଦଲାଲଙ୍କ ଜରିଆରେ ଶହ ଶହ ଏକର ହଡପ

72

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୂମିହୀନଙ୍କୁ ସରକାର ମାଗଣାରେ ଜମି ଯୋଗାଇ ଦେଉଛନ୍ତି । ହେଲେ ଶହ ଶହ ଏକର ମୂଲ୍ୟବାନ ଜମି ମାଫିଆ ଏବଂ ଦଲାଲଙ୍କ ଜରିଆରେ ହଡପ ହୋଇଯାଉଛି । ଭୂମିହୀନ ଗରିବ ଆଦିବାସୀ ହରିଜନ ଲୋକେ ସରକାରୀ ପ୍ରଦତ୍ତ କାଗଜ ଧରି ବସିଥିବାବେଳେ ଜମିର ମାଲିକାନା ଦଲାଲଙ୍କ ହାତରେ ଏହିଭଳି ଏକ ବଡ ଧରଣର ଜମି ଘୋଟାଲା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ତହସିଲ କରଞ୍ଜମାଳ ଅଂଚଳରେ । ଏହି ଅଞ୍ଚଳରେ ଥିବା ୬୩ ଦଳିତ ପରିବାରଙ୍କ ଶହ ଶହ ଏକର ମୂଲ୍ୟବାନ ଜମିକୁ ମାଫିଆମାନେ ହଡପ କରିନେଇଛନ୍ତି । ଧାମରା ବନ୍ଦର ନିକଟରେ ହଜାର ହଜାର ଏକର ସରକାରୀ ଏବଂ ବେସରକାରୀ ଜମି ରହିଛି । ଯାହାର ମୂଲ୍ୟ ଆକାଶ ଛୁଆଁ । ଜମି ମାଲିକ ଜାଣିବା ପୂର୍ବରୁ ଜମି ଅନ୍ୟ ଲୋକଙ୍କ ନାମରେ । ଭଦ୍ରକ ଜିଲା କରଞ୍ଜମାଳ ମୌଜାର ୭୫ ବର୍ଷିୟ ଅଭିମନ୍ୟୁ ଦାସ ସରକାରଙ୍କ ଠାରୁ ଭୂମିହୀନ ଦଳିତ ହରିଜନ ପରିବାର ଭାବେ ଦୁଇ ଏକର ଜମି ପାଇଥିଲେ । ଜମି ଦଖଲରେ ଅଛନ୍ତି ହେଲେ ନକଲି ଜମି ମାଲିକଙ୍କ ଜରିଆରେ ଜମି ମାଫିଆ ତାଙ୍କ ଜମିକୁ ବିକ୍ରି କରିଦେଇଛନ୍ତି । ସେହିପରି କରଞ୍ଜମାଳର ବାଇଧର ମଳିକ ଜମିର ଦଖଲରେ ରହିଛନ୍ତି । ଖଜଣା ବି ଦେଉଛନ୍ତି । ହେଲେ ତାଙ୍କ ଜମି ଗୌରାଙ୍ଗ ମୁଣ୍ଡାଙ୍କ ନାଁରେ ଦଲିଲ୍ ହୋଇଛି । ନକଲି ଜମି ମାଲିକଙ୍କୁ ଠିଆ କରାଇ ତାଙ୍କ ଜମିକୁ ବିକ୍ରି କବଲା କରିଦିଆଯାଇଛି ।

କେବଳ ଯେ ଭୂମିହୀନଙ୍କ ଜମି ହଡପ ହୋଇଛି, ତାହା ନୁହେଁ ବଡ ବଡ ଜମି ମାଲିକ ଜମି ପଟା ଧରି ବୁଲୁଥିବାବେଳେ ଜମିର ଲିଜ୍ ଜମି ଦଲାଲି କରୁଥିବା ବଡ ବଡ ଇଷ୍ଟେଟ୍ କଂପାନୀଙ୍କ ହାତରେ । ଏହିଭଳି ଜଣେ ଜମି ମାଲିକ ହେଉଛନ୍ତି ଚିତ୍ତରଂଜନ ଭୂୟାଁ । ପଟ୍ଟାରେ ତାଙ୍କ ନାଁରେ ୭ ଏକର ଜମି ରହିଛି । ହେଲେ ନକଲି ମାଲିକ ଚଞ୍ଚକତା କରି ସବୁ ଜମିକୁ ହାତେଇ ନେଇଛନ୍ତି । ଜମି ମାଫିଆଙ୍କ ଦ୍ୱାରା ଏକ ପ୍ରାଇଭେଟ୍ ଲିମିଟେଡ୍ କଂପାନୀ ପାଖରୁ ୩ ବର୍ଷ ଲିଜ୍ ପାଇଁ ୧୨ କୋଟି ୧୦ ଲକ୍ଷ ଟଙ୍କାର ଲିଜ୍ ପ୍ରଦାନ କରାଯାଇଥିବା ଜଣାପଡିଛି । ଜମିର ଇସି ବାହାର କରିବାବେଳେ ଏହି ଜମି ଦୁର୍ନୀତି ପଦାକୁ ଆସିଛି । ଭଦ୍ରକ ଜିଲା ଚାନ୍ଦବାଲି ତହସିଲରେ ଧାମରା ବନ୍ଦର ରହିଛି । ସମୁଦ୍ର ମୁହାଣକୁ ଲାଗି ଧାମରା ବନ୍ଦର ଓ ଆଠ ପଞ୍ଚାୟତ ରହିଛି । ୧୯୭୪ ମସିହାର ତତ୍‌କାଳୀନ ଓଡ଼ିଶା ସରକାରଙ୍କ ଦ୍ୱାରା କରଞ୍ଜମାଳ ମୌଜାର ୬୩ ଜଣ ହରିଜନ ଭୂମିହୀନଙ୍କ ପ୍ରାୟ ୧ ଶହ ୨୩ ଏକର ଜମି ପଟ୍ଟା ଯୋଗାଇ ଦିଆଯାଇଥିଲା । ଯାହାକି ଏହି ଅଂଚଳରେ ସକ୍ରୀୟ ଜମି ମାଫିଆଙ୍କ ହାତରେ ହଡପ ହୋଇଯାଇଥିବା ଅଭିଯୋଗ ହୋଇଛି । କେବଳ ଏହି ୧୨୩ ଏକର ସରକାରୀ ଜମି ନୁହେଁ, ଧାମରା ବନ୍ଦର ଆଖପାଖରେ ଅଂଚଳରେ ରହିଥିବା ତିନି ଶହ ଏକରରୁ ଅଧିକ ଜମି ହଡପ କରାଯାଇଥିବା ଅଭିଯୋଗ ହୋଇଛି । ଏହି ରାକେଟରେ ବହୁ ଆନ୍ତଃ ଜିଲା ଜମି ମାଫିଆଙ୍କ ସଂପୃକ୍ତି ରହିଥିବା ଜମିର ମାଲିକ ଦଳିତ ପରିବାର ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ବାଂଶଡା ଥାନାର ମଧ୍ୟ ଏଥିନେଇ ୩୪ ଜଣ ଏତାଲା ଦେଇଛନ୍ତି ।

ହେଲେ କାର୍ଯ୍ୟାନୁଷ୍ଠାନ ଦୂରକୁ ଥାଉ ଥାନାରେ ଏଥିନେଇ କୌଣସି ମାମଲା ରୁଜୁ ହୋଇନାହିଁ । ଯାହାକି ଏହି ପ୍ରସଙ୍ଗରେ ପୁଲିସ୍‌ର ଭୂମିକା ସନ୍ଦେହ ଘେରକୁ ଆସିଛି । ଅନ୍ୟପକ୍ଷରେ ଧାମରା ବନ୍ଦର ପାଇଁ ବହୁ କଂପାନୀ ଜମି ମୁହାଁ ହୋଇ କିଛି ନଦେଖି ଜମି କିଣୁଛନ୍ତି । ଏଭଳି କାରନାମା କରୁଥିବା ଜମି ମାଫିଆଙ୍କ ନାଁରେ ଏତଲା ହେଲେ ତଦନ୍ତ ମୂଳେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲା ଉପନିବନ୍ଧକ ସୂର୍ଯ୍ୟ ନାରାୟଣ ସାମଲ କହିଛନ୍ତି । ସେହିଭଳି ଏଥିନେଇ ପ୍ରଶାସନ ପାଖକୁ ଆସିଥିବା ଏକମାତ୍ର ଅଭିଯୋଗକୁ ଆଧାର କରି ଚାନ୍ଦବାଲି ତହସିଲଦାରଙ୍କୁ ଘଟଣାର ତଦନ୍ତ କରି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଭଦ୍ରକ ଜିଲାପାଳ ଜ୍ଞାନ ଦାସ କହିଛନ୍ତି । ଜମି ମାଫିଆମାନେ ସରକାରୀ ଏବଂ ଗରିବ ହରିଜନ ଆଦିବସାୀ ଲୋକଙ୍କ ମାଲିକାନାରେ ଥିବା ଶହ ଶହ ଏକର ମୂଲ୍ୟବାନ ଜମିକୁ ଚଞ୍ଚକତା କରି ହାତେଇ ନେବାରେ ସଫଳ ହୋଇଛନ୍ତି । ଯାହାର ସାମାନ୍ୟତମ ସୂଚନା ନା ଜିଲା ପ୍ରଶାସନ ପାଖରେ ଅଛି ନା ସରକାରଙ୍କ ପାଖରେ । ଅଭିଯୋଗ କ୍ରମେ ଘଟଣାର ତଦନ୍ତ କରାଯାଉଛି କହି ପ୍ରସଙ୍ଗ ଏଡେଇ ଯାଇଛି ପ୍ରଶାସନ । ଏହା ଜିଲା ପ୍ରଶାସନର ଅନଭିଜ୍ଞତା ନା ଜମି ମାଫିଆଙ୍କ ପ୍ରତି ଅନୁକମ୍ପା ତାହା ଚର୍ଚ୍ଚାର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.