ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଂଚଳ ପୋଲିସର ଏନ୍କାଉଂଟରରେ ଆଜି ଭୋର ସମୟରେ ମୋଷ୍ଟ ୱାେଂଟଡ ଲିଷ୍ଟରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ ବୁଦ୍ଧିଆ ଗୁରୁତର ହୋଇଛି। ଏହାପରେ ସ୍ଥାନୀୟ ପୋଲିସ ବୁଦ୍ଧିଆଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତି କରିଛି।ଖବର ଅନୁଯାୟୀ, ମଙ୍ଗଳବାର ଦିନ ଭୋର ୫. ୩୦ ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ ବୁଦ୍ଧିଆ ଭଦ୍ରକ ସହରାଂଚଳ ଥାନା ଚରମ୍ପା ମାଲଗୋଦାମ ନିକଟରେ ଡକାୟତିର ଯୋଜନା କରୁଥିବା ବିଷୟ ଏସପି ମନୋଜ ରାଉତ ଖବର ପାଇଥଲେ।ଫଳରେ ସେ ନାଇଟ ପେଟ୍ରୋଲିଙ୍ଗ କରୁଥିବା ଟାଉନ ଆଇ ଆଇ ସି ପ୍ରଭାଂଶୁ ମିଶ୍ରଙ୍କୁ ଜଣାଇବାରୁ ସେ ଏକ ଟିମକୁ ନେଇ ଘଟଣା ସ୍ଥଳରେ ପହଂଚି ତା ସହ ମୁହାଁମୁହିଁ ହୋଇଥିଲେ।ବୁଦ୍ଧିଆ ନିଜର ଜଣେ ସହଯୋଗୀ ସହ ବାଇକରେ ଫେରାର ବେଳେ ପୋଲିସ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲା । ଜବାବରେ ପୋଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା । ଯେଉଁଥିରେ ବୁଦ୍ଧିଆର ଡାହାଣ ଗୋଡ଼ରେ ଗୁଳି ବାଜିବାରୁ ସେ ଗୁରୁତର ହୋଇଥିଲା । ଏହାପରେ ବୁଦ୍ଧିଆକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ବୁଦ୍ଧିଆକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।ବାଲେଶ୍ୱର ଜିଲ୍ଲା ସୋରୋ ତୁଡ଼ିଗଡ଼ିଆ (ବୁଡେଇ)ଗ୍ରାମ ନିବାସୀ ବୁଦ୍ଧିଆ ନାଁରେ ବାଲେଶ୍ୱର ସଦର ଥାନା , ଯାଜପୁର, ମୟୁରଭଞ୍ଜ, ସୋରୋ,ଖଇରା, ଭଦ୍ରକ ଭଳି ରାଜ୍ୟର ବିଭିନ୍ନ ଥାନାରେ ବ୍ୟାଙ୍କ ଓ ଏଟିଏମ ଲୁଟ ମାମଲାରେ ୫୦ରୁ ଅଧିକ କେଶ ରହିଛି । ତେବେ ଏହି ଏନ୍କାଉଂଟର ସମୟରେ ବୁଦ୍ଧିଆର ଜଣେ ସହଯୋଗୀ ଫେରାର ହୋଇଯାଇଥିବାର ଜଣାପଡିଛି। ବୁଦ୍ଧିଆ ନିକଟରୁ ପୋଲିସ ଏକ ଦେଶୀ ବନ୍ଧୁକ ଓ ଚାରିଟି ଜୀବନ୍ତ ଗୁଳି ଜବତ କରିଛି। ନିକଟରେ ସେ ଖଇରାର ଏକ ବ୍ୟାଙ୍କରୁ ୧୪ ଲକ୍ଷ ଟଙ୍କା ଲୁଟ କରି ଫେରାର ଥିଲା। ଇତି ମଧ୍ୟରେ ତାର ଅପରାଧିକ ତଥ୍ୟ ଖୋଜା ଯିବାସହ ଫେରାର ଅପରାଧି କୁ ଧରିବା ପାଇଁ ବିଭିନ୍ନ ଟିମ କୁ ସଜାଗ ରଖା ଯାଇଛି ବୋଲି ଏସପି ମନୋଜ ରାଉତ କହିଛନ୍ତି।








