ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ, ‘ସଦ୍ଭାବନା ସଭାଗୃହ’ ରେ ଆୟୋଜିତ ଏହି ଅବେଶନରେ ଆସୋସିଏସନ୍ର ସଭାପତି ତଥା ଭଦ୍ରକର ଜିଲ୍ଲାପାଳ ଦିଲୀପ ରାଉତରାୟ ଅଧ୍ୟକ୍ଷତା କରିଥିବାବେଳେ କାର୍ଯ୍ୟକାରୀ ସଭାପତି ତଥା ଭଦ୍ରକର ଜିଲା ଆରକ୍ଷୀ ଅଧୀକ୍ଷକ ମାଡ଼କର ସନ୍ଦୀପ୍ ସମ୍ପତ୍, ଏଡ଼ିଏମ୍ ଶାନ୍ତନୁ କୁମାର ମହାନ୍ତି ଓ ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ କୁମାର ରାୟ ଯୋଗ ଦେଇଥିଲେ । ଆସୋସିଏସନ୍ର ସମସ୍ତ କର୍ମକର୍ତା, ସଦସ୍ୟ ତଥା ଜିଲ୍ଲାର ସମସ୍ତ ସହବନ୍ଧିତ କ୍ଲବ୍ମାନଙ୍କର ପ୍ରତିନିଧୂମାନେ ଏହି ଅଧିବେଶନରେ ଉପସ୍ଥିତ ଥିଲେ । ଆସୋସିଏସନ୍ର ସାଧାରଣ ସଂପାଦକ ଧୀରେନ୍ ପଲାଇ ସମ୍ପାଦକୀୟ ବିବରଣୀ ପ୍ରଦାନ କରିବା ସହ ପ୍ରତିଭାସମ୍ପନ୍ନ ଭଦ୍ରକ ଜିଲ୍ଲାର କ୍ରୀଡ଼ା କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟା ଯଥା : କ୍ରୀଡ଼ାଙ୍ଗନର ଅଭାବ, କାର୍ଯ୍ୟାଳୟର ଅଭାବ, ଦୁର୍ବଳ ଭିତିଭୂମି ତଥା ଆର୍ôଥକ ଦୁରାବସ୍ଥା ସମ୍ପର୍କରେ ସୂଚନା ଦେଇ ସମାଧାନ ନିମନ୍ତେ ଜିଲ୍ଲାପାଳ ତଥା ଉପସ୍ଥିତ ପ୍ରଶାସନିକ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ‘ଯେଉଁଠି ସମସ୍ୟା ଅଛି, ସେଠି ସମାଧାନର ମାର୍ଗ ବି ଅଛି’ ବୋଲି ମନ୍ତବ୍ୟ ଦେବା ସହିତ ଜିଲ୍ଲା ପ୍ରଶାସନ ସେସବୁ ସମସ୍ୟାର ସମାଧାନ ପାଇଁ ଯତ୍ରୋନାସ୍ତି ସହଯୋଗ କରିବ ବୋଲି ଜିଲ୍ଲାପାଳ ଶ୍ରୀ ରାଉତରାୟ ପ୍ରତିଶୃତି ଦେଇଥିଲେ । କାର୍ଯ୍ୟକାରୀ ସଭାପତି ଶ୍ରୀ ସନ୍ଦିପ୍ ସମ୍ପତ୍ ଭଦ୍ରକ ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ୍ ସାମ୍ପ୍ରଦାୟିକ ସଦ୍ଭାବର ସବୁଠୁ ବଡ଼ ପ୍ଲାଟ୍ଫର୍ମ ବୋଲି ମତ ଦେବା ସହ ଏହାର ସାଂଗଠନିକ ଦକ୍ଷତାର ବିକାଶ ପାଇଁ ସେ ସହଯୋଗ କରିବେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସେହିପରି ଭଦ୍ରକର ଏଡ଼ିଏମ୍ ଶାନ୍ତନୁ କୁମାର ମହାନ୍ତି ଏକ ଷ୍ଟାଡ଼ିୟମ୍ ଓ ଅଫିସ୍ ଗୃହ ପାଇଁ ଖୁବ୍ ଶୀଘ୍ର ସ୍ଥାନ ନିର୍ଣ୍ଣୟ କରିବେ ବୋଲି ଆଶ୍ୱାସନା ଦେଇଥିଲେ ।