Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାକୁ ଉଦ୍‌ଘାଟନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ୨ହଜାରରୁ ଉର୍ଦ୍ଧ୍ୱ ନିଯୁକ୍ତି ଆଶାୟୀଙ୍କ...

ଭଦ୍ରକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାକୁ ଉଦ୍‌ଘାଟନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ୨ହଜାରରୁ ଉର୍ଦ୍ଧ୍ୱ ନିଯୁକ୍ତି ଆଶାୟୀଙ୍କ ଯୋଗଦାନ

28

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭଦ୍ରକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା-୨୦୨୪-୨୫ ମଠସାହି ପଡ଼ିଆରେ ସଫଳତାର ସହିତ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍‌ଘାଟକ ଭାବେ ଫିତାକାଟି ଏହି ମେଳାକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଅଭିମନ୍ୟୁ ସେଠୀ, ସମ୍ମାନୀତ ଅତିଥି ମାନ୍ୟବର ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ମଧ୍ୟ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତ ଷ୍ଟଲ ପରିଦର୍ଶନ କରି ମେଳାରେ ନିଯୁକ୍ତିଦାତା ଭାବେ ଅଂଶ ଗ୍ରହଣ କରିଥିବା ବେସରକାରୀ ସଂସ୍ଥା ଓ ଦକ୍ଷତା ବିକାଶ ପ୍ରଦାନକାରୀ ସଂସ୍ଥାର ଅଧିକାରୀମାନଙ୍କ ସହ ନିଯୁକ୍ତି ପ୍ରଦାନ ନେଇ ସୁବିଧା, ସୁଯୋଗ ସମ୍ବନ୍ଧରେ ପଚାରି ବୁଝିଥିଲେ । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ପ୍ରଦୀପ ପ୍ରଜ୍ୱଳନ କରି ସମସ୍ତ ଚାକିରୀ ଆଶାୟୀମାନଙ୍କର ଶୁଭ ମନାସିଥିଲେ । ମଂଚରେ ଅନ୍ୟତମ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଲେଫଟ୍‌ନାଂଟ କର୍ଣ୍ଣେଲ ଅନୀଲ କୁମାର ଯୋଗ ଦେଇ ବେକାରୀ ସମସ୍ୟ ଦୂରୀକରଣ ଦିଗରେ ନିଯୁକ୍ତି ମେଳା ଜରିଆରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗକୁ ମେଳାରେ ଉପସ୍ଥିତ ନିଯୁକ୍ତି ଆଶାୟୀ ପ୍ରାର୍ଥୀମାନେ ସଦୁପଯୋଗ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ନିଜର ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଦକ୍ଷତା ହାସଲପୂର୍ବକ ଧୈର୍ଯ୍ୟ ଓ ଦୃଢ଼ ଆତ୍ମବିଶ୍ୱାସର ସହିତ ପ୍ରୟାସ ଜାରି ରଖିଲେ ନିଜର ବୃତି ପାଇଁ ନିଯୁକ୍ତି ସନ୍ଧାନରେ ଥିବା ଆଶାୟୀମାନେ ନିଶ୍ଚୟ ସଫଳତା ହାସଲ କରି ପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରିଣୀ ଅନୀତା ନାୟକ ସ୍ୱାଗତ ଭାଷଣ ଓ ମେଳା ଜରିଆରେ ପ୍ରଦାନ କରାଯିବାକୁ ଥିବା ନିଯୁକ୍ତି ଓ ଦକ୍ଷତା ବିକାଶଗତ ସୁବିଧା ସୁଯୋଗ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଂଚ ପରିଚାଳନା କରିଥିଲେ । ଅତିଥିମାନଙ୍କ ଦ୍ୱାରା ୧୦ ଜଣଙ୍କୁ ନିଯୁକ୍ତି ପତ୍ର ବଂଟନ କରାଯାଇଥିଲା । ସୂଚନାଯୋଗ୍ୟକି ଦକ୍ଷତା ବିକାଶ ପ୍ରଦାନକାରୀ ୧୫ଟି ସଂସ୍ଥା ଓ ନିଯୁକ୍ତିଦାତା ଭାବେ ୩୫ଟି ସଂସ୍ଥା ମେଳାରେ ଅଂଶ ଗ୍ରହଣ କରିଥିଲେ । ଅନ୍‌ଲାଇନ୍‌ରେ ନାମ ପଞ୍ଜିକୃତ କରିଥିବା ୩୫୧୫ଜଣ ରୁ ୧୧୩୨ ଓ ଅଫ୍ ଲାଇନ୍‌ରେ ନାମ ପଞ୍ଜିକୃତ କରିଥିବା ୧୨୭୪ ସମୁଦାୟ ୨୪୦୬ ଜଣ ନିଯୁକ୍ତି ଆଶାୟୀ ମେଳାରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ତତ୍କାଳ ଚୂଡ଼ାନ୍ତ ନିଯୁକ୍ତି ପ୍ରଦାନ କରାଯାଇଥିଲା ଏବଂ ୧୨୭୪ ଜଣଙ୍କୁ ନିଯୁକ୍ତି ପାଇଁ ବିଭିନ୍ନ କମ୍ପାନୀମାନେ ତାଲିକା ଭୁକ୍ତ କରିଥିଲେ । ବି.ଡ଼ି.ଓ. ଧାମନଗର ବନ ବିହାରୀ ଦିଣ୍ଡା, ଭଦ୍ରକର ରଶ୍ମିରଞ୍ଜନ ମଲ୍ଲିକ, ବାସୁଦେବପୁରର ତନ୍ମିତା କର, ଓରମାସ୍‌ର ଉପମୁଖ୍ୟ ନିର୍ବାହୀ ଅଧିକାରୀ ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦ୍ୱିଜବର ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ ପ୍ରମୁଖ ଏହି ମେଳାରେ ଉପସ୍ଥିତ ଥିଲେ । ସଂପୃକ୍ତ ବିଭାଗୀୟ କର୍ମଚାରୀ ଗାୟତ୍ରୀ ବେହେରା, ବିଭୂତି ଭୂଷଣ ପାଣିଗ୍ରାହୀ, ଶୁଭସ୍ମିତା ସୂତ୍ରଧର, ଭିନିତ୍ ଶେଖର, ଜୟ କିଷାନ୍ ମଲ୍ଲିକ୍ ପ୍ରମୁଖ ଏହି ମେଳା ଆୟୋଜନ ଓ ପରିଚାଳନାରେ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.