Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସାମ୍ବାଦିକ ସମ୍ମିଳନୀ, ସଂଗ୍ରାମୀ ବୈଷ୍ଣବ ଚରଣ ନାୟକଙ୍କ ପ୍ରତିମୂର୍ତ୍ତି...

ଭଦ୍ରକ ଜିଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସାମ୍ବାଦିକ ସମ୍ମିଳନୀ, ସଂଗ୍ରାମୀ ବୈଷ୍ଣବ ଚରଣ ନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଦୃବୁର୍ତ୍ତଙ୍କ ଗିରଫ ଦାବି

85

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନତା ସଂଗ୍ରାମୀ ବୈଷ୍ଣବ ଚରଣ ନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଦୃବୁର୍ତ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଇ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଆଜି ଭଦ୍ରକ ଜିଲା ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଜିଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସାଧାରଣ ସଂପାଦକ ଶ୍ୟାମସୁନ୍ଦର ବେହେରା, ବରିଷ୍ଠ ସଦସ୍ୟ ବ୍ରଜକିଶୋର ରାଉତ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ସାହୁ, ସୁଶାନ୍ତ ବାବୁ, ଅଧିବକ୍ତା ଚିତ୍ତରଞ୍ଜନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାର ଜଣେ ବିଶିଷ୍ଟ ଓ ଆଗଧାଡିର ସ୍ୱାଧୀନତା ସଂଗ୍ରାମୀ ବୈଷ୍ଣବ ଚରଣ ନାୟକଙ୍କ ପ୍ରତିମୂର୍ତ୍ତି ଭଦ୍ରକ ଜିଲାର ଧୁଷୁରୀ ଥାନା ଅନ୍ତର୍ଗତ କାଶିମପୁର ଠାରେ ୨୦୦୮ ମସିହାରେ ସ୍ଥାପିତ ହୋଇଥିଲା। ଏହି ପ୍ରତିମୂର୍ତ୍ତିକୁ ଗତ ମାର୍ଚ୍ଚ ୨୧ ତାରିଖରେ କେତେକ ଦୃବୁର୍ତ୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ ମୁହଁ, ନାକ ଓ ମୁଣ୍ଡକୁ ହାଣି ବିକୃତ କରିଦେଇଛନ୍ତି। ଏ ସଂପର୍କରେ ବୈଷ୍ଣବ ଚରଣ ନାୟକ ସ୍ମୃତି ପରିଷଦ ପକ୍ଷରୁ ଧୁଷୁରୀ ଥାନାରେ ଗତ ମାର୍ଚ୍ଚ ୨୨ ତାରିଖରେ ଅଭିଯୋଗ ଦିଆଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ପୁଲିସ୍ ନିସ୍ପୃହ ରହିବା ସହିତ ନୀରବ ଦ୍ରଷ୍ଟା ସାଜିଛି। ଘଟଣା ସଂପର୍କରେ ଅଭିଯୋଗ ପାଇ ଧୁଷୁରୀ ପୁଲିସ୍ କାଶିମପୁର ଗ୍ରାମର ୫ ଜଣ ଯୁବକଙ୍କୁ ଥାନାକୁ ଡକାଇ କିଛି ଘଣ୍ଟା ଅଟକ ରଖି ଛାଡିଦେଇଛି। ଜାତୀୟ ଐତିହ୍ୟ, ସଂପଦ ଭଳି ସ୍ୱାଧୀନତା ସଂଗ୍ରାମୀମାନେ ଯେ ସମସ୍ତଙ୍କର ପ୍ରଣମ୍ୟ ଓ ସମ୍ମାନାଷ୍ପଦ ଏ କଥାକୁ ଭଦ୍ରକର ପ୍ରଶାସନ ଭୁଲି ଯାଇଛି। ଏବଂ ଏ କ୍ଷେତ୍ରରେ କିଛି କରିହେବ ନାହିଁ କହି ହାତ ବାନ୍ଧି ବସିଛି। ଏଠାରେ ସୂଚନାଯୋଗ୍ୟ କର୍ଣ୍ଣାଟକରେ ୨୦୨୧ ମସିହା ଡିସେମ୍ବର ୧୮ ତାରିଖରେ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ୨୭ ଜଣ ଦୃବୁର୍ତ୍ତଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦେଶର ଅନେକ ସ୍ଥାନରେ ସଂଗ୍ରାମୀ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯିବା ପରିପ୍ରେକ୍ଷୀରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଯଦି ପୁଲିସ୍ ଦୃବୁର୍ତ୍ତମାନଙ୍କୁ ଗିରଫ କରିବା ଦିଗରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ନକରେ, ତେବେ ସଂଗ୍ରାମୀ ସମିତି ରାଜରାସ୍ତାକୁ ଓହ୍ଲାଇବା ସହିତ ଆନ୍ଦୋଳନ ବ୍ୟାପକ କରି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବାର ଚେତାବନୀ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.