ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ମହୋତ୍ସବ ‘ଭଦ୍ରାୟଣୀ’ ଓ ପ୍ରାଣୀ ସମ୍ପଦ ମେଳା ନେହେରୁ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ ବୋଲି ଶେଷ ମୁହୂର୍ତରେ ଗତକାଲି ଜିଲା ପ୍ରଶାସନିକ ସ୍ତରରେ ନିଷ୍ପତି ହୋଇଛି। ଜିଲା ମହୋତ୍ସବ ଚଳିତ ମାସ ୧୮ ତାରିଖରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରାଣୀ ସମ୍ପଦ ମେଳା ୧୧ ଓ ୧୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଦୀର୍ଘବର୍ଷ ଧରି ଜବରଦଖଲରେ ଥିବା ଚରମ୍ପା ଓଏସଆରଟିସି ପଡିଆଟି ଏବେ ସରକାରଙ୍କ ଦଖଲକୁ ଆସିବା ପରେ ଏହି ବିସ୍ତୃତ ଜମିରେ ଦୁଇଟି ଉତ୍ସବ ଆୟୋଜନ କରିବାକୁ ପ୍ରଥମେ ପ୍ରଶାସନ ତରଫରୁ ନିଷ୍ପତି ନିଆଯାଇଥିଲା। ସୂଚନାଯୋଗ୍ୟ ପୂର୍ବରୁ ସବୁବର୍ଷ ଜିଲା ମହୋତ୍ସବ ‘ଭଦ୍ରାୟଣୀ’ ଭଦ୍ରକ ସହରାଂଚଳ ସ୍ଥିତ ନେହେରୁ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଆସୁଥିଲା। ଏହି ସ୍ଥାନଟି ଭଦ୍ରକ ସଦର ମହକୁମା ସହ ୭ଟି ବ୍ଲକ୍ର ଗମନାଗମନର ସହଜ ଥିବାରୁ ଅଧିକ ଜନ ସମାଗମ ହୋଇଥାଏ। ବିଶେଷକରି ଏହି ମହୋତ୍ସବରେ ଅଂଶଗ୍ରହଣ କରୁଥିବା ଜିଲାର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ବିପ୍ପଣୀ ଛୋଟ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକର ଟ୍ରାନ୍ସପୋର୍ଟିଂରେ ସୁବିଧା ହୋଇଥାଏ। ତେବେ ଷ୍ଟାଡିୟମ୍ର ଖେଳ ପଡିଆଟି ଏହି ଉତ୍ସବର ଆୟୋଜନରେ ନଷ୍ଟ ହେବାର ଆଶଙ୍କା କରି ପ୍ରଥମେ ପ୍ରଶାସନ ତରଫରୁ ଏହାକୁ ଚରମ୍ପାକୁ ସ୍ଥାନାନ୍ତରିତ କରିଥିଲେ। ସ୍ଥାନାନ୍ତର ନିଷ୍ପତି ପରେ କେତେକ ସୋସିଆଲ ମିଡିଆରେ ଜିଲା ମହୋତ୍ସବ ଫିକା ପଡିବ ବୋଲି ଚର୍ଚ୍ଚା ହୋଇଥିଲା। ସୂଚନାଯୋଗ୍ୟ ଚରମ୍ପା ଏହି ପଡିଆଟି ସହରର ଗୋଟିଏ ପାଶ୍ୱର୍ରେ ରହୁଥିବାରୁ ଉତ୍ସବ ଆୟୋଜନରେ ଜନ ସମାବେଶ କମ୍ ହେବ ବୋଲି ମତ ପ୍ରକାଶ ପାଇବା ସହ ସଂପୃକ୍ତ ସ୍ଥାନଟି ସଂପୂର୍ଣ୍ଣ ମେଲା ହୋଇପଡିଥିବାରୁ ଜନ ସାଧାରଣଙ୍କ ସୁରକ୍ଷା ଓ ନିରାପତା ଦୃଷ୍ଟିରୁ ପରବର୍ତୀ ସମୟରେ ପ୍ରଶାସନ ତରଫରୁ ବିଚାର ବିମର୍ଶ କରାଯାଇଥିଲା। ଏହାବ୍ୟତୀତ ଜବରଦଖଲ ଉଚ୍ଛେଦ ପରେ ପରିମଳ ବ୍ୟବସ୍ଥା ଅସଜଡା ହୋଇପଡିଥିବାରୁ ଏହାକୁ ସଜାଡିବା ପାଇଁ ଅଧିକ ସମୟ ଲାଗୁଥିବାର ପ୍ରଶାସନ ଶେଷ ମୁହୂର୍ତରେ ନେହେରୁ ଷ୍ଟାଡିୟମ୍ ଠାରେ ଏହି ଦୁଇଟି ଉତ୍ସବକୁ ଆୟୋଜନ କରିବାକୁ ଗତକାଲି ନିଷ୍ପତି ଗ୍ରହଣ କରିଛି।
Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ମହୋତ୍ସବ ଓ ପ୍ରାଣୀ ସମ୍ପଦ ମେଳା, ଚରମ୍ପା ନୁହେଁ ନେହେରୁ ଷ୍ଟାଡିୟମ୍ରେ ଅନୁଷ୍ଠିତ








