ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୫-ଟି ସଚିବଙ୍କ ଗସ୍ତ ପରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ଏକ ୩ ଜଣ ପ୍ରତିନିଧି ଦଳ ଭଦ୍ରକ ଜିଲା ଗସ୍ତରେ ଆସି ଜିଲାପାଳଙ୍କୁ ଭେଟି ଜିଲାର ପର୍ଯ୍ୟଟନ ସ୍ଥଳୀର ଉନ୍ନତି ସଂପର୍କରେ ଆଲୋଚନା କରିଥିଲେ । ଆଲୋଚନା ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରତିନିଧି ଦଳ ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ କଣ୍ଟିପୁର ସି ବିଚ୍ ପରିଦର୍ଶନ କରିଥିଲେ । ସି ବିଚ୍ର ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମିର ବିକାଶ ନେଇ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରାଯିବା ନେଇ ଆଲୋଚନା କରିଥିଲେ । ତାଙ୍କର ଏହି ଗସ୍ତ ସମୟରେ ଜିଲା ପର୍ଯ୍ୟଟନ ଅଧିକାରୀ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ, ବାସୁଦେବପୁର ବିଡିଓ ସତ୍ୟଜିତ୍ ରାଉତ, ବାସୁଦେବପୁର ବ୍ଲକ୍ ଚେୟାରମେନ୍, ଜେ.ଇ. ମାନେ ଆଲୋଚନାରେ ସହଯୋଗ କରିଥିଲେ । ଏହି ପ୍ରତିନିଧି ଦଳରେ ପିଏମ୍ୟୁ ଓଟିଡିସି ରୋହିଣୀ ପଟ୍ଟନାୟକ, ସତ୍ୟମ୍ ପଲାଇ, ଓଟିଡିସିର ଜେଇ ବିଶ୍ୱଜିତ୍ ବେହେରା ସାମିଲ ଥିଲେ । ପରେ ଏହି ତିନି ଜଣିଆ ପ୍ରତିନିଧି ଦଳ ଧାମନଗର ବ୍ଲକ୍ର ପ୍ରମୁଖ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଗୋହିରା ଟିକିରୀରେ ଯାଇ ପହଞ୍ôଚଥିଲେ । ସଂପୃକ୍ତ ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମିର ବିକାଶ ଓ ଉନ୍ନତିକରଣ କରାଯିବା ନେଇ ସ୍ଥାନୀୟ ଜନପ୍ରତିନିଧି ଓ ଅଂଚଳବାସୀଙ୍କ ସହ ଆଲୋଚନା କରିଥିଲେ । ବିଶେଷକରି ଏହି ସ୍ଥାନଟି ବନ୍ୟା ପ୍ଲାବିତ ଅଂଚଳ ହୋଇଥିବାରୁ ଏହାର ଭିତ୍ତିଭୂମିର ବିକାଶ ଉପରେ ସ୍ଥାନୀୟ ଅଂଚଳବାସୀ ଗୁରୁତ୍ୱ ଦେବାକୁ ମତ ପ୍ରକାଶ କରିଥିଲେ । ଏମାନଙ୍କ ମଧ୍ୟରେ ପୂର୍ବତନ ଧାମନଗର ବ୍ଲକ୍ ଚେୟାରମେନ୍ ଅଶୋକ ନାୟକ, ଭାଇସ୍ ଚେୟାରମେନ୍ ଜଗବନ୍ଧୁ ପ୍ରଧାନ, ଜିଲା ପରିଷଦ ସଭ୍ୟ ପ୍ରତାପ ସାମଲ, ଧାମନଗର ବିଡିଓ ବନବିହାରୀ ଧିନ୍ଦା, ପଞ୍ଚାୟତ ଜନପ୍ରତିନିଧି, ବ୍ଲକ୍ ଜେଇ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।