Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାର ବିଭିନ୍ନ ସମସ୍ୟା ନେଇ ବିଜେପି ନେତା ପଂଚାନନ ରାଉତଙ୍କ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ ଜିଲାର ବିଭିନ୍ନ ସମସ୍ୟା ନେଇ ବିଜେପି ନେତା ପଂଚାନନ ରାଉତଙ୍କ ସାମ୍ବାଦିକ ସମ୍ମିଳନୀ

19

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଭଦ୍ରକର ହୋଟେଲ ଯଶୋଦା ସମ୍ମିଳନୀ କକ୍ଷରେ ବିଜେପି ନେତା ପଂଚାନନ ରାଉତ ଜିଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଏକ ସୌହାର୍ଦ୍ଦ ମୂଳକ ବନ୍ଧୁମିଳନରେ ଜିଲାର ବିବିଧ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି । ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଙ୍ଗଠନିକ ମହାମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ରାଉତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା ପ୍ରସଙ୍ଗରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥିବା ବନ୍ୟାର ଏକ ସ୍ଥାୟୀ ପ୍ରତିକାର ପାଇଁ ନଦୀବନ୍ଧ ଗୁଡିକର ମରାମତି ଓ ଆଖୁଆପଦା ଠାରେ ବ୍ୟାରେଜ୍ ନିର୍ମାଣ ନିମନ୍ତେ ଦେଢ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି । ଏହା ସମ୍ଭବ ହେଲେ ଛୋଟ ଛୋଟ କେନାଲ ମାଧ୍ୟମରେ ଆଖପାଖ ଅଂଚଳ ଶସ୍ୟ ଶ୍ୟାମଳାରେ ଭରପୁର ହୋଇଉଠିବ । ପାଳଦାବାଙ୍କରୁ ମଣିନାଥପୁର ରାସ୍ତା ଉଚ୍ଚ ଓ ବ୍ରିଜ୍‌, ବଳିଘାଇରୁ ନିଳୋକ ରାସ୍ତା ଉଚ୍ଚ ଓ ଓସାର ହେବାର ଆବଶ୍ୟକତା, ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଡାକ୍ତରଙ୍କ ଆବଶ୍ୟକତା ମଧ୍ୟ ରହିଛି । ସେହିପରି ବନ୍ତ ଅଂଚଳରେ କୋର୍ଟ ଗୃହ ନିର୍ମାଣ ସରିଥିବାବେଳେ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ । ଦମକଳ କେନ୍ଦ୍ର, ଷ୍ଟେଟ୍ ବ୍ୟାଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ମଧ୍ୟ ଏପର୍ଯ୍ୟନ୍ତ ବନ୍ତ ଅଂଚଳରେ ପୂରଣ ହୋଇପାରିନାହିଁ । ଅନୁରୂପ ଭଦ୍ରକରୁ କରଞ୍ଜିଆ ପର୍ଯ୍ୟନ୍ତ ଥିବା ରାସ୍ତା ଏବେ ମାଇନ୍ସ ରୋଡ୍‌ରେ ପରିଣତ ହୋଇଥିବାରୁ ଏହାକୁ ୪ ଲେନ୍ କରିବାର ଆବଶ୍ୟକତା ରହିଛି । ସେହିଭଳି ଆଗରପଡାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅଭାବ ରହିଥିବାବେଳେ ଏହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହେବା ଦରକାର ।

ବରପଦା ରାସ୍ତାଟି ଏବେ ଦୁର୍ଘଟଣା ପ୍ରବଣ ହୋଇଥିବାରୁ ଏହାକୁ ଓସାର କରାଯିବା ଉଚିତ୍ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିକଟରେ ସେ ଭଦ୍ରକ ଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଥିବା ସମସ୍ୟାର ସମାଧାନ ପାଇଁ ପାରା ମିଲିଟାରୀ କ୍ୟାମ୍ପର ଆବଶ୍ୟକତା ସହ ଏହି ଜିଲାରୁ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମେଡିକାଲ କଲେଜ ହୋଇନପାରିବା ଦୁର୍ଭାଗ୍ୟର ବିଷୟ ବୋଲି କହିଥିଲେ । ଏ ଦିଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଯାଇଥିବା ବିଷୟ କହିଛନ୍ତି । ସେହିଭଳି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ମଧ୍ୟ ଭଦ୍ରକ ବିଶ୍ୱବିଦ୍ୟାଳୟରେ ପରିଣତ କରିବାର ପ୍ରୟାସ ମଧ୍ୟ ତାଙ୍କ ଦଳ ତରଫରୁ ଜାରି ରହିଥିବା କଥା ସେ ସୂଚାଇଥିଲେ । ଏଥିସହ ଶ୍ରୀ ରାଉତ କ୍ଷୋଭର ସହ ବୈତରଣୀର ଅପରପାଶ୍ୱର୍ରେ ଥିବା ପଡୋଶୀ ଯାଜପୁରର ବିକାଶ ଓ ଭଦ୍ରକ ପାଶ୍ୱର୍ର ବିନାଶକୁ ଏବେ ତୁଳନା କରିବାର ସମୟ ଆସିଛି ବୋଲି ଗଣମାଧ୍ୟମଙ୍କ ଆଗରେ ପ୍ରକାଶ କରି ଏ ଦିଗରେ ସମସ୍ତ ଜନସାଧାରଣ ସଚେତନ ହେବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ସେହିଭଳି ବର୍ତ୍ତମାନ ରାଜ୍ୟ ସରକାର ସମସ୍ତ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କରିପାରିନଥିବାବେଳେ ସୌଭାଗ୍ୟ ଯୋଜନାରେ ମଧ୍ୟ ସମସ୍ତ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ । ଚାଷୀମାନେ ମଧ୍ୟ ଆଜି ସେହି ଅଭାବୀ ଧାନ ବିକ୍ରି ସମସ୍ୟାରେ ଜର୍ଜରିତ ହୋଇ ୧୬ ଶହ ଟଙ୍କାରେ ବାହାର ରାଜ୍ୟର ବେପାରୀଙ୍କୁ ତାହା ବିକ୍ରୟ କରୁଛନ୍ତି । କେନ୍ଦ୍ର ସରକାର ଏ ଦିଗରେ ଅଖା, ବାଣୀ, ସିଲେଇ ଓ ଧାନ ବାବଦକୁ ୨୨ ଶହ ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ତାହା ନଦେଇ ଗୋଟିଏ କ୍ୱିଣ୍ଟାଲରେ ୬ କେଜି ଧାନ କଟାଣ କରାଯାଉଛି । ଯାହା ଚାଷୀଙ୍କ ପେଟକୁ ଏ ସରକାର ସିଧାସଳଖ ଲାତ ମାରୁଛନ୍ତି ବୋଲି ସେ କହିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲା ସଭାପତି ଅକ୍ଷୟ ସାହୁ, ପୂର୍ବତନ ଜିଲା ସାଧାରଣ ସଂପାଦକ ବାମଦେବ ଦାସ, ନଗର ସଭାପତି ବିକାଶ ପାଢୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.