Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ୧୦୪୨ ଜଣ ସରକାରୀ କର୍ମଚାରୀ ରାସନ୍ କାର୍ଡ ହାତେଇଛନ୍ତି

ଭଦ୍ରକ ଜିଲାରେ ୧୦୪୨ ଜଣ ସରକାରୀ କର୍ମଚାରୀ ରାସନ୍ କାର୍ଡ ହାତେଇଛନ୍ତି

5

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ପକ୍ଷରୁ ରାସନ୍ କାର୍ଡ ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ସଂପର୍କରେ ଖୋଳତାଡ ଆରମ୍ଭ ହୋଇଛି। ଏବଂ ଏ ଦିଗରେ ଲକ୍ଷାଧିକ ଥିଲାବାଲା କାର୍ଡ ହାତେଇଥିବା ବିଷୟ ଅନୁସନ୍ଧାନରୁ ଜଣାପଡିଛି। ତେବେ ଭଦ୍ରକ ଜିଲାରେ ୧ ହଜାର ୪୨ ଜଣ ସରକାରୀ କର୍ମଚାରୀ ନିୟମିତ ରାସନ ନେଉଥିବାର ଜଣାପଡିଛି। ଏମାନଙ୍କ ମଧ୍ୟରେ ପୋଲିସ୍ ଇନ୍ସିପେକ୍ଟରଙ୍କ ଠାରୁ ଆରମ୍ଭ କରି ଅବସରପ୍ରାପ୍ତ ଅତିରିକ୍ତ ତହସିଲଦାର, ଅଧ୍ୟାପକ, ଶିକ୍ଷକ, ଫରେଷ୍ଟଗାର୍ଡ, କନେଷ୍ଟବଳ, ହୋମଗାର୍ଡ ଓ କନିଷ୍ଠ ଯନ୍ତ୍ରୀ ସମୂହ ରହିଛନ୍ତି। ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ ହେବା ଦିନରୁ ଏମାନେ ନିୟମିତ ଭାବେ ଏହି ସୁବିଧା ନେଇ ଚାଲିଛନ୍ତି। ଯାହା ଖାଦ୍ୟ ସୁରକ୍ଷାରେ ଇ-କେୱାଇସି ଲାଗୁ ହେବା ପରେ ଏହାର ପଦ୍ଦାର୍ଫାସ ହୋଇଛି। ତେବେ ଏହି ସରକାରୀ କର୍ମଚାରୀମାନଙ୍କ ସଂପର୍କରେ ଯାଂଚ କରିବା ପାଇଁ ବିଭିନ୍ନ ବ୍ଲକ୍‌ର ଏମ୍‌ଆଇ ଓ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଯାଂଚ ପ୍ରକ୍ରିୟା ଜାରି ରହିଥିବାରୁ କେଉଁ ବ୍ଲକ୍‌ରେ କେତେଜଣ ସରକାରୀ କର୍ମଚାରୀ ଏଭଳି ସୁଯୋଗ ନେଉଛନ୍ତି, ତାହାର ସବିଶେଷ ତଥ୍ୟ ହାସଲ ହୋଇନଥିଲେ ମଧ୍ୟ ଏହି ଜିଲାରେ ଉପରୋକ୍ତ ସରକାରୀ କର୍ମଚାରୀମାନେ ରହିଥିବାର ପ୍ରମାଣିତ ହୋଇଛି। ଯାହା ଜଣାଯାଏ ଖାଦ୍ୟ ସୁରକ୍ଷାରେ ଏହି ଜିଲାରେ ଏବେ ୩ ଲକ୍ଷ ୪୨ ହଜାର ୨୭୩ ପରିବାରରେ ୧୧ ଲକ୍ଷ ୮୦ ହଜାର ୬୨୨ ଜଣ ଲୋକ ରାସନ୍ ନେଉଛନ୍ତି। ଏମାନଙ୍କ ମଧ୍ୟରୁ ଯଦି ୧ ହଜାର ୪୨ ଜଣ ସରକାରୀ ଚାକିରିଆଙ୍କ ପରିବାର ଏହି କାର୍ଡ ପାଇଥାନ୍ତି, ତେବେ ଅତି କମ୍‌ରେ ୫ ହଜାର ଅଯୋଗ୍ୟ ଲୋକ ଦୀର୍ଘବର୍ଷ ଧରି ସରକାରୀ ରାସନ ହଡପ କରୁଥିବାର ପ୍ରମାଣିତ ହେଉଛି। ଜିଲା ଯୋଗାଣ ବିଭାଗର ସୂଚନା ଅନୁସାରେ ଆସନ୍ତା ୩୧ ତାରିଖ ସୁଦ୍ଧା ଇ-କେୱାଇସି ଶେଷ ହେବାକୁ ଯାଉଥିବାବେଳେ ଜିଲାରେ ଆହୁରି ୧ ଲକ୍ଷ ୨୬ ହଜାର ୬୧୯ ଜଣ ସେମାନଙ୍କର ଇ-କେୱାଇସି କରିନାହାଁନ୍ତି। ଅର୍ଥାତ୍ ଏହି ଯୋଜନାରେ କେବଳ ସରକାରୀ କର୍ମଚାରୀ ନୁହଁନ୍ତି, ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ ଚଂଚକତା କରି ତାହା ହାତେଇଛନ୍ତି। ଏଣୁ ଏଠାରେ ସ୍ୱତଃ ପ୍ରଶ୍ନ ଉଠେ ଅଯୋଗ୍ୟ ଚିହ୍ନଟ ହିତାଧିକାରୀଙ୍କୁ କେବଳ ଯୋଜନାରୁ ଅନ୍ତର କରାଯିବ ନା ଗତ ପ୍ରାୟ ୧୦ ବର୍ଷ ଧରି ବିନା ଯୋଗ୍ୟତାରେ ହଡପ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଏଥିନେଇ ଯୋଗାଣ ବିଭାଗ ହରଡଘଣାରେ ପଡିଛି। ତେବେ ଏ ସଂପର୍କରେ ସରକାରଙ୍କ ନିଷ୍ପତି ହିଁ ଧାର୍ଯ୍ୟ । ଅନୁରୂପ ଏହି ରାସନ୍ କାର୍ଡ ତାଲିକାରେ ସରକାରୀ କର୍ମଚାରୀଙ୍କ ସଂପୃକ୍ତି ନେଇ ଯାହା ଜଣାଯାଇଛି ୨୦୧୫ ମସିହାରେ ଏଚଆରଏମ୍‌ଏସ (ହ୍ୟୁମାନ ରିସୋର୍ସସେସ୍ ମ୍ୟାନେଜମେଂଟ ସିଷ୍ଟମ) ଡାଟାବେସ୍‌ରେ ହିତାଧିକାରୀଙ୍କ ଚୟନ ହୋଇଥିଲା। ସେତେବେଳେ ଏହି ପ୍ରଣାଳୀରେ ଆସୁଥିବା ଲୋକଙ୍କୁ ଖାଦ୍ୟ ସୁରକ୍ଷାରେ ସାମିଲ କରାଯାଇଥିଲା। କିନ୍ତୁ ଏବେ ଆଧାର ସହିତ ପାନ୍ ଲିଙ୍କ ହେବା ପରେ ସମସ୍ତ ରହସ୍ୟର ଗୁମର ଫିଟୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.