ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନରେ ଏହି ଜିଲାର ସହରାଂଚଳ ସମେତ ବିଭିନ୍ନ ବ୍ଲକ୍ରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ପବନ ସାଙ୍ଗକୁ ଭୟଙ୍କର ଧୂଳିଝଡ, କୁଆପଥର ମାଡ ଓ ବର୍ଷା ହେବାଫଳରେ ବଡ ବଡ ଗଛ ଉପୁଡି ପଡିବା ଫଳରେ କେତେକଙ୍କର ଘର ଭାଙ୍ଗିଯାଇଛି। ଭଦ୍ରକ ପୌରପାଳିକା ଅଧିନସ୍ତ ୧୨ ନମ୍ବର ୱାର୍ଡ ହଜାରି ନଗର ଠାରେ ଯୁସୁଫ ଖାନ ଓରଫ (ମୁନ୍ନା),ଙ୍କ ଘର ଉପରେ ଶହେ ବର୍ଷ ର ଏକ ବିଶାଳ ଗଛ ଘର ଉପରେ ପଡିଯିବାରୁ ମାଟିରେ ମିଶି ଯାଇଛି ! ସେପଟେ ପୌରପାଳିକା ତରଫରୁ ଗଛ କାଟି ରାସ୍ତା ସଫା କାର୍ଯ୍ୟକ୍ରମ ଚାଲୁଥିବା ବେଳେ ପରିବାର ଲୋକଙ୍କୁ ନିରାପଦ ଜାଗାକୁ ପଠା ଯାଇଛି। ସେହିଭଳି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକରେ ବୁଧବାର ପ୍ରବଳ କାଳବୈଶାଖୀ ଝଡ଼ରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଜୋର ପବନ ସହ ବର୍ଷା ଓ ପ୍ରବଳ କୁଆପଥର ପଡ଼ିବାରୁ କିଛି ସମୟ ପାଇଁ ସମଗ୍ର ଅଂଚଳର ଜନଜୀବନ ଠପ୍ ହୋଇଯାଇଥିଲା। କାଳବୈଶାଖୀ ହୋଇଥିଲେ ମଧ୍ୟ ଏହାର ବେଗ ଅତ୍ୟନ୍ତ ଭୟଙ୍କର ଥିବାରୁ କିଛି ସ୍ଥାନରେ ବିଦ୍ୟୁତ୍ ଖୁଂଟ ଭାଙ୍ଗି ପଡ଼ିଥିଲା ଓ କେତେକ ଚାଳ ଘରର ଉଡ଼ାଇନେଇଛି। ରାଧାବଲ୍ଲଭପୁର ଗ୍ରାମରେ ନଡ଼ିଆ ଗଛ ଭାଙ୍ଗି ବିଦ୍ୟୁତ୍ ପୋଲ୍ ଉପରେ ପଡିବା ଦ୍ୱାରା ପୋଲ ଭାଙ୍ଗି ତାର ଛିଡ଼ି ରାସ୍ତା ଉପରେ ପଡ଼ିରହିଛି। କରେଂଟ ଭୟରେ କେହି ହାତ ମାରୁନାହାନ୍ତି। ତେଣୁ ରାସ୍ତାରେ କେହି ଯାତାୟତ କରୁନାହାନ୍ତି। ସେହିପରି ଗ୍ରାମ ମଧ୍ୟରେ ପ୍ରାୟ ୫୦ ବର୍ଷର ପୁରୁଣା ଲିମ୍ବ ଗଛ ଉପୁଡ଼ି ପଡ଼ି ଭୟ ପରିସ୍ଥିତି ସୃଷ୍ଟି କରିଥିଲା, ଯଦିଓ କାହାରି ଜନଜୀବହାନି ହୋଇନଥିଲା। ବ୍ଲକର ବିଭିନ୍ନ ସ୍ଥାନରେ ରାସ୍ତା କଡରେ ଥିବା ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିବାରୁ ଯାତାୟାତ କିଛି ସମୟ ପାଇଁ ବନ୍ଦ ରହିଥିଲା। ପ୍ରବଳ କୁଆପଥର ବର୍ଷାରେ ହେବାରୁ ପରିବା ଚାଷୀଙ୍କ ବହୁ କ୍ଷତି ଘଟିଥିବା ଚାଷୀମାନେ କହିଛନ୍ତି। ଝଡ଼ ପରେ ବ୍ଲକର ଅନେକ ଅଂଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇ ଲୋକମାନେ ଅନ୍ଧକାରରେ ରହିଛନ୍ତି। ଜିଲ୍ଲା ଧାମନଗର ବ୍ଲକ ସବୁଠାରୁ ଜୋରଦାର କାଳବୈଶାଖୀ ଝଡ଼ ଥିବାରୁ ବହୁ ସ୍ଥାନରେ କ୍ଷତି ଘଟିଛି। ତେବେ ସୁଭାଗ୍ୟବଶତଃ ଏହି ଝଡ଼ରେ କୌଣସି ଜୀବହାନି ଘଟିନଥିବା ସୂଚନା ମିଳିଛି। ଅନୁରୂପ ବନ୍ତ ବ୍ଲକ୍ର ବନ୍ତ, ପଧାନପଡା, ନିଳୋକ, ସେଣ୍ଢତିରା, ଗୋବିନ୍ଦପୁର, କେନ୍ଦୁଆପଦା, ତୋଡଙ୍ଗା, ରାମପୁର, ରାମକୃଷ୍ଣପୁର, ଗଣିଜାଙ୍ଗ, ଛୟାଳସିଂ, ଟିଲୋ, ବସନ୍ତିଆ, ରାମଚନ୍ଦ୍ରପୁର ଓ ଆଡିଆ ଭଳି ପଂଚାୟତରେ ଏହି କାଳବୈଶାଖୀର ଉଗ୍ରରୂପ ଦେଖିବାକୁ ମିଳିଛି। ପବନର ବେଗ ଏଭଳି ତୀବ୍ର ଥିଲା ଯେ ବହୁ ସ୍ଥାନରେ ବଡ ବଡ ଗଛ ରାସ୍ତା ଉପରେ ଉପୁଡି ପଡିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେହିଭଳି କୁଆପଥର ମାଡ ଯୋଗୁଁ ପନିପରିବା ଓ ଖରାଦିନିଆ ଫସଲ ବହୁ ମାତ୍ରାରେ ନଷ୍ଟ ହୋଇଯାଇଛି। ଅନେକ ଚାଳଛପର, ଟିଣ ଓ ଆଜବେଷ୍ଟସ୍ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ବିଦ୍ୟୁତ୍ ଖୁଂଟ ଓ ତାର ଛିଣ୍ଡି ପଡିବାରୁ ଭଦ୍ରକ ସହର ସମେତ ବହୁ ଅଂଚଳ ଏ ସମ୍ବାଦ ଲେଖାଯିବା ପର୍ଯ୍ୟନ୍ତ ଅନ୍ଧାରରେ ଥିବାର ଜଣାପଡିଛି। ତେଣୁ ଏହି ପ୍ରାକୃତିକ ବିପର୍ଯ୍ୟୟରେ ବହୁ ଚାଷୀ ଓ ଗରିବ ଶ୍ରେଣୀର ଲୋକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବାରୁ ସରକାର ଓ ଜିଲା ପ୍ରଶାସନ ଯଥାଶୀଘ୍ର କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ପରିବାର ଓ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ବିଶିଷ୍ଟ ସମାଜସେବୀ ଅଧିବକ୍ତା ଦିବ୍ୟସିଂହ ନାୟକ ଦାବି କରିଛନ୍ତି।
Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ବିଭିନ୍ନ ଅଂଚଳରେ କାଳବୈଶାଖୀର ତାଣ୍ଡବ, ଉପୁଡିଲା ଗଛ ଓ ବିଦ୍ୟୁତ୍ଖୁଂଟ, ଭାଙ୍ଗିଲା ଘର








