Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ଡେଙ୍ଗୁ ଆତଙ୍କ କୋକୁଆଭୟ ସୃଷ୍ଟି କରିଛି, ସଂକ୍ରମିତଙ୍କ ସଂଖ୍ୟା ୨୦୭

ଭଦ୍ରକ ଜିଲାରେ ଡେଙ୍ଗୁ ଆତଙ୍କ କୋକୁଆଭୟ ସୃଷ୍ଟି କରିଛି, ସଂକ୍ରମିତଙ୍କ ସଂଖ୍ୟା ୨୦୭

2

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଡେଙ୍ଗୁ ଆତଙ୍କ ଏବେ କୋକୁଆଭୟ ସୃଷ୍ଟି କରିଛି। ଚଳିତମାସ ୨୦ ତାରିଖ ସୁଦ୍ଧା ଏହି ଜିଲାରେ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ୨ ଶତକ ପାର କରି ୨୦୭ ରେ ପହଂଚିଛି। ଏଥିମଧ୍ୟରୁ ସର୍ବାଧିକ ୪୭ ଜଣ କେବଳ ସମୁଦ୍ର ଉପକୂଳବର୍ତୀ ଅଂଚଳ ଚାନ୍ଦବାଲିରେ ବୋଲି ଜଣାପଡିଛି। ଏଣୁ ଚାନ୍ଦବାଲିକୁ ଜିଲାର ହଟ୍ ସ୍ପଟ ବୋଲି ଚିହ୍ନଟ କରାଯାଇଛି। ତେବେ ଗତ ୬ ମାସ ମଧ୍ୟରେ ଜିଲାରେ ରେକର୍ଡ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାରି ମୃତ୍ୟୁ ଘଟିନାହିଁ। ଚାନ୍ଦବାଲିର ସର୍ବାଧିକ ୪୭ ଜଣ ପରେ ଏହା ପଛକୁ ତିହିଡିରେ ୩୯ ଜଣ, ଆଗରପଡାରେ ୨୯, ଧାମନଗର ଓ ବରପଦାରେ ୨୨ ଜଣ ଲେଖାଏଁ, ଭଦ୍ରକ ପୌରପାଳିକା ଅଂଚଳରେ ୨୧, ବାସୁଦେବପୁରରେ ୧୯ ଏବଂ ଭଣ୍ଡାରିପୋଖରୀରେ ସର୍ବନିମ୍ନ ୮ ଜଣ ଡେଙ୍ଗୁ ସଂକ୍ରମିତ ହୋଇଥିବାର ଜଣାପଡିଛି। ଏହି ଜିଲାରେ ଚିହ୍ନଟ ହୋଇଥିବା ୨୦୭ ଜଣ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୯୬ ଜଣ ବାହାର ଜିଲା ଓ ଅନ୍ୟ ରାଜ୍ୟରୁ ସଂକ୍ରମିତ ହୋଇ ଭଦ୍ରକ ଆସିଥିବାବେଳେ କେବଳ ନିଜ ଜିଲାରେ ୧୧୧ ଜଣ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗତ ଅଗଷ୍ଟ ମାସରେ ଜିଲାରେ ସର୍ବାଧିକ ୧୦୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ସେପ୍ଟେମ୍ବର ମାସ ୨୦ ତାରିଖ ସୁଦ୍ଧା ଜିଲାରେ ଅଧିକ ୫୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଡେଙ୍ଗୁର ଏଭଳି ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତ ନମୁନା ସଂଗ୍ରହ ଓ ପରୀକ୍ଷା ବୃଦ୍ଧି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ମୂଳେ ବର୍ତମାନ ସୁଦ୍ଧା ପ୍ରାୟ ୩ ହଜାର ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ନିରାକରଣ ଏବଂ ଜନ ସଚେତନତା କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯାଇଛି। ବିଭାଗୀୟ ଅଧିକାରୀଙ୍କ ସହିତ ଆଶା, ଅଙ୍ଗନୱାଡି ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଗାଁ ଗାଁ ବୁଲି ଲୋକଙ୍କୁ ଏହି ରୋଗ ସଂପର୍କରେ ସଚେତନ କରିବା ସହିତ ନିଜର ପାରିପାଶ୍ୱର୍ିକ ପରିବେଶକୁ ସଫାସୁତୁରା ରଖିବା ଏବଂ ଏହାର ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗାଯୋଗ କରିବାକୁ କୁହାଯାଇଛି। ବିଶେଷକରି ଡେଙ୍ଗୁ ଜ୍ୱରର ବାହକ ଏଡିସ୍ ମଶାଙ୍କ ବଂଶ ବୃଦ୍ଧି ରୋକିବା ପାଇଁ ଘରର ଆଖପାଖରେ କୌଣସି ସ୍ଥାନରେ ପାଣି ଜମିବାକୁ ନଦେବାକୁ ଲୋକଙ୍କୁ ସଚେତନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.