Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ଜନଗଣନା କାର୍ଯ୍ୟ, ନିୟୋଜିତ ହେବେ ୩୭୫୦ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷକ, ଶିକ୍ଷକ...

ଭଦ୍ରକ ଜିଲାରେ ଜନଗଣନା କାର୍ଯ୍ୟ, ନିୟୋଜିତ ହେବେ ୩୭୫୦ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷକ, ଶିକ୍ଷକ ନିୟୋଜନରେ ତ୍ରୁଟି ବିଚ୍ୟୁତି

0

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନଗଣନା କାର୍ଯ୍ୟ ଏପ୍ରିଲ ୧ ରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ଲୋକମାନଙ୍କ ସହ ଜନଗଣନାକାରୀଙ୍କ ସହଭାଗିତା ରହିବ। ଘର ଘର ବୁଲି ସ୍ୱଗଣନା କାର୍ଯ୍ୟ ହେବ। ପରିବାର ସଦସ୍ୟମାନେ ସ୍ମାର୍ଟଫୋନ୍ ଜରିଆରେ ସେଲଫ୍ ଏନୁମେରେସନ୍ ପୋର୍ଟାଲ ମାଧ୍ୟମରେ ନିଜ ତଥ୍ୟ ରଖିବେ। ଏଥିରେ ୩୩ଟି ସରଳ ପ୍ରଶ୍ନ ରହିବ। ଏହି ଗଣନା କାର୍ଯ୍ୟ ସକାଶେ ଭଦ୍ରକ ଜିଲାରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି। ଜନଗଣନାକାରୀ (ପ୍ରାଥମିକ ଶିକ୍ଷକ)ଙ୍କୁ ତାଲିମ୍ ପ୍ରଦାନ କାର୍ଯ୍ୟ ଆସନ୍ତାକାଲି ଠାରୁ ଚାଲି ରହିଛି। ଭଦ୍ରକ ଜିଲାର ଜନଗଣନା କାର୍ଯ୍ୟ ପାଇଁ ୩୭୫୦ ପ୍ରାଥମିକ ଶିକ୍ଷକ ଓ ହାଇସ୍କୁଲ ଶିକ୍ଷକ ନିୟୋଜିତ ହେବେ। ଏମାନଙ୍କ ମଧ୍ୟରୁ ୫୩୦ ଜଣ ସୁପରଭାଇଜର (ହାଇସ୍କୁଲ ଶିକ୍ଷକ) ଓ ୩୨୦୦ ଜନଗଣନାକାରୀ (ପ୍ରାଥମିକ ଶିକ୍ଷକ)। ତେବେ ଏହି ଶିକ୍ଷକଙ୍କ ନିୟୋଜନ କ୍ଷେତ୍ରରେ ବ୍ୟାପକ ତ୍ରୁଟି ବିଚ୍ୟୁତି ହୋଇଥିବାର ଅଭିଯୋଗ ଉଠିଛି। ଭଦ୍ରକ ବ୍ଲକ୍ ଓ ପୌରପାଳିକାରେ ଥିବା କେତେକ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ ନିୟୋଜିତ କରାଯାଇଥିବାରୁ ସଂପୃକ୍ତ ବିଦ୍ୟାଳୟ ଗୁଡିକରେ ପାଠପଢା ବାଧାପ୍ରାପ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି ଗୁଡିକରେ ଅସନ୍ତୋଷ ପ୍ରକାଶ ପାଇଛି। ଭଦ୍ରକ ପୌରପାଳିକା ଅନ୍ତର୍ଗତ ପୁରୁଣାବଜାରସ୍ଥିତ ଶ୍ରୀ ସତ୍ୟନାରାୟଣ ଶିକ୍ଷନ ସଂସ୍ଥା (ଏସଏସଏସଏସ) ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ ଜନଗଣନା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ନେଇ ଅଭିଯୋଗ ହେବା ପରେ ତ୍ରୁଟିକୁ ସଂଶୋଧନ କରାଯାଇଥିବାର ଜଣାଯାଇଛି। ଭଦ୍ରକ ବ୍ଲକ୍ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକଙ୍କ କହିବାନୁଯାୟୀ ସିଆରସିସି ମାନେ ନିଜ କ୍ଲଷ୍ଟରରେ ଥିବା ବିଦ୍ୟାଳୟ ଗୁଡିକର ଯେଉଁ ଶିକ୍ଷକମାନଙ୍କ ନିଯୁକ୍ତି ତାଲିକା ଦେଇଛନ୍ତି, ସେହି ଅନୁସାରେ ଶିକ୍ଷକମାନଙ୍କୁ ଏହି ଜନଗଣନା କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେଥିରେ ଯେଉଁଠି ତ୍ରୁଟି ବିଚ୍ୟୁତି ରହୁଛି, ଅଭିଯୋଗ ଆସିବା ପରେ ତାକୁ ସଂଶୋଧନ କରାଯାଉଛି। ଅନ୍ୟପକ୍ଷରେ ଆସନ୍ତା ଦିନରେ ଖରାଛୁଟି ପଡୁଥିବାରୁ ବିଦ୍ୟାଳୟ ଗୁଡିକ ବନ୍ଦ ରହିବ। ଅନ୍ୟପକ୍ଷରେ ଭଦ୍ରକ ପୌରପାଳିକାରେ ଶିକ୍ଷକ ଅଭାବ ଥିବାରୁ ଭଦ୍ରକ ବ୍ଲକ୍‌ରୁ ଶିକ୍ଷକ ଅଣାଯାଇ ନିୟୋଜିତ କରାଯାଉଛି। ଭଦ୍ରକ ବ୍ଲକ୍ ଓ ପୌରପାଳିକାର ଜନଗଣନା ପାଇଁ ସମୁଦାୟ ୧୦୬୬ ଶିକ୍ଷକ ଆବଶ୍ୟକ। ଏହାମଧ୍ୟରୁ ଭଦ୍ରକ ବ୍ଲକ୍ ପାଇଁ ୪୨୫, ପୌରପାଳିକା ୩୬୬, ଟ୍ରେନର ୧୫ ଓ ଭୋଟର ତାଲିକା ପ୍ରସ୍ତୁତି ପାଇଁ ୨୫୦ ବିଏଲ୍‌ଓ ନିୟୋଜିତ ହେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.