Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ଘରୋଇ ପଂଜିକୃତ ଗାଡିଗୁଡିକ ବ୍ୟବସାୟିକ ଭଡାରେ ନିୟୋଜିତ, ଆଖି ବୁଜିଦେଇଛି ଜିଲା ଆଂଚଳିକ...

ଭଦ୍ରକ ଜିଲାରେ ଘରୋଇ ପଂଜିକୃତ ଗାଡିଗୁଡିକ ବ୍ୟବସାୟିକ ଭଡାରେ ନିୟୋଜିତ, ଆଖି ବୁଜିଦେଇଛି ଜିଲା ଆଂଚଳିକ ପରିବହନ କାର୍ଯ୍ୟାଳୟ

9

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘବର୍ଷ ହେବ ଭଦ୍ରକ ଜିଲାରେ ଶତାଧିକ ଘରୋଇ ଓ ବ୍ୟବସାୟିକ ପଂଜିକୃତ କାର୍ ଓ ବୋଲେରୋ ଗାଡି ଭଡା କରିଆସୁଛନ୍ତି। ପ୍ରକୃତ ପକ୍ଷେ ବ୍ୟବସାୟିକ ଗାଡି ଗୁଡିକ ଭଡାରେ ଯିବା କଥା। କିନ୍ତୁ ଭଦ୍ରକ ଜିଲାରେ ବେଆଇନ୍ ଭାବେ ଖୋଲମଖୋଲା ଘରୋଇ ପଂଜିକୃତ ଗାଡିଗୁଡିକ ଷ୍ଟାଣ୍ଡ ଗୁଡିକରେ ଲମ୍ବା ଧାଡିରେ ଛିଡା ହୋଇ ବ୍ୟବସାୟ କରିଆସୁଛନ୍ତି। ଏହି ଲଗାମଛଡା କାର୍ଯ୍ୟ ପ୍ରତି ନା ଜିଲା ପ୍ରଶାସନ ନା ଆଂଚଳିକ ପରିବହନ ବିଭାଗ ଦୃଷ୍ଟି ଦେଉଛି। ଏହି ଜିଲାର ୭ଟି ବ୍ଲକ୍‌, ୨ଟି ପୌରାଂଚଳ ଓ ୨ଟି ନଗରାଂଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହାଦ୍ୱାରା ସରକାର ବାର୍ଷିକ ଲକ୍ଷାଧିକ ଟଙ୍କାର ଟିକସ ହରାଉଛନ୍ତି। ବିଶେଷକରି ବିଭିନ୍ନ ଋଣ ଓ ଧାରକରଜ କରି ଯେଉଁ ବେକାର ଯୁବକମାନେ କାର୍ କିଣି ବ୍ୟବସାୟିକ ପଂଜିକୃତ କରି ଗାଡି ଚଲାଉଛନ୍ତି, ସେମାନେ ଅକାରଣରେ ବିପନ୍ନ ହେଉଛନ୍ତି। କାରଣ ବହୁ ଧନୀବ୍ୟକ୍ତି ନିଜର ଘରୋଇ କାର ଗୁଡିକୁ ଜିଲାର ବିଭିନ୍ନ ଛକ ଓ ବଜାରରେ ଥିବା ଷ୍ଟାଣ୍ଡ ଗୁଡିକରେ ଠିଆ କରାଇ ବ୍ୟବସାୟ କରିଆସୁଛନ୍ତି। ଫଳରେ ଯାତ୍ରୀମାନଙ୍କ ସୁରକ୍ଷା ମଧ୍ୟ ବିପନ୍ନ ହୋଇପଡିଛି। ଏଠାରେ ସୂଚନାଯୋଗ୍ୟ ଘରୋଇ ନମ୍ବରଧାରୀ ଶତାଧିକ ଚାରିଚକିଆ ଯାନ ଭଦ୍ରକ ସଦର ମହକୁମାର ଜିଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାର ଟ୍ୟାକ୍ସିଷ୍ଟାଣ୍ଡ, ବନ୍ତଛକ ଷ୍ଟାଣ୍ଡ, ସାଳନ୍ଦୀ ବାଇପାସ ଓ ଚରମ୍ପା ଷ୍ଟାଣ୍ଡ ଗୁଡିକରେ ନିୟମିତ ଯାତ୍ରୀ ଭଡା କରିଆସୁଛନ୍ତି। ଏତଦ୍‌ବ୍ୟତୀତ ଜିଲାର ଚାନ୍ଦବାଲି, ତିହିଡି, ଧାମନଗର, ଭଣ୍ଡାରିପୋଖରୀ, ବନ୍ତ ଓ ବାସୁଦେବପୁର ଭଳି ଅଂଚଳରେ ବି ଶତାଧିକ ଘରୋଇ ଟ୍ୟାକ୍ସି ନିୟମିତ ଯାତ୍ରୀ ଭଡା କରିଆସୁଛନ୍ତି। କମର୍ସିଆଲ ନମ୍ବରରେ ପଂଜିକୃତ କରାଗଲେ ଏହି ଗାଡିଗୁଡିକ ଠାରୁ ସରକାର ଲକ୍ଷାଧିକ ଟଙ୍କା ଟିକସ ହାସଲ କରିପାରନ୍ତେ। ଆଉ ଯାତ୍ରୀମାନଙ୍କୁ ଦୁର୍ଘଟଣା ଜନିତ ବୀମା ଭଳି ସୁବିଧା ସୁଯୋଗ ମିଳିପାରନ୍ତା। କିନ୍ତୁ ଏଭଳି ବେନିୟମ କାର୍ଯ୍ୟକୁ ଜିଲା ଆଂଚଳିକ ପରିବହନ ବିଭାଗ ଜାଣିଥିଲେ ବି ଆଖି ବୁଜିଦେଇଛି। ଫଳରେ ଘରୋଇ ନମ୍ବର ଧାରୀ ପଂଜିକୃତ ଗାଡିଗୁଡିକର ଯାତ୍ରୀ ପରିବହନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଣୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ଜିଲା ପ୍ରଶାସନ, ପୁଲିସ୍ ଓ ପରିବହନ ବିଭାଗ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.