Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ କରୋନା ମୁକାବିଲା କ୍ଷେତ୍ରରେ ପ୍ରଶାସନ ବିଫଳତାକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ଭଦ୍ରକ ଜିଲାରେ କରୋନା ମୁକାବିଲା କ୍ଷେତ୍ରରେ ପ୍ରଶାସନ ବିଫଳତାକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

42

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କଂଗ୍ରେସ ଦଳର ନକରାତ୍ମକ ମନ୍ତବ୍ୟ ଏବଂ ଭଦ୍ରକ ଜିଲାରେ କରୋନା ଚିକିତ୍ସାରେ ହେଉଥିବା ଅବ୍ୟବସ୍ଥାକୁ ନେଇ ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲା ପକ୍ଷରୁ ଆଜି ଜିଲା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲା ସଭାପତି ହେମନ୍ତ କୁମାର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେପି ଅଭିଯୋଗ କରିଛି ଯେ ଭଦ୍ରକ ଜିଲାର ସ୍ୱାସ୍ଥ୍ୟବସ୍ଥା ଓ କରୋନା ମୁକାବିଲା କ୍ଷେତ୍ରରେ ପ୍ରଶାସନ ସଂପୂର୍ଣ୍ଣ ବିଫଳ । କରୋନା ଜନିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଭୟ ଜିଲା ସ୍ୱାସ୍ଥ୍ୟବିଭାଗ ଓ ଜିଲା ପ୍ରଶାସନ କୌଣସି ସ୍ପଷ୍ଟ ବିବରଣୀ ରଖୁନାହାଁନ୍ତି । ତେଣୁ ଏସବୁକୁ ସାର୍ବଜନୀନ କରିବା ସହିତ ଲୋକଙ୍କୁ ଉଚିତ୍ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଦଳ ଦାବି ରଖିଛି । ଭଦ୍ରକ ଜିଲାରେ କରୋନା ସମ୍ବନ୍ଧୀୟ ସମସ୍ତ ପ୍ରଶାସନିକ ସୂଚନା ସଠିକ୍ ନଥିବା ସ୍ଥଳେ ଟୀକାକରଣ ଠିକ୍ ଭାବରେ କରାଯାଉନାହିଁ । ମୁଖ୍ୟତଃ ଗ୍ରାମାଞ୍ଚଳର ହଜାର ହଜାର ଲୋକ ଦ୍ୱିତୀୟ ଟୀକା ନେବାକୁ ଯାଇ ହଟହଟା ହେଉଛନ୍ତି ବୋଲି ଭଦ୍ରକ ଜିଲା ବିଜେପି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି । ଅନୁରୂପ ଯେଉଁ ଅସ୍ଥାୟୀ ମେଡିକାଲ ସେଣ୍ଟର ପଞ୍ଚାୟତମାନଙ୍କରେ ହୋଇ ୫ ଲକ୍ଷ ଟଙ୍କା ସମସ୍ତ ସେଣ୍ଟର ପିଛା ଖର୍ଚ୍ଚ ହୋଇଥିଲା, ସେଥିରେ କିଣାଯାଇଥିବା ଖଟ, ବିଛଣା ଓ ଆନୁସଙ୍ଗିକ ଜିନିଷ ଉଭାନ୍ ହେବାର ତଦନ୍ତ ଦାବି କରିଛି ବିଜେପି । କେନ୍ଦ୍ର ସରକାର ଓଡ଼ିଶାର ଗ୍ରାମାଞ୍ଚଳରେ କୋଭିଡ୍ ପରିଚାଳନା ପାଇଁ ୩୩୩ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବାବେଳେ ଏହା ସୂଚାରୁରୂପେ ଖର୍ଚ୍ଚ କରିବା ଦିଗରେ ରାଜ୍ୟ ସରକାର ଧ୍ୟାନଦେବା ଉଚିତ୍ ବୋଲି କହିଛନ୍ତି ବିଜେପି କର୍ମକର୍ତ୍ତାମାନେ ।

ଏହି ଜିଲାରେ କୋଭିଡ୍ ଟେଷ୍ଟ ପାଇଁ କୌଣସି ସୁବ୍ୟବସ୍ଥା କରାଯାଇନଥିବାରୁ ଲୋକମାନେ ହଇରାଣ ହେଉଥିବାବେଳେ ପର୍ଯ୍ୟାପ୍ତ ପରିମାଣର କୋଭିଡ୍ ଔଷଧ, ଇଂଜେକସନ ଓ ଅକ୍ସିଜେନ୍ ନଥିବାରୁ ରୋଗୀମାନେ ମରଣମୁହଁକୁ ଠେଲି ହେଉଥିବାବେଳେ ଜିଲା ପ୍ରଶାସନ ଓ ସ୍ଥାନୀୟ ନେତାଙ୍କ ଭ୍ରମାତ୍ମକ ତଥ୍ୟ ମୂଳେ ରାଜ୍ୟ ସରକାର ବାହାବା ନେଉଛନ୍ତି । ଏହି ଜିଲାରେ ଡାକ୍ତର ଅଭାବ ହେତୁ କୋଭିଡ୍ ରୋଗୀମାନେ ଠିକ୍ ଭାବରେ ଚିକିତ୍ସିତ ହୋଇପାରୁନଥିବାବେଳେ ଆଇସିୟୁ ମଧ୍ୟ ଠିକ୍ ଭାବେ କାମ କରୁନାହିଁ । ଅମ୍ଳଜାନ ମଧ୍ୟ ଠିକ୍ ସମୟରେ ମିଳୁନାହିଁ । ଏଭଳି ଅବ୍ୟବସ୍ଥା ମଧ୍ୟରେ ଜିଲାରେ କରୋନା ରୋଗୀମାନଙ୍କର ଚିକିତ୍ସା ହେଉଥିବାରୁ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଏ ଦିଗରେ ଉଚିତ୍ ଦୃଷ୍ଟି ଦେଇ ଏ ଅବ୍ୟବସ୍ଥାକୁ ଠିକ୍ କରିବା ପାଇଁ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଆହ୍ୱାନ ଦେଇଛନ୍ତି । ବିଜେପି ଜିଲା ସଭାପତି ହେମନ୍ତ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଆହୂତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ଡାକ୍ତର ପ୍ରଦୀପ ନାୟକ, ସଂସଦୀୟ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ବିଜେପି ଜିଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଜିଲା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ, ଜିଲା ଆଇଟି ସେଲ୍ ପ୍ରମୁଖ ଶଶାଙ୍କ ଶେଖର ମିଶ୍ର, ଯୁବନେତା ଭାଗୀରଥି ମହାକୁଡ, ଶଶାଙ୍କ ଶେଖର ଦାସ ଓ ବିଜୟ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.